ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥଗ୍ବିଧମ୍ ।
ବିବିଧାଶ୍ଚ ପୃଥକ୍ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍ ।।୧୪।।
ଅଧିଷ୍ଠାନଂ-ଶରୀର; ତଥା-ମଧ୍ୟ; କର୍ତା-କର୍ତ୍ତା(ଆତ୍ମା); କରଣଂ-ଇନ୍ଦ୍ରିୟ; ଚ-ଏବଂ; ପୃଥଗ୍-ବିଧମ୍- ବିଭିନ୍ନ ପ୍ରକାରର; ବିବିଧାଃ - ଅନେକ;ଚ -ଏବଂ; ପୃଥକ୍ -ପୃଥକ୍ ଭାବେ; ଚେଷ୍ଟା -ଚେଷ୍ଟା; ଦୈବଂ-ବିଧିର ବିଧାନ; ଚ ଏବ ଅତ୍ର -ଏହାସବୁ ନିଶ୍ଚିତ ଭାବେ(କାରଣ); ପଞ୍ଚମମ୍ -ପଞ୍ଚମ ।
BG 18.14: ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।
ଏହି ଶ୍ଳୋକରେ, ଅଧିଷ୍ଠାନଂ ଶବ୍ଦର ଅର୍ଥ “ବାସସ୍ଥାନ” ଅଟେ ଏବଂ ଏହା ଶରୀରକୁ ବୁଝାଏ, କାରଣ ଆତ୍ମା ଶରୀର ମଧ୍ୟରେ ଥିଲେ ହିଁ କର୍ମ କରାଯାଇପାରେ । କର୍ତ୍ତା ଅର୍ଥାତ୍ “ଯେ କର୍ମ କରେ”, ଏବଂ ଏହା ଆତ୍ମାକୁ ସୂଚିତ କରେ । ଯଦିଓ ଆତ୍ମା ନିଜେ କର୍ମ କରେ ନାହିଁ, ସେ ଇନ୍ଦ୍ରିୟ-ମନ-ବୁଦ୍ଧିକୁ ଜୀବନୀଶକ୍ତି ପ୍ରଦାନ କରି କାର୍ଯ୍ୟକ୍ଷମ କରାଇଥାଏ । ପୁଣି ଅହଂକାର ପ୍ରଭାବରେ ସେ ନିଜକୁ ସେମାନଙ୍କ କର୍ମର କର୍ତ୍ତା ମନେ କରିଥାଏ । ତେଣୁ ଶରୀର କରୁଥିବା କର୍ମ ପାଇଁ ସେ ଦାୟୀ ଅଟେ ଏବଂ ତାକୁ ଉଭୟ ଜ୍ଞାତା ଓ କର୍ତ୍ତା ମନେ କରାଯାଏ । ପ୍ରଶ୍ନ ଉପନିଷଦ କହେ: ଏଷ ହି ଦ୍ରଷ୍ଟା ସ୍ପ୍ରଷ୍ଟା ଶ୍ରୋତା ଘ୍ରାତା ରସୟିତା ମନ୍ତା ବୋଦ୍ଧା କର୍ତା ବିଜ୍ଞାନାତ୍ମା ପୁରୁଷଃ ସ ପରେଽକ୍ଷର ଆତ୍ମନି ସଂପ୍ରତିଷ୍ଠତେ (୪.୯) “ଆତ୍ମା ହିଁ ଦେଖେ, ସ୍ପର୍ଶକରେ, ଶୁଣେ, ଅନୁଭବ କରେ, ଆସ୍ୱାଦନ କରେ, ଚିନ୍ତନ କରେ ଏବଂ ବୁଝେ । ଅତଏବ, ଆତ୍ମାକୁ ଉଭୟ ଜ୍ଞାତା ଏବଂ କର୍ମର କର୍ତ୍ତା ରୂପେ ବିବେଚନା କରାଯାଏ ।” ବ୍ରହ୍ମସୂତ୍ର କହେ: ଜେ୍ଞାଽତ ଏବ (୨.୩.୧୮) “ଆତ୍ମା- ହିଁ ପ୍ରକୃତ ଜ୍ଞାତା ଅଟେ ।” ବ୍ରହ୍ମସୂତ୍ର ପୁଣି କହେ: କର୍ତା ଶାସ୍ତ୍ରାର୍ଥବତ୍ତ୍ୱାତ୍ (୨.୩.୩୩) “ଆତ୍ମା ହିଁ କର୍ମର କର୍ତ୍ତା ଅଟେ । ଏହା ଶାସ୍ତ୍ରଦ୍ୱାରା ପ୍ରମାଣିତ ।” ଉପରୋକ୍ତ ଉଦ୍ଧରଣରୁ ଏହା ସ୍ପଷ୍ଟ ହୋଇଥାଏ ଯେ କର୍ମ ସମ୍ପାଦନ ପାଇଁ ଆତ୍ମା ମଧ୍ୟ ଏକ ଉପାଦାନ ଅଟେ ।
କର୍ମ ସମ୍ପାଦନ ପାଇଁ ଇନ୍ଦ୍ରିୟଗୁଡ଼ିକ ଉପକରଣ ଅଟନ୍ତି । ଇନ୍ଦ୍ରିୟଗୁଡ଼ିକ ବିନା ଆତ୍ମା ସ୍ୱାଦ, ସ୍ପର୍ଶ, ଦୃଶ୍ୟ, ଗନ୍ଧ ଏବଂ ଶବ୍ଦ ଅନୁଭବ କରି ପାରନ୍ତା ନାହିଁ । ପାଞ୍ଚଗୋଟି କର୍ମ ଇନ୍ଦ୍ରିୟ ମଧ୍ୟ ଅଛନ୍ତି- ହସ୍ତ, ପଦ, ବାଣୀ, ଯୌନାଙ୍ଗ ଏବଂ ମଳଦ୍ୱାର । ଏମାନଙ୍କ ସାହାଯ୍ୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ତେଣୁ ଇନ୍ଦ୍ରିୟଗୁଡ଼ିକୁ ମଧ୍ୟ କର୍ମ କରିବାର ଉପାଦାନ ଭାବରେ ଗ୍ରହଣ କରାଯାଇଛି ।
କର୍ମ କରିବାର ଏହି ସମସ୍ତ ଅଙ୍ଗ ଥିବା ସତ୍ତ୍ୱେ, ଉଦ୍ୟମ ନ କଲେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ । କର୍ମ ପାଇଁ ଉଦ୍ୟମ ଏତେ ମହତ୍ୱପୂର୍ଣ୍ଣ ଯେ, ଚାଣକ୍ୟ ପଣ୍ଡିତ ନୀତି ଶାସ୍ତ୍ରରେ କହିଛନ୍ତି ଉତ୍ସାହବତାଂ ଶତ୍ରବୋପି ବଶୀଭବନ୍ତି “ଯଥେଷ୍ଟ ଉଦ୍ୟମ ଦ୍ୱାରା, ମନ୍ଦ ଭାଗ୍ୟ ମଧ୍ୟ ଉତ୍ତମ ଭାଗ୍ୟରେ ପରିଣତ ହୋଇଯାଏ ।” ନିରୁତ୍ୱାହାଦ୍ ଦୈବଂ ପତିତ “ସଠିକ୍ ଉଦ୍ୟମ ବିନା, ସୌଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।” ତେଣୁ ଚେଷ୍ଟା (ଉଦ୍ୟମ) କର୍ମର ଅନ୍ୟ ଏକ ଉପାଦାନ ଅଟେ ।
ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ସାକ୍ଷୀ ରୂପରେ ବସିଛନ୍ତି । ତାଙ୍କର ପୂର୍ବକର୍ମ ଅନୁସାରେ, ସେ ବିଭିନ୍ନ ମନୁଷ୍ୟଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାର କ୍ଷମତା ପ୍ରଦାନ କରନ୍ତି । ଏହାକୁ ଜଣେ ବିଧିର ବିଧାନ କହିପାରନ୍ତି । ଉଦାହରଣ ସ୍ୱରୂପ, କିଛି ଲୋକଙ୍କର ବିପୁଳ ଅର୍ଥ ଉପାର୍ଜନ କରିବାର କୁଶାଗ୍ର ବୁଦ୍ଧି ରହିଥାଏ । ତାଙ୍କର ବନ୍ଧୁ-ବାନ୍ଧବମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି ଯେ ଏତେ ଜଟିଳ ଆର୍ଥିକ ପରିସ୍ଥିତିର ସେ ଏପରି ବିଚକ୍ଷଣ ବିଶ୍ଳେଷଣ କରିପାରୁଛନ୍ତି କିପରି । ସେହି ଦିଗରେ ସେମାନେ ଯେଉଁ ବିପଦ ଉଠାଇଥାନ୍ତି, ସେଥିରେ ମଧ୍ୟ ସେମାନେ ସୌଭାଗ୍ୟଶାଳୀ ସିଦ୍ଧ ହୋଇଥାନ୍ତି । ଏହି ବିଶିଷ୍ଟ ବୁଦ୍ଧି ଭଗବାନ ସେମାନଙ୍କୁ ପ୍ରଦାନ କରିଥାନ୍ତି । ସେହିପରି ଅନ୍ୟମାନଙ୍କ ଠାରେ କ୍ରୀଡ଼ା, ସଂଗୀତ, କଳା, ସାହିତ୍ୟ କ୍ଷେତ୍ରରେ ଭଗବତ୍ ପ୍ରଦତ୍ତ ପ୍ରତିଭା ଥିବା ପରି ପ୍ରତୀତ ହୁଏ । ମନୁଷ୍ୟର ପୂବର୍ଜନ୍ମର କର୍ମ ଅନୁସାରେ, ଏହି ବିଶେଷ କ୍ଷମତା ସବୁ ଭଗବାନ ତାଙ୍କୁ ପ୍ରଦାନ କରିଥାନ୍ତି । ସେ ବର୍ତ୍ତମାନର କର୍ମ ଫଳ ମଧ୍ୟ ପ୍ରଦାନ କରିଥାନ୍ତି । ତେଣୁ ଭଗବାନଙ୍କୁ ମଧ୍ୟ କର୍ମର ଏକ ଉପାଦାନ ଭାବେ ପରିଗଣିତ କରାଯାଏ ।
ଅଧିଷ୍ଠାନଂ ତଥା କର୍ତା କରଣଂ ଚ ପୃଥଗ୍ବିଧମ୍ ।
ବିବିଧାଶ୍ଚ ପୃଥକ୍ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍ ।।୧୪।।
ଶରୀର, ଆତ୍ମା, ବିଭିନ୍ନ ଇନ୍ଦ୍ରିୟ, ବିବିଧ ପ୍ରକାର ଉଦ୍ୟମ ଏବଂ ବିଧିର ବିଧାନ - ଏହି ପାଞ୍ଚଗୋଟି କର୍ମର ଉପାଦାନ ଅଟନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily