ଯତଃ ପ୍ରବୃତ୍ତିର୍ଭୂତାନାଂ ଯେନ ସର୍ବମିଦଂ ତତମ୍ ।
ସ୍ୱକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ।।୪୬।।
ଯତଃ-ଯାହାଙ୍କ ଠାରୁ; ପ୍ରବୃତ୍ତିଃ-ଉଦ୍ଭବ; ଭୂତାନାଂ-ସମସ୍ତ ଜୀବ; ଯେନ-ଯାହାଙ୍କ ଦ୍ୱାରା; ସର୍ବଂ-ସବୁ; ଇଦଂ-ଏହା; ତତମ୍-ପରିବ୍ୟାପ୍ତ; ସ୍ୱକର୍ମଣା-ସ୍ୱକର୍ମରେ; ତମ୍- ତାଙ୍କୁ (ଭଗବାନ୍ଙ୍କୁ); ଅଭ୍ୟର୍ଚ୍ୟ-ପୂଜା କରି; ସିଦ୍ଧିଂ-ସିଦ୍ଧି; ବିନ୍ଦତି-ପ୍ରାପ୍ତ ହୁଏ; ମାନବଃ-ମାନବ ।
BG 18.46: ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧି ଲାଭ କରିଥାଏ ।
ଭଗବାନଙ୍କର ସୃଷ୍ଟିରେ କୌଣସି ଜୀବ ଅନାବଶ୍ୟକ ନୁହନ୍ତି । ତାଙ୍କର ଦିବ୍ୟ ଯୋଜନା ସମସ୍ତ ପ୍ରାଣୀଙ୍କର କ୍ରମୋତ୍ଥାନ ନିମନ୍ତେ ଉଦ୍ଦିଷ୍ଟ । ଏକ ବୃହଦାକାର ଚକ୍ରର ଛୋଟ ଛୋଟ ଦାନ୍ତ ପରି ଆମେ ସମସ୍ତେ ତାଙ୍କ ଯୋଜନାରେ ସାମିଲ ରହିଅଛେ । ସେ ଆମକୁ ଦେଇଥିବା ସାମର୍ଥ୍ୟ ଅପେକ୍ଷା ଆମଠାରୁ ଅଧିକ ଆଶା କରନ୍ତି ନାହିଁ । ତେଣୁ ଆମେ ଯଦି କେବଳ ନିଜ ଜୀବନର ସ୍ଥିତି ଏବଂ ଗୁଣ ଅନୁସାରେ, ଆମର ସ୍ୱ-ଧର୍ମ ପାଳନ କରିବା, ତେବେ ଆମର ଶୁଦ୍ଧିକରଣ ପାଇଁ ତାଙ୍କର ଯେଉଁ ଦିବ୍ୟ ଯୋଜନା ରହିଛି, ସେଥିରେ ଆମେ ଅଂଶଗ୍ରହଣ କରି ପାରିବା ଏବଂ ଯେତେବେଳେ ସ୍ୱଧର୍ମର ପାଳନ ଭକ୍ତି ମନୋଭାବରେ କରାଯିବ, ଆମର କର୍ମ ହିଁ ପୂଜା ହୋଇଯିବ ।
ବାସ୍ତବରେ କୌଣସି କର୍ମ କୁତ୍ସିତ ବା ଅପବିତ୍ର ନୁହେଁ । କର୍ମର ମୂଲ୍ୟ ନିରୂପଣ ଆମର ଭାବନା ଅନୁସାରେ ହୋଇଥାଏ । ଏ ସମ୍ପର୍କରେ ମହାଭାରତର ବନପର୍ବରେ, ଋଷି ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ଗୋଟିଏ ସୁନ୍ଦର ଗଳ୍ପ କହିଥିଲେ । ଗଳ୍ପଟି ଏହିପରି ଥିଲା; ଜଣେ ଯୁବ ସନ୍ୟାସୀ ଜଙ୍ଗଲକୁ ଯାଇ ଦୀର୍ଘକାଳ ଧ୍ୟାନ ଓ ତପସ୍ୟା ଅଭ୍ୟାସ କଲେ । କିଛି ବର୍ଷ ବିତିଯିବା ପରେ, ଦିନେ ବୃକ୍ଷ ଉପରୁ ଗୋଟିଏ କାକ ତାଙ୍କ ଉପରେ ମଳତ୍ୟାଗ କରିଦେଲା । ସେ କ୍ରୋଧିତ ହୋଇ ଉପରକୁ ଚାହିଁ ଦେବା କ୍ଷଣି ପକ୍ଷୀଟି ମୃତ ହୋଇ ତଳେ ପଡ଼ିଗଲା । ସନ୍ୟାସୀ ଅନୁଭବ କଲେ ଯେ ତାଙ୍କ ତପସ୍ୟାର ଫଳ ସ୍ୱରୂପ ତାଙ୍କୁ କିଛି ସିଦ୍ଧି ପ୍ରାପ୍ତ ହୋଇଛି । ତାଙ୍କର ମନ ଅହଂକାରରେ ଭରି ଗଲା । କିଛି ସମୟ ପରେ ସେ ଜଣେ ଗୃହସ୍ଥର ଘରକୁ ଭିକ୍ଷା ମାଗିବାକୁ ଗଲେ । ଗୃହିଣୀ ଦ୍ୱାରଦେଶକୁ ଆସି ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲେ, କାରଣ ସେ ତାଙ୍କର ଅସୁସ୍ଥ ପତିଙ୍କର ସେବା କରୁଥିଲେ । ଏଥିରେ ସାଧୁ କ୍ରୋଧାନ୍ୱିତ ହୋଇ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡକୁ ଚାହିଁ ଭାବିଲେ “ଦୁଷ୍ଟ ମହିଳା, ମୋତେ ଅପେକ୍ଷା କରାଇବାକୁ ତୁମର ସାହସ କିପରି ହେଲା ? ତୁମେ ମୋ ଶକ୍ତି ଜାଣିନାହଁ?” ମହିଳା ଜଣକ ତାଙ୍କର ମନକଥା ଜାଣିପାରି କହିଲେ, “ମୋତେ କ୍ରୋଧିତ ହୋଇ ଏପରି ଦେଖନ୍ତୁ ନାହିଁ, ମୁଁ କୁଆ ନୁହେଁ ଯେ ଆପଣଙ୍କ ଦୃଷ୍ଟିପାତରେ ଜଳିଯିବି ।” ସାଧୁଜଣକ ଅତ୍ୟନ୍ତ ବିସ୍ମିତ ହୋଇ ପଚାରିଲେ, ସେହି ଘଟଣା ବିଷୟରେ ସେ କିପରି ଜାଣିଲେ ? ଗୃହିଣୀ ଜଣକ ଉତ୍ତର ଦେଲେ ଯେ ସେ କୌଣସି ତପସ୍ୟା କରି ନାହାଁନ୍ତି, କେବଳ ଭକ୍ତି ଓ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି, ଯାହାର ସୁପ୍ରଭାବରେ ତାଙ୍କୁ ଏହି ଶକ୍ତି ପ୍ରାପ୍ତ ହୋଇଛି ଯେ ସେ ଅନ୍ୟର ମନକଥା ଜାଣିପାରନ୍ତି । ତା’ପରେ ସେ ସାଧୁଙ୍କୁ ମିଥିଳାରେ ବାସ କରୁଥିବା ଜଣେ ଧର୍ମନିଷ୍ଠ ବ୍ୟାଧଙ୍କୁ ସାକ୍ଷାତ କରିବାକୁ କହିଲେ ଯିଏ ଧର୍ମ ସମ୍ବନ୍ଧୀୟ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ । ଜଣେ ନୀଚ ବ୍ୟାଧ ସହିତ ଚର୍ଚ୍ଚା କରିବାର ପ୍ରାରମ୍ଭିକ କୁଣ୍ଠାକୁ ପରିତ୍ୟାଗ କରି ସନ୍ୟାସୀ ଜଣକ ମିଥିଳା ଗଲେ । ସେଠାରେ ସେହି ଧାର୍ମିକ ବ୍ୟାଧ ତାଙ୍କୁ ବୁଝାଇଲେ ଯେ ପୂର୍ବକର୍ମ ଏବଂ ସାମର୍ଥ୍ୟ ଅନୁସାରେ ଆମ ସମସ୍ତଙ୍କର ସ୍ୱ-ଧର୍ମ ରହିଛି । କିନ୍ତୁ ନିଜ ସ୍ୱାର୍ଥର କାମନା ତ୍ୟାଗ କରି ଏବଂ ଆମକୁ ମିଳୁଥିବା କ୍ଷଣସ୍ଥାୟୀ ସୁଖଦୁଃଖର ଊର୍ଦ୍ଧ୍ୱକୁ ଉଠି କର୍ତ୍ତବ୍ୟ ପାଳନ କରିବା ଦ୍ୱାରା ଆମେ ନିଜକୁ ଶୁଦ୍ଧ କରିପାରିବା ଏବଂ ଧର୍ମର ଉଚ୍ଚତର କକ୍ଷକୁ ଉନ୍ନୀତ ହୋଇପାରିବା । ଏହିପରି ଭାବରେ, ନିଜ ପାଇଁ ଉଦ୍ଦିଷ୍ଟ କର୍ତ୍ତବ୍ୟ କର୍ମ ପାଳନ କରି, ଆତ୍ମାର ବର୍ତ୍ତମାନର ସ୍ଥୂଳ ଚେତନାରୁ ଦିବ୍ୟ ଚେତନା ଅଭିମୁଖରେ କ୍ରମବିକାଶ ହୋଇଥାଏ । ବ୍ୟାଧଙ୍କର ଏହି ବ୍ୟାଖ୍ୟାନ ମହାଭାରତରେ ବ୍ୟାଧ ଗୀତା ନାମରେ ପ୍ରସିଦ୍ଧ ।
ଏହି ସନ୍ଦେଶଟି ବିଶେଷତଃ ଅର୍ଜୁନଙ୍କ ପାଇଁ ପ୍ରଯୁଜ୍ୟ, କାରଣ ସେ କର୍ମକୁ କଷ୍ଟକର ଏବଂ ଦୁଃଖଦାୟକ ମନେ କରି, ଧର୍ମ ତ୍ୟାଗ କରି ପଳାୟନ କରିବାକୁ ଚାହୁଁଥିଲେ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାଙ୍କୁ ଉପଦେଶ ଦେଉଛନ୍ତି ଯେ ଉପଯୁକ୍ତ ଚେତନାଯୁକ୍ତ ହୋଇ ନିଜର କର୍ତ୍ତବ୍ୟ ପାଳନ ପରମାତ୍ମାଙ୍କର ଉପାସନା ଅଟେ, ଯଦ୍ୱାରା ସେ ସହଜରେ ପରିପୂର୍ଣ୍ଣତା ଲାଭ କରିପାରିବେ ।
ଯତଃ ପ୍ରବୃତ୍ତିର୍ଭୂତାନାଂ ଯେନ ସର୍ବମିଦଂ ତତମ୍ ।
ସ୍ୱକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ।।୪୬।।
ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ଏବଂ ବିଶ୍ୱରେ ସର୍ବତ୍ର ବ୍ୟାପ୍ତ ସୃଷ୍ଟିକର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily