ଅର୍ଜୁନ ଉବାଚ
ସନ୍ନ୍ୟାସସ୍ୟ ମହାବାହୋ ତତ୍ତ୍ୱମିଚ୍ଛାମି ବେଦିତୁମ୍ ।
ତ୍ୟାଗସ୍ୟ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ।।୧।।
ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ସଂନ୍ନ୍ୟାସସ୍ୟ-ସନ୍ନ୍ୟାସର; ମହାବାହୋ-ହେ ମହାବାହୁ !; ତତ୍ତ୍ୱଂ-ସତ୍ୟ; ଇଚ୍ଛାମି-ମୁଁ ଇଚ୍ଛା କରେ; ବେଦିତୁମ୍-ବୁଝିବାକୁ; ତ୍ୟାଗସ୍ୟ- ତ୍ୟାଗର; ଚ-ମଧ୍ୟ; ହୃଷୀକେଶ- ହେ ହୃଷୀକେଶ (ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ) !; ପୃଥକ୍-ପୃଥକ୍ଭାବେ; କେଶିନିଷୂଦନ- ହେ କେଶୀଦୈତ୍ୟର ସଂହାରକ ।
BG 18.1: ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ ! ହେ କେଶିନିଷୂଦନ ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ “କେଶି-ନିଷୂଦନ”, ଅର୍ଥାତ୍ “କେଶି ଦାନବର ହନ୍ତା” ଭାବରେ ସମ୍ବୋଧନ କରିଛନ୍ତି । ଶ୍ରୀକୃଷ୍ଣ, ପୃଥିବୀରେ ତାଙ୍କର ଦିବ୍ୟ ଲୀଳାରେ କେଶି ନାମକ ଦୁର୍ଦ୍ଦର୍ଷ ରାକ୍ଷସକୁ ହତ୍ୟା କରିଥିଲେ, ଯିଏ କି ଏକ ପାଗଳ ଅଶ୍ୱ ରୂପରେ ବ୍ରଜଧାମରେ ଘୋର ଉତ୍ପାତ କରିଥିଲା । ସଂଶୟ ମଧ୍ୟ ଗୋଟିଏ ଲଗାମହୀନ ଅଶ୍ୱ ସଦୃଶ ଅଟେ, ସେ ମନ ମଧ୍ୟରେ ଇତସ୍ତତଃ ଧାଇଁ ଭକ୍ତିରୂପୀ ବଗିଚାକୁ ନଷ୍ଟ କରିଦିଏ । ଅର୍ଜୁନ ଇଶାରା କରୁଛନ୍ତି, “କେଶି ରାକ୍ଷସକୁ ବଧ କଲାପରି ଆପଣ ଦୟାକରି ମୋ ମନର ସଂଶୟରୂପୀ ରାକ୍ଷସକୁ ବଧ କରନ୍ତୁ ।” ତାଙ୍କର ପ୍ରଶ୍ନ ଅତ୍ୟନ୍ତ ମାର୍ମିକ ଏବଂ ସାରଗର୍ଭକ ଥିଲା । ସେ ସନ୍ୟାସ ଅର୍ଥାତ୍ “କର୍ମ ତ୍ୟାଗ”ର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି । ସେ ତ୍ୟାଗର ସ୍ୱରୂପ, ଅର୍ଥାତ୍ କର୍ମଫଳ ଭୋଗର କାମନା ତ୍ୟାଗ ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି । ସେ ପୁଣି ପୃଥକ୍ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ସେ ଏହି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ହୃଷୀକେଶ ଭାବରେ ମଧ୍ୟ ସମ୍ବୋଧନ କରିଛନ୍ତି, ଯାହାର ଅର୍ଥ “ଇନ୍ଦ୍ରିୟମାନଙ୍କର ଶାସକ” । ଅର୍ଜୁନଙ୍କର ଲକ୍ଷ୍ୟ ସର୍ବଶ୍ରେଷ୍ଠ ବିଜୟ ହାସଲ କରିବା, ଯାହା ମନ ଏବଂ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ଅଟେ । ଏହି ବିଜୟ ହିଁ ପରିପୂର୍ଣ୍ଣ ଶାନ୍ତି ପ୍ରଦାନ କରିଥାଏ । ଇନ୍ଦ୍ରିୟମାନଙ୍କର ନିୟାମକ ଭାବରେ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ହିଁ ଏହି ପରିପୂର୍ଣ୍ଣତା ଅଟନ୍ତି ।
ଏହି ବିଷୟର ଆଲୋଚନା ପୂର୍ବ ଅଧ୍ୟାୟମାନଙ୍କରେ ମଧ୍ୟ କରାଯାଇ ଥିଲା । ଶ୍ରୀକୃଷ୍ଣ ସନ୍ୟାସ ସମ୍ବନ୍ଧରେ ଶ୍ଳୋକ ୫.୧୩ ଏବଂ ୯.୨୮ ରେ ଏବଂ ତ୍ୟାଗ ସମ୍ବନ୍ଧରେ ଶ୍ଳୋକ୪.୨୦ ଏବଂ ୧୨.୧୧ରେ ଆଲୋଚନା କରିଥିଲେ, କିନ୍ତୁ ଏଠାରେ ସେ ଏକ ଭିନ୍ନ ଦୃଷ୍ଟିକୋଣରୁ ଏହାର ବର୍ଣ୍ଣନା କରୁଛନ୍ତି । ଗୋଟିଏ ସତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପିତ କରାଯାଇ ପାରେ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣର ନିଜର ସ୍ୱତନ୍ତ୍ର ଆକର୍ଷଣ ରହିଛି । ଉଦାହରଣ ସ୍ୱରୂପ, ଗୋଟିଏ ବଗିଚାର ବିଭିନ୍ନ ଅଂଶ ଦର୍ଶକଙ୍କ ମନରେ ଅଲଗା ଅଲଗା ଧାରଣା ସୃଷ୍ଟି କରେ, କିନ୍ତୁ ସମ୍ପୂର୍ଣ୍ଣ ବଗିଚା ଅନ୍ୟ ଏକ ଧାରଣା ସୃଷ୍ଟି କରିଥାଏ । ଭଗବଦ୍ ଗୀତା ଅନେକାଂଶରେ ଏହିପରି ଅଟେ । ଏଥିରେ ପ୍ରତି ଅଧ୍ୟାୟକୁ ଏକ ବିଶେଷ ଯୋଗ ଭାବରେ ଅଭିହିତ କରାଯାଇଛି ଏବଂ ଅଷ୍ଟାଦଶ ଅଧ୍ୟାୟକୁ ଏହାର ସାରାଂଶ ଭାବରେ ବିବେଚନା କରାଯାଇଛି । ଏହି ଅଧ୍ୟାୟରେ, ଶ୍ରୀକୃଷ୍ଣ ପୂର୍ବ ସତରଟି ଅଧ୍ୟାୟରେ ଉପସ୍ଥାପିତ ହୋଇଥିବା ଚିରସ୍ଥାୟୀ ଏବଂ ଚିରନ୍ତନ ସତ୍ୟର ସାରାଂଶ ସଂକ୍ଷେପରେ ଉପସ୍ଥାପନ କରି ଏକ ସାମୂହିକ ନିଷ୍କର୍ଷ ସ୍ଥାପିତ କରିଛନ୍ତି । ତ୍ୟାଗ ଓ ବୈରାଗ୍ୟ ବିଷୟରେ ଆଲୋଚନା କରିବା ପରେ, ସେ ତ୍ରିଗୁଣର ସ୍ୱରୂପ ଏବଂ ମନୁଷ୍ୟର କର୍ମ କରିବାର ସହଜାତ ପ୍ରବୃତ୍ତିକୁ ସେମାନେ କିପରି ପ୍ରଭାବିତ କରନ୍ତି, ସେହି ବିଷୟରେ ଆଲୋଚନା କରିଛନ୍ତି । ପୁନଶ୍ଚ ସେ କହିଛନ୍ତି ଯେ ସତ୍ତ୍ୱଗୁଣ ହିଁ ଧାରଣ-ଯୋଗ୍ୟ ଏକମାତ୍ର ଗୁଣ ଅଟେ । ତା’ପରେ ଉପସଂହାର କରିବାକୁ ଯାଇ ସେ କହିଛନ୍ତି ଯେ ଭଗବାନଙ୍କର ଅନନ୍ୟ ଭକ୍ତି ହିଁ ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ ଏବଂ ଏହାର ପ୍ରାପ୍ତି ମନୁଷ୍ୟ ଜୀବନର ଲକ୍ଷ୍ୟ ଅଟେ ।
ଅର୍ଜୁନ ଉବାଚ
ସନ୍ନ୍ୟାସସ୍ୟ ମହାବାହୋ ତତ୍ତ୍ୱମିଚ୍ଛାମି ବେଦିତୁମ୍ ।
ତ୍ୟାଗସ୍ୟ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ।।୧।।
ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily