ଚିନ୍ତାମପରିମେୟାଂ ଚ ପ୍ରଳୟାନ୍ତାମୁପାଶ୍ରିତାଃ ।
କାମୋପଭୋଗପରମା ଏତାବଦିତି ନିଶ୍ଚିତାଃ ।।୧୧।।
ଚିନ୍ତାଂ -ଉଦ୍ବିଗ୍ନତା; ଅପରିମେୟାଂ -ଅନ୍ତହୀନ; ଚ-ଏବଂ; ପ୍ରଳୟ ଅନ୍ତାଂ -ମୃତ୍ୟୁ ପର୍ଯ୍ୟନ୍ତ; ଉପାଶ୍ରିତାଃ- ବାସ କରିଥାଏ; କାମ ଉପଭୋଗ -ଇନ୍ଦ୍ରିୟ ତୃପ୍ତି; ପରମାଃ -ଜୀବନର ପରମ ଲକ୍ଷ୍ୟ; ଏତାବତ୍- ତଥାପି; ଇତି- ଏହି ପ୍ରକାରେ; ନିଶ୍ଚିତାଃ -ପୂର୍ଣ୍ଣ ଆଶ୍ୱସ୍ତ ।
BG 16.11: ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା ଏବଂ ଧନ ସମ୍ପଦ ସଂଗ୍ରହ କରିବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଅଟେ ।
ବସ୍ତୁବାଦୀମାନେ ଅଧିକାଂଶତଃ ଏହି କାରଣରୁ ଆଧ୍ୟାତ୍ମିକ ମାର୍ଗର ପ୍ରତ୍ୟାଖାନ କରିଥାନ୍ତି ଯେ ଏହା ଦୁର୍ବହ ଏବଂ ଶ୍ରମସାଧ୍ୟ, ତଥା ଏଥିରେ ଅନ୍ତିମ ଲକ୍ଷ୍ୟର ସ୍ଥିତି ବହୁ ଦୂରରେ । ସେମାନେ ସାଂସାରିକ ପଥ ଅନୁସରଣ କରିବା ଶ୍ରେୟସ୍କର ମନେ କରନ୍ତି, ଯାହା ତତ୍କାଳ ସନ୍ତୁଷ୍ଟି ପ୍ରଦାନ କରିବାର ଆଶା ଉଦ୍ରେକ କରିଥାଏ, କିନ୍ତୁ ତାହା ସେମାନଙ୍କୁ ଅଧିକରୁ ଅଧିକ ସଂସାର ଅଭିମୁଖୀ କରିଦିଏ । ସଂସାର ପ୍ରାପ୍ତିର କାମନା ସେମାନଙ୍କୁ ଅଶାନ୍ତ କରିଦିଏ ଏବଂ ସେମାନେ ନିଜର ଅଭିଳାଷ ପୂରଣ କରିବା ପାଇଁ ବୃହତ୍ ଯୋଜନାମାନଙ୍କରେ ନିୟୋଜିତ ରହନ୍ତି । ଇପ୍ସିତ ବସ୍ତୁର ପ୍ରାପ୍ତିରେ କ୍ଷଣକ ପାଇଁ ସେମାନେ ଶାନ୍ତି ଅନୁଭବ କରନ୍ତି, କିନ୍ତୁ ସେଥିରୁ ଏକ ନୂତନ ଦୁଃଖର ଉଦୟ ହୁଏ । ପ୍ରାପ୍ତବସ୍ତୁ ହରାଇବାର ଭୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରେ ଏବଂ ତା’ର ସୁରକ୍ଷା ନିମନ୍ତେ ସେମାନେ ଅଧିକ ପରିଶ୍ରମ କରନ୍ତି । ପରିଶେଷରେ ଯେତେବେଳେ ପ୍ରାପ୍ତ ବସ୍ତୁଠାରୁ ଅବଶ୍ୟମ୍ଭାବୀ ବିଚ୍ଛେଦ ଘଟେ, ସେତେବେଳେ କେବଳ ଦୁଃଖ ହିଁ ଦୁଃଖ ରହିଯାଏ । ତେଣୁ କୁହାଯାଏ:
ଯା ଚିନ୍ତା ଭୂବି ପୁତ୍ର ପୌତ୍ର ଭରଣବ୍ୟାପାର ସମ୍ଭାଷଣେ
ଯା ଚିନ୍ତା ଧନ ଧାନ୍ୟ ଯଶସାଂ ଲାଭେ ସଦା ଜାୟତେ
ସା ଚିନ୍ତା ଯଦି ନନ୍ଦନନ୍ଦନ ପଦଦ୍ୱନ୍ଦ୍ୱାର ବିନ୍ଦେକ୍ଷଣମ୍
କା ଚିନ୍ତା ଯମରାଜ ଭୀମ ସଦନ୍ଦ୍ୱାରପ୍ରୟାଣେ ବିଭୋ । (ସୁକ୍ତି ସୁଧାକର)
“ମନୁଷ୍ୟ ସାଂସାରିକ ପ୍ରୟାସରେ ଅକଥନୀୟ ଦୁଶ୍ଚିନ୍ତା ଏବଂ ବିଷାଦ ଅନୁଭବ କରିଥାଏ - ପୁତ୍ର ପୌତ୍ରଙ୍କର ଭରଣପୋଷଣ କରିବା, ବ୍ୟବସାୟରେ ବ୍ୟସ୍ତ ରହିବା, ଧନ ସମ୍ପତ୍ତି ଏକତ୍ର କରିବା ଏବଂ ଯଶ ବୃଦ୍ଧି କରିବା । ଯଦି ସେମାନେ ସେତିକି ମାତ୍ରାର ଆସକ୍ତି ଏବଂ ବ୍ୟଗ୍ରତା ଭଗବାନଙ୍କ ଚରଣାବିନ୍ଦରେ ଭକ୍ତି ବିକସିତ କରିବା ଦିଗରେ ପ୍ରଦର୍ଶନ କରନ୍ତେ, ସେମାନଙ୍କୁ ମୃତ୍ୟୁର ଦେବତା ଯମରାଜଙ୍କୁ ନେଇ ଚିନ୍ତିତ ହେବାକୁ ପଡ଼ନ୍ତା ନାହିଁ (ଯେହେତୁ ସେମାନେ ଜନ୍ମମୃତ୍ୟୁ ଚକ୍ରରୁ ଉତ୍ତୀର୍ଣ୍ଣ ହୋଇଯିବେ) ।” କିନ୍ତୁ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଏହି ନିର୍ମମ ସତ୍ୟକୁ ଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ, କାରଣ ସେମାନଙ୍କ ବୁଦ୍ଧିର ନିଶ୍ଚୟ ଏହା ଯେ ସାଂସାରିକ ସୁଖ ହିଁ ସର୍ବଶ୍ରେଷ୍ଠ ଆନନ୍ଦ ଅଟେ । ଭବିଷ୍ୟତ ଜୀବନରେ ତାଙ୍କୁ ଦୟନୀୟ ନିୟତି ଆଡକୁ ଟାଣି ନେବା ପାଇଁ, ମୃତ୍ୟୁ ଧୈର୍ଯ୍ୟର ସହିତ ଅପେକ୍ଷା କରିଛି, ସେମାନେ ତାହା ଦେଖିପାରନ୍ତି ନାହିଁ ।
ଚିନ୍ତାମପରିମେୟାଂ ଚ ପ୍ରଳୟାନ୍ତାମୁପାଶ୍ରିତାଃ ।
କାମୋପଭୋଗପରମା ଏତାବଦିତି ନିଶ୍ଚିତାଃ ।।୧୧।।
ସେମାନେ ଅନ୍ତହୀନ ଉତ୍କଣ୍ଠାରେ ଛନ୍ଦି ହୋଇଥାନ୍ତି, ଯାହା ମୃତ୍ୟୁରେ ହିଁ ସମାପ୍ତ ହୋଇଥାଏ । ତଥାପି ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ରହିଥାନ୍ତି ଯେ କାମନା ପୂର୍ଣ୍ଣ କରିବା …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily