ନ ତଦ୍ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ ।
ଯଦ୍ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୬।।
ନ -ନାହିଁ; ତତ୍-ତାହା; ଭାସୟତେ - ପ୍ରକାଶିତ ହୁଏ; ସୂର୍ଯ୍ୟଃ -ସୂର୍ଯ୍ୟ; ନ -କିମ୍ବା ନୁହେଁ; ଶଶାଙ୍କଃ - ଚନ୍ଦ୍ର; ନ -କିମ୍ବା ନୁହେଁ; ପାବକଃ - ଅଗ୍ନି; ଯତ୍ -ଯେଉଁଠାକୁ ଗତ୍ୱା-ଯାଇ; ନ-ନୁହେଁ; ନିବର୍ତନ୍ତେ -ପ୍ରତ୍ୟାବର୍ତ୍ତନ କରେ; ତତ୍ ଧାମ - ସେହି ଧାମ; ପରମଂ-ପରମ; ମମ-ମୋର ।
BG 15.6: ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି ବ୍ୟକ୍ତି ଏହି ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ ।
ଶ୍ରୀକୃଷ୍ଣ ନିଜ ଦିବ୍ୟ ଧାମ ବିଷୟରେ ସଂକ୍ଷିପ୍ତ ସୂଚନା ଦେଉଛନ୍ତି । ତାଙ୍କ ଦିବ୍ୟ ଧାମକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନିଙ୍କର ଆବଶ୍ୟକତା ନାହିଁ, ତାହା ସ୍ୱାଭାବିକ ରୂପରେ ସ୍ୱୟଂ ପ୍ରକାଶିତ ଅଟେ । ସଂସାର ମାୟାଶକ୍ତିରେ ନିର୍ମିତ ହୋଇଥିବାବେଳେ ଦିବ୍ୟ ଜଗତ ଦିବ୍ୟଶକ୍ତି, ଯୋଗାମୟା ଦ୍ୱାରା ନିର୍ମିତ । ଏହା ଭୌତିକ ପ୍ରକୃତିର ସମସ୍ତ ଦ୍ୱୈତ ଏବଂ ଦୋଷରୁ ମୁକ୍ତ ତଥା ସବୁ ଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ । ଏହା ସତ୍-ଚିତ୍-ଆନନ୍ଦ ଅର୍ଥାତ୍ ନିତ୍ୟତା, ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ ।
ଦିବ୍ୟ ଜଗତରେ ଆଧ୍ୟାତ୍ମିକ ଆକାଶ ରହିଛି, ଯାହାକୁ ପରବ୍ୟୋମ କୁହାଯାଏ, ଯେଉଁଥିରେ ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ବୈଭବରେ ପରିପୂର୍ଣ୍ଣ ଅସଂଖ୍ୟ ଲୋକ ରହିଛି । ଏହି ଆକାଶରେ, ଭଗବାନଙ୍କର ନିତ୍ୟ ରୂପ, ଯେପରିକି କୃଷ୍ଣ, ରାମ, ନାରାୟଣ ଇତ୍ୟାଦିଙ୍କର ନିଜ ନିଜ ଲୋକ ଅଛି । ସେଠାରେ ସେମାନେ ତାଙ୍କର ଭକ୍ତମାନଙ୍କ ସହିତ ନିତ୍ୟ ନିବାସ କରି ଦିବ୍ୟ ଲୀଳା ରଚନା କରନ୍ତି । ଶ୍ରୀକୃଷ୍ଣଙ୍କର ସ୍ତୁତି କରିବାକୁ ଯାଇ ବ୍ରହ୍ମା କହୁଛନ୍ତି:
ଗୋଲୋକ- ନାମ୍ନି ନିଜ- ଧାମ୍ନି ତଳେ ଚ ତସ୍ୟ
ଦେବୀ ମହେଶ-ହରି-ଧାମସୁ ତେଷୁ ତେଷୁ
ତେ ତେ ପ୍ରଭାବ-ନିଚୟା ବିହିତାଶ୍ଚ ଯେନ
ଗୋବିନ୍ଦମ୍ ଆଦି-ପୁରୁଷଂ ତମ୍ ଅହଂ ଭଜାମି (ବ୍ରହ୍ମ ସଂହିତା ପଦ ୪୩)
“ଏହି ଦିବ୍ୟ ଆକାଶରେ ଶ୍ରୀକୃଷ୍ଣଙ୍କ ଧାମ ଗୋଲକ ଅବସ୍ଥିତ । ଏହି ଆକାଶରେ, ନାରାୟଣ, ଶିବ, ଦୁର୍ଗା ଇତ୍ୟାଦିଙ୍କର ମଧ୍ୟ ଲୋକ ରହିଛି । ମୁଁ ପରମ ଦିବ୍ୟ ପୁରୁଷ ଶ୍ରୀକୃଷ୍ଣଙ୍କର ସ୍ତୁତି କରୁଛି, ଯାହାଙ୍କ ଐଶ୍ୱର୍ଯ୍ୟର ଗାରିମାରେ ଏହା ସମ୍ଭବ ହୋଇଛି ।” ଶ୍ରୀକୃଷ୍ଣଙ୍କ ପରମଧାମ ଗୋଲୋକ ବିଷୟରେ ବ୍ରହ୍ମା ପୁନଶ୍ଚ କହୁଛନ୍ତି:
ଆନନ୍ଦ-ଚିନ୍ମୟ-ରସ-ପ୍ରତିଭାବିତାଭିସ୍
ତାଭିର ଯ ଏବ ନିଜ-ରୂପତୟା କଲାଭିଃ
ଗୋଲୋକ ଏବ ନିବସତ୍ୟଖିଲାତ୍ମ-ଭୂତୋ
ଗୋବିନ୍ଦମ୍ ଆଦି-ପୁରୁଷଂ ତମ ଅହଂ ଭଜାମି । (ବ୍ରହ୍ମ ସଂହିତା ପଦ ୩୭)
“ମୁଁ ସେହି ପରମ ପୁରୁଷ ଗୋବିନ୍ଦଙ୍କର ଆରାଧନା କରୁଛି, ଯିଏ ନିଜ ସ୍ୱରୂପର ଅଂଶ ଶ୍ରୀରାଧାଙ୍କ ସହିତ ଗୋଲକରେ ବାସ କରୁଛନ୍ତି । ସଖୀମାନେ ତାଙ୍କର ନିତ୍ୟ ପରିକର ଅଟନ୍ତି, ଯେଉଁମାନେ ସଦା ଆନନ୍ଦମୟ ଦିବ୍ୟ ଶକ୍ତିରେ ଯୁକ୍ତ ଅଟନ୍ତି ଏବଂ ଚଉଷଠି କଳାର ମୂର୍ତ୍ତିମନ୍ତ ସ୍ୱରୂପ ଅଟନ୍ତି ।” ଯେଉଁ ଭକ୍ତମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ତାଙ୍କର ଦିବ୍ୟଧାମକୁ ଯାଇ ତାଙ୍କ ଦିବ୍ୟ ଶକ୍ତିର ଅଲୌକିକତାରେ ସମୃଦ୍ଧ ଦିବ୍ୟଲୀଳାରେ ଅଂଶଗ୍ରହଣ କରନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ, ଯେଉଁମାନେ ସେହି ଲୋକକୁ ଯାଆନ୍ତି, ସେମାନେ ଜନ୍ମ ଓ ମୃତ୍ୟୁର ସଂସାରରୁ ସବୁଦିନ ପାଇଁ ଉଦ୍ଧାର ହୋଇଯାଆନ୍ତି ।
ନ ତଦ୍ଭାସୟତେ ସୂର୍ଯ୍ୟୋ ନ ଶଶାଙ୍କୋ ନ ପାବକଃ ।
ଯଦ୍ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।।୬।।
ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି, କେହି ବି ମୋର ପରମ ଧାମକୁ ପ୍ରକାଶିତ କରିପାରିବେ ନାହିଁ । ସେହି ପରମ ଦିବ୍ୟ ଧାମକୁ ଗଲା ପରେ କୌଣସି …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily