ନଭଃସ୍ପୃଶଂ ଦୀପ୍ତମନେକବର୍ଣ୍ଣଂ
ବ୍ୟାତ୍ତାନନଂ ଦୀପ୍ତବିଶାଳନେତ୍ରମ୍ ।
ଦୃଷ୍ଟ୍ୱା ହି ତ୍ୱାଂ ପ୍ରବ୍ୟଥିତାନ୍ତରାତ୍ମା
ଧୃତିଂ ନ ବିନ୍ଦାମି ଶମଂ ବ ବିଷ୍ଣୋ । ।।୨୪।।
ନଭଃସ୍ପୃଶଂ- ଆକାଶକୁ ସ୍ପର୍ଶ କରିଥିବା; ଦୀପ୍ତମ୍ - ପ୍ରଦୀପ୍ତ; ଅନେକ - ଅନେକ; ବର୍ଣ୍ଣଂ - ବର୍ଣ୍ଣ; ବ୍ୟାତ୍ତ- ଖୋଲା; ଆନନଂ -ମୁଖ; ଦୀପ୍ତ- ପ୍ରଦୀପ୍ତ; ବିଶାଳ - ବିରାଟ; ନେତ୍ରଂ - ଚକ୍ଷୁ; ଦୃଷ୍ଟ୍ୱା - ଦେଖି; ହି - ନିଶ୍ଚିତଭାବେ; ତ୍ୱାଂ - ଆପଣଙ୍କୁ; ପ୍ରବ୍ୟଥିତାନ୍ତରାତ୍ମା - ଭୟରେ ମୋ ହୃଦୟ କମ୍ପୁଛି; ଧୃତିଂ - ଧୈର୍ଯ୍ୟ; ନ ବିନ୍ଦାମି - ଧରିପାରୁନାହିଁ; ଶମଂ - ମାନସିକ ଶାନ୍ତି; ଚ - ଏବଂ; ବିଷ୍ଣୋ- ହେ ଭଗବାନ ବିଷ୍ଣୁ ।
BG 11.24: ହେ ପ୍ରଭୁ ବିଷ୍ଣୁ! ଆପଣଙ୍କର ସ୍ୱରୂପ ଗଗନକୁ ସ୍ପର୍ଶ କରୁଛି । ଅନେକ ରଙ୍ଗରେ ପ୍ରଦୀପ୍ତ, ଉନ୍ମୁକ୍ତ ମୁଖ ଓ ବିଶାଳ ଜାଜ୍ଜ୍ୱଲ୍ୟମାନ ଚକ୍ଷୁ ସବୁକୁ ଦର୍ଶନ କରି ଭୟରେ ମୋ ହୃଦୟ କମ୍ପିତ ହେଉଛି । ମୁଁ ସମସ୍ତ ସାହସ ଏବଂ ମନର ଭାରସାମ୍ୟ ହରାଇ ବସୁଛି ।
ଭଗବାନଙ୍କ ବିଶ୍ୱରୂପ ଦର୍ଶନ ଦ୍ୱାରା, ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଥିବା ସମ୍ପର୍କ ବଦଳି ଯାଉଛି । ପୂର୍ବରୁ ସେ ତାଙ୍କୁ ଅନ୍ତରଙ୍ଗ ବନ୍ଧୁ ଭାବରେ ଦେଖୁଥିଲେ, ଏବଂ ଜଣେ ଘନିଷ୍ଠ ବନ୍ଧୁ ପ୍ରତି ଯଥୋଚିତ ବ୍ୟବହାର କରୁଥିଲେ । ଭିତରେ ଶ୍ରୀକୃଷ୍ଣ ଭଗବାନ ବୋଲି ସେ ଜାଣିଥିଲେ, କିନ୍ତୁ ତାଙ୍କ ହୃଦୟରେ ଥିବା ସ୍ନେହ, ତାଙ୍କୁ ଶ୍ରୀକୃଷ୍ଣଙ୍କର ଭଗବତ୍ତାକୁ ଭୁଲାଇ ଦେଉଥିଲା । ସେ କେବଳ ଏତିକି ମନେ ରଖିଥିଲେ ଯେ ସଂସାରର ସମସ୍ତ ବସ୍ତୁଠାରୁ ଶ୍ରୀକୃଷ୍ଣ ତାଙ୍କର ଅତି ପ୍ରିୟ ଅଟନ୍ତି ।
ଏହା ପ୍ରେମର ସ୍ୱରୂପ ଅଟେ । ଏହା ମନକୁ ଏପରି ତଲ୍ଲୀନ କରିଦିଏ ଯେ, ଭକ୍ତ ଭଗବାନଙ୍କ ସହିତ ତା’ର ସ୍ୱାଭାବିକ ସମ୍ପର୍କକୁ ଭୁଲିଯାଏ । ପ୍ରେମରେ ଯଦି ଔପଚାରିକତା ରକ୍ଷା କରାଯାଏ, ତା’ହେଲେ ଭାବର ପରିପ୍ରକାଶ ପରିପୂର୍ଣ୍ଣ ହୋଇପାରେ ନାହିଁ । ଉଦାହରଣ ରୂପେ, ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀକୁ ବହୁତ ଭଲ ପାଆନ୍ତି । ସେ ସେହି ରାଜ୍ୟର ରାଜ୍ୟପାଳ ହୋଇଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ନିଜର ପତି ରୂପରେ ହିଁ ଦେଖିଥାଆନ୍ତି ଏବଂ ଏହାଦ୍ୱାରା ହିଁ ତାଙ୍କ ସହିତ ସେ ଅନ୍ତରଙ୍ଗ ବ୍ୟବହାର କରିପାରନ୍ତି । ଯଦି ତାଙ୍କ ମସ୍ତିଷ୍କରେ ସବୁବେଳେ ଏହି ଜ୍ଞାନ ରହନ୍ତା ଯେ, ତାଙ୍କ ସ୍ୱାମୀ ଜଣେ ରାଜ୍ୟପାଳ ଅଟନ୍ତି, ତା’ହେଲେ ଯେତେବେଳେ ବି ସେ ପାଖକୁ ଆସନ୍ତେ ସେ ଛିଡ଼ା ହୋଇ ବିଧିବଦ୍ଧ ଭାବେ ତାଙ୍କୁ ସମ୍ମାନ ଦିଅନ୍ତେ । ପ୍ରିୟତମଙ୍କର ରାଜକୀୟ ପଦବୀ ତାଙ୍କ ପ୍ରେମ ଭାବନାରେ ମିଶ୍ରିତ ହୋଇ ଯାଆନ୍ତା । ଭଗବାନଙ୍କ ଭକ୍ତିରେ ମଧ୍ୟ ତାହା ହିଁ ହୋଇଥାଏ ।
ବ୍ରଜର ଗୋପାଳ ବାଳକମାନେ ଶ୍ରୀକୃଷ୍ଣଙ୍କୁ କେବଳ ତାଙ୍କର ଅନ୍ତରଙ୍ଗ ସଖା ରୂପରେ ଦେଖୁଥିଲେ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଶ୍ରୀକୃଷ୍ଣଙ୍କ ସହିତ ସେମାନଙ୍କର ମଧୁର ଲୀଳାର ଚିତ୍ରଣ ଅତି ସୁନ୍ଦର ଭାବରେ କରିଛନ୍ତି:
ଦେଖୋ ଦେଖୋ ରୀ, ଗ୍ୱାଲ ବାଲନ ୟାରୀ ।
ରିଝବତ ଖେଲ ଜିତାୟ ସଖନ କୋ, ଘୋଡ଼ା ବନି ବନି ବନବାରୀ ।
(ପ୍ରେମରସ ମଦିରା, ରସିୟା ମାଧୁରୀ, ପଦ-୭)
“ଶ୍ରୀକୃଷ୍ଣ ଏବଂ ଗୋପାଳ ବାଳକ ମଧ୍ୟରେ ପ୍ରେମ ସମ୍ବନ୍ଧର ମାଧୁର୍ଯ୍ୟକୁ ଦେଖ! ସେମାନେ ଏକତ୍ର ଖେଳିବା ସମୟରେ ଯେତେବେଳେ ଶ୍ରୀକୃଷ୍ଣ ହାରିଯାନ୍ତି, ସେ ଘୋଡ଼ା ହୁଅନ୍ତି ଏବଂ ସଖାମାନେ ତାଙ୍କ ପିଠିରେ ଚଢ଼ି ଘୋଡାସବାରୀ କରନ୍ତି ।” ଗୋପାଳ ବାଳକମାନେ ଯଦି ଏକଥା ମନେ ରଖି ଥାଆନ୍ତେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି, ତେବେ ସେମାନେ ତାଙ୍କ ଉପରେ ଚଢିବାକୁ କେବେବି ଆଗଭର ହୁଅନ୍ତେ ନାହିଁ । ସେମାନେ ତାଙ୍କୁ ନିଜର ପ୍ରିୟ ସଖା ରୂପରେ ଦେଖନ୍ତି ଏବଂ ସେହି ଘନିଷ୍ଠତାକୁ ଭଗବାନ ମଧ୍ୟ ଉପଭୋଗ କରିଥାନ୍ତି ।
ଶ୍ରୀକୃଷ୍ଣ ପୃଥିବୀ ପୃଷ୍ଠରେ ପ୍ରସିଦ୍ଧ ଗୋବର୍ଦ୍ଧନ ଲୀଳା କରିଥିଲେ । ସେଥିରେ ସେ, ବୃଷ୍ଟିର ଦେବତା ଦେବରାଜ ଇନ୍ଦ୍ର କରିଥିବା ମୂଷଳଧାର ବୃଷ୍ଟିରୁ ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ, ଗୋବର୍ଦ୍ଧନ ପର୍ବତକୁ ତାଙ୍କର ବାମ ହସ୍ତର କନିଷ୍ଠ ଆଙ୍ଗୁଠିରେ ଟେକି ଧରିଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କର ଗୋପାଳ ସାଥୀମାନେ ସେଥିରେ ପ୍ରଭାବିତ ହୋଇ ନ ଥିଲେ । ସେମାନଙ୍କ ଦୃଷ୍ଟିରେ, ଶ୍ରୀକୃଷ୍ଣ କେବଳ ତାଙ୍କର ପ୍ରିୟସଖା ମାତ୍ର ଥିଲେ । ତେଣୁ ସେ ଯେ ଏତେ ବଡ ପର୍ବତ ଉଠାଇ ପାରିବେ, ତାହା ସେମାନେ ବିଶ୍ୱାସ କରୁ ନ ଥିଲେ । ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଉପରୋକ୍ତ ପଦରେ ଆଗକୁ କହୁଛନ୍ତି ;
ନଖ ଧାର୍ୟୋ ଗୋବର୍ଦ୍ଧନ-ଗିରି ଜବ, ସଖନ କହ୍ୟୋ ହମ ଗିରିଧାରୀ ।
(ପ୍ରେମରସ ମଦିରା, ରସିୟା ମାଧୁରୀ, ପଦ-୭)
“ଯେତେବେଳେ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ଗିରି ଧାରଣ କରିଥିଲେ, ତାଙ୍କର ଗୋପାଳ ସଖାମାନେ ସେମାନଙ୍କର ଲାଠିକୁ ପର୍ବତର ତଳ ଭାଗରେ ଲଗାଇ ଥିଲେ ଏବଂ ଭାବୁଥିଲେ ପ୍ରକୃତ ଗିରିଧାରୀ ସେମାନେ ହିଁ ଅଟନ୍ତି ।” ଶେଷରେ ଇନ୍ଦ୍ର ପରାଜୟ ସ୍ୱୀକାର କଲେ ଏବଂ ଶ୍ୱେତ ହସ୍ତୀରେ ବସି ବ୍ରଜରେ ପଦାର୍ପଣ କଲେ । ଶ୍ରୀକୃଷ୍ଣଙ୍କର ପ୍ରଭୁତ୍ୱ ନ ଜାଣି ସେ ମୂଷଳଧାର ବୃଷ୍ଟି କରିଥିବାରୁ କ୍ଷମା ପ୍ରାର୍ଥନା କଲେ ।
ବର୍ତ୍ତମାନ ଯେତେବେଳେ ଗୋପାଳବାଳକମାନେ ଦେଖିଲେ ଯେ, ସ୍ୱର୍ଗସମ୍ରାଟ ଇନ୍ଦ୍ର ଆସି ତାଙ୍କ ସଖା ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ ସେମାନେ ଅନୁଭବ କଲେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି । ତେଣୁ ଭୟଭୀତ ହୋଇ ସେମାନେ ତାଙ୍କୁ ଦୂରରୁ ଦେଖିବାକୁ ଲାଗିଲେ । ସେମାନଙ୍କର ଭକ୍ତି ଭାବ, ସାଖ୍ୟରୁ ବିସ୍ମୟ ଏବଂ ବିନତୀରେ ପରିବର୍ତ୍ତିତ ହେବାର ଦେଖି ଶ୍ରୀକୃଷ୍ଣ ଅନୁତାପ କରିବାରେ ଲାଗିଲେ । “ଯେଉଁ ସ୍ନେହ ସମ୍ବନ୍ଧକୁ ଆମେ ଉପଭୋଗ କରୁଥିଲୁ, ତାହା ଉଭେଇ ଯାଇଛି । ସେମାନେ ମୋତେ ଭଗବାନ ବୋଲି ଭାବୁଛନ୍ତି ।” ତାପରେ ସେ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା, ସେମାନେ ଦେଖିଥିବା ଐଶ୍ୱର୍ଯ୍ୟକୁ ଭୁଲାଇ ଦେଲେ । ସେମାନେ ପୁଣି ଥରେ ମନେକଲେ ଯେ ଶ୍ରୀକୃଷ୍ଣ ଆମର ସଖା ଛଡ଼ା ଅନ୍ୟ କିଛି ନୁହଁନ୍ତି ।
ଅର୍ଜୁନ ମଧ୍ୟ ଶ୍ରୀକୃଷ୍ଣଙ୍କର ସଖ୍ୟ ଭାବ ଯୁକ୍ତ ଜଣେ ଭକ୍ତ ଅଟନ୍ତି । ସେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖା ମନେ କରିବାରେ ଅଭ୍ୟସ୍ତ ଥିଲେ । ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ସେ ନିଜ ରଥର ସାରଥୀ କରିବାକୁ ରାଜି ହୋଇଥିଲେ । ଅର୍ଜୁନ ଯଦି ଶ୍ରୀକୃଷ୍ଣଙ୍କୁ ସମସ୍ତ ସୃଷ୍ଟିର ପରମେଶ୍ୱର ମନେ କରୁଥାନ୍ତେ, ତେବେ ସେ ତାଙ୍କୁ ନିଜ ସେବା କରିବାକୁ ଅନୁମତି ଦେଇନଥାନ୍ତେ । ବର୍ତ୍ତମାନ ତାଙ୍କର ଅସୀମ ବୈଭବ ଓ ଅକଳନୀୟ ଐଶ୍ୱର୍ଯ୍ୟ ଦେଖି, ଅର୍ଜୁନଙ୍କର ଶ୍ରୀକୃଷ୍ଣ ପ୍ରତି ଥିବା ସୌହାର୍ଦ୍ୟ ଭୟରେ ପରିଣତ ହୋଇଗଲା ।
ନଭଃସ୍ପୃଶଂ ଦୀପ୍ତମନେକବର୍ଣ୍ଣଂ
ବ୍ୟାତ୍ତାନନଂ ଦୀପ୍ତବିଶାଳନେତ୍ରମ୍ ।
ଦୃଷ୍ଟ୍ୱା ହି ତ୍ୱାଂ ପ୍ରବ୍ୟଥିତାନ୍ତରାତ୍ମା
ଧୃତିଂ ନ ବିନ୍ଦାମି ଶମଂ ବ ବିଷ୍ଣୋ । ।।୨୪।।
ହେ ପ୍ରଭୁ ବିଷ୍ଣୁ! ଆପଣଙ୍କର ସ୍ୱରୂପ ଗଗନକୁ ସ୍ପର୍ଶ କରୁଛି । ଅନେକ ରଙ୍ଗରେ ପ୍ରଦୀପ୍ତ, ଉନ୍ମୁକ୍ତ ମୁଖ ଓ ବିଶାଳ ଜାଜ୍ଜ୍ୱଲ୍ୟମାନ ଚକ୍ଷୁ ସବୁକୁ ଦର୍ଶନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily