ମହର୍ଷୀଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍ ।
ଯଜ୍ଞାନାଂ ଜପଯଜେ୍ଞାଽସ୍ମି ସ୍ଥାବରାଣାଂ ହିମାଳୟଃ ।।୨୫।।
ମହର୍ଷୀଣାଂ - ମହର୍ଷିମାନଙ୍କ ମଧ୍ୟରେ; ଭୃଗୁଃ - ଭୃଗୁ; ଅହଂ-ମୁଁ; ଗିରାମ୍ - ଧ୍ୱନି-ତରଙ୍ଗ ମଧ୍ୟରେ; ଅସ୍ମି - ଅଟେ; ଏକମ୍ ଅକ୍ଷରମ୍-ପ୍ରଣବ; ଯଜ୍ଞାନାମ୍ - ଯଜ୍ଞମାନଙ୍କ ମଧ୍ୟରେ; ଜପ ଯଜ୍ଞଃ -ଜପ; ଅସ୍ମି - ଅଟେ; ସ୍ଥାବରଣାଂ- ସ୍ଥାବରମାନଙ୍କ ମଧ୍ୟରେ; ହିମାଳୟଃ - ହିମାଳୟ ପର୍ବତଶ୍ରେଣୀ ।
BG 10.25: ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ ସ୍ଥାବର ବସ୍ତୁ ମାନଙ୍କ ମଧ୍ୟରେ ମୋତେ ହିମାଳୟ ଭାବରେ ଜାଣ ।
ଗୋଟିଏ ଜମିରେ ଉତ୍ପନ୍ନ ଫଳ ଓ ପୁଷ୍ପ ମଧ୍ୟରୁ ଯିଏ ସର୍ବୋତ୍ତମ, ତାହାକୁ ହିଁ କୌଣସି ପ୍ରଦର୍ଶନୀକୁ ନିଆଯାଇଥାଏ । ସେହିପରି ସୃଷ୍ଟିର ସମସ୍ତ ବ୍ୟକ୍ତ ଓ ଅବ୍ୟକ୍ତ ବସ୍ତୁ ଭଗବାନଙ୍କର ସ୍ୱରୂପ ଅଟନ୍ତି, ତଥାପି ସେମାନଙ୍କ ମଧ୍ୟରୁ ପ୍ରମୁଖ ବସ୍ତୁଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ରୂପେ ପରିଗଣିତ କରାଯାଇଥାଏ ।
ସ୍ୱର୍ଗଲୋକର ସମସ୍ତ ଋଷିମାନଙ୍କ ମଧ୍ୟରେ ଭୃଗୁଙ୍କର ସ୍ଥାନ ବିଶେଷ ଅଟେ । ସେ ଜ୍ଞାନ, ଯଶ ଏବଂ ଭକ୍ତି ଗୁଣ ଯୁକ୍ତ ଅଟନ୍ତି । ପୁରାଣ ବର୍ଣ୍ଣିତ ଭଗବାନଙ୍କର ଦିବ୍ୟ ଲୀଳାରେ, ଥରେ ଭୃଗୁ ଋଷି ବ୍ରହ୍ମା-ବିଷ୍ଣୁ-ଶିବ ତ୍ରିନାଥଙ୍କୁ ପରୀକ୍ଷା କରିବାକୁ ଯାଇ ବିଷ୍ଣୁଙ୍କ ବକ୍ଷରେ ପଦାଘାତ କରିଥିଲେ । ସେହି ପଦ ଚିହ୍ନକୁ ଭଗବାନ ବିଷ୍ଣୁ ନିଜ ବକ୍ଷରେ ଧାରଣ କରିଥାଆନ୍ତି । ସେହି ଭୃଗୁ ରୂପରେ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ପ୍ରକାଶିତ ।
ନିରାକାର ବ୍ରହ୍ମଙ୍କର ଉପାସକମାନେ “ଓଁ” ଧ୍ୱନିର ଧ୍ୟାନ କରିଥାଆନ୍ତି, ଯାହା ଭଗବାନଙ୍କର ଅନ୍ୟ ଏକ ବିଭୂତି ଅଟେ । ପୂର୍ବରୁ ଶ୍ରୀକୃଷ୍ଣ ଶ୍ଲୋକ ୭.୮ ଏବଂ ୮.୧୩ରେ କହିଛନ୍ତି ଓଁ ଶବ୍ଦ ଏକ ପବିତ୍ର ନାଦ ଅଟେ । ଏହା ଅନାହତ ନାଦ ଅଟେ (ଯେଉଁ ଶବ୍ଦ ଧ୍ୱନି ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ) । ପବିତ୍ରତାର ପ୍ରତୀକ ରୂପେ ଏହାର ବ୍ୟବହାର ଅନେକ ବେଦ ମନ୍ତ୍ରର ପ୍ରାରମ୍ଭରେ କରାଯାଇଥାଏ । ଏପରି କୁହାଯାଇଥାଏ ଯେ ଏକାକ୍ଷର ‘ଓଁ’ରୁ ଗାୟତ୍ରୀ ମନ୍ତ୍ରର ଉଦ୍ଭବ ହେଲା ଏବଂ ଗାୟତ୍ରୀ ମନ୍ତ୍ରରୁ ବେଦ ପ୍ରକାଶିତ ହେଲା ।
ଭାରତର ଉତ୍ତର ଦିଗରେ ହିମାଳୟ ପର୍ବତମାଳା ବିଦ୍ୟମାନ । ଯୁଗ ଯୁଗରୁ ଏହି ପର୍ବତମାଳା କୋଟି କୋଟି ଭକ୍ତ ମାନଙ୍କ ଠାରେ ଦିବ୍ୟ ଭାବନା ଓ ବିସ୍ମୟ ପ୍ରକଟିତ କରିଆସୁଛି । ଏହାର ବାୟୁମଣ୍ଡଳ, ପରିବେଶ ଏବଂ ଏକାନ୍ତତା, ସାଧନା ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ସେଥିପାଇଁ ଅନେକ ଋଷି-ମୁନି ଏଠାରେ ସୂକ୍ଷ୍ମ ଶରୀରରେ ସାଧନାରତ ରହି, ନିଜର ତଥା ସମାଜର କଲ୍ୟାଣ ସାଧନ କରିଥାଆନ୍ତି । ତେଣୁ ସମସ୍ତ ପର୍ବତମାଳାଙ୍କ ମଧ୍ୟରେ ହିମାଳୟ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।
ଯଜ୍ଞ ଭଗବାନଙ୍କଠାରେ ନିଜକୁ ସମର୍ପଣ କରିବାର ଏକ ପ୍ରକ୍ରିୟା ଅଟେ । ସମସ୍ତ ପ୍ରକାରର ଯଜ୍ଞ ମଧ୍ୟରେ ସରଳତମ ଭଗବାନଙ୍କର ନାମ ଜପ ଅଟେ । ଏହାକୁ ଜପ ଯଜ୍ଞ କୁହାଯାଏ । ଅର୍ଥାତ୍ ଭଗବାନଙ୍କର ଦିବ୍ୟ ନାମର ବାରମ୍ବାର ଉଚ୍ଚାରଣ ଦ୍ୱାରା ନିଜକୁ ତାଙ୍କଠାରେ ଉତ୍ସର୍ଗ କରିବା । ପାରମ୍ପରିକ ଯଜ୍ଞ ଅନୁଷ୍ଠାନରେ, ଅନେକ ନିୟମ ଅତ୍ୟନ୍ତ ସାବଧାନତା ପୂର୍ବକ ପାଳନ କରିବାକୁ ପଡ଼ିଥାଏ । କିନ୍ତୁ ଜପ ଯଜ୍ଞରେ କୌଣସି ନିୟମ ନାହିଁ । ଏହା ଯେ କୌଣସି ସ୍ଥାନ ଏବଂ ଯେ କୌଣସି ସମୟରେ କରିହେବ ଏବଂ ଅନ୍ୟ ଯଜ୍ଞ ପଦ୍ଧତିମାନଙ୍କଠାରୁ ଏହା ବ୍ୟକ୍ତିକୁ ଅଧିକ ମାତ୍ରାରେ ଶୁଦ୍ଧ କରିଥାଏ । ବର୍ତ୍ତମାନର କଳିଯୁଗରେ ଭଗବାନଙ୍କ ନାମ ଜପକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।
କଳିଯୁଗ କେବଳ ନାମ ଆଧାରା, ସୁମିରି ସୁମିରି ନର ଉତରହିଁ ପାରା ।
କଳିଯୁଗରେ ଭଗବାନଙ୍କର ନାମ ଜପ କରିବା ଏବଂ ସ୍ମରଣ କରିବା, ମାୟାର୍ଣ୍ଣବରୁ ଉତ୍ତୀର୍ଣ୍ଣ ହେବାର ଏକମାତ୍ର ସାଧନ ଅଟେ ।”
ମହର୍ଷୀଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍ ।
ଯଜ୍ଞାନାଂ ଜପଯଜେ୍ଞାଽସ୍ମି ସ୍ଥାବରାଣାଂ ହିମାଳୟଃ ।।୨୫।।
ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily