ଇତି ତେ ଜ୍ଞାନମାଖ୍ୟାତଂ ଗୁହ୍ୟାଦ୍ଗୁହ୍ୟତରଂ ମୟା ।
ବିମୃଶ୍ୟୈତଦଶେଷେଣ ଯଥେଚ୍ଛସି ତଥା କୁରୁ ।।୬୩।।
ଇତି-ଏହିପରି; ତେ-ତୁମକୁ; ଜ୍ଞାନଂ-ଜ୍ଞାନ; ଅଖ୍ୟାତଂ-କହିଲି; ଗୁହ୍ୟାତ୍-ଗୁପ୍ତଠାରୁ; ଗୁହ୍ୟତରଂ-ଅଧିକ ଗୁପ୍ତ; ମୟା-ମୋ’ଦ୍ୱାରା; ବିମୃଶ୍ୟ-ଚିନ୍ତାକରି; ଏତତ୍- ଏହା; ଅଶେଷେଣ- ପୂର୍ଣ୍ଣତଃ; ଯଥା-ଯେପରି; ଇଚ୍ଛସି-ତୁମର ଇଚ୍ଛା; ତଥା-ସେହିପରି; କୁରୁ-କର ।
BG 18.63: ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।
ସଂଖ୍ୟାଧିକ ବ୍ୟକ୍ତିଙ୍କୁ ଯେଉଁ ଜ୍ଞାନ ଉପଲବ୍ଧ ହୁଏ ନାହିଁ, ତାହାହିଁ ଗୁପ୍ତ ଜ୍ଞାନ ଅଟେ । କିଛି ଶତାବ୍ଦୀ ପୂର୍ବରୁ, ପଦାର୍ଥ ବିଜ୍ଞାନର ଅଧିକାଂଶ ନିୟମ ଗୁପ୍ତ ଥିଲା ଏବଂ ଏବେ ମଧ୍ୟ ଅନେକ ତଥ୍ୟ ଗୁପ୍ତ ରହିଛି । ଆଧ୍ୟାତ୍ମିକ ଜ୍ଞାନ ଗଭୀର ଅଟେ ଏବଂ ପ୍ରତ୍ୟକ୍ଷ ଅନୁଭୂତି ଦ୍ୱାରା ତାହା ବୁଝି ହୁଏନାହିଁ । ଏହା ଗୁରୁ ତଥା ଶାସ୍ତ୍ରମାନଙ୍କରୁ ଆହରଣ କରାଯାଇ ଥାଏ । ସେଥିପାଇଁ ଏହାକୁ ଗୁପ୍ତ କୁହାଯାଇଛି । ଦ୍ୱିତୀୟ ଅଧ୍ୟାୟରେ, ଶ୍ରୀକୃଷ୍ଣ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରକାଶ କରିଥିଲେ, ଯାହା ଗୁହ୍ୟ ବା ଗୁପ୍ତ ଜ୍ଞାନ ଅଟେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ, ଯାହା ଗୁହ୍ୟତର ବା ଅଧିକତର ଗୁପ୍ତ ଅଟେ । ନବମ ଏବଂ ତା’ ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ସେ ତାଙ୍କର ଭକ୍ତି ଉପରେ ଆଲୋକପାତ କରିଛନ୍ତି । ଯାହା ଗୁହ୍ୟତମ ବା ଅଧିକତମ ଗୁପ୍ତ ଅଟେ । ଏହି ଅଧ୍ୟାୟର ଶ୍ଳୋକ ୫୫ରେ ସେ ପ୍ରକାଶ କଲେ ଯେ, କେବଳ ଭକ୍ତି ଦ୍ୱାରା ହିଁ ତାଙ୍କୁ ସାକାର ରୂପରେ ଜାଣିହେବ । ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବଦ୍ ଗୀତାର ପରିସମାପ୍ତି କରିବାକୁ ଯାଉଛନ୍ତି । ଅଠରଟି ଅଧ୍ୟାୟ ଏବଂ ତା’ର ଅନ୍ତର୍ଗତ ଅତ୍ୟନ୍ତ ଗୁପ୍ତ ଜ୍ଞାନ ଅର୍ଜୁନଙ୍କୁ କହିସାରିବା ପରେ, ସେ ଚୟନ କରିବାର ଅଧିକାର ଅର୍ଜୁନଙ୍କ ହାତରେ ନ୍ୟସ୍ତ କରୁଛନ୍ତି । ସେ କହୁଛନ୍ତି “ମୁଁ ତୁମକୁ ଅତ୍ୟନ୍ତ ଗଭୀର ଏବଂ ଗୁପ୍ତଜ୍ଞାନ ପ୍ରଦାନ କଲି । ବର୍ତ୍ତମାନ ନିଷ୍ପତ୍ତି ତୁମ ହାତରେ ।” ଏହିପରି ବିକଳ୍ପ ପ୍ରଭୁ ରାମ ଅଯୋଧ୍ୟାବାସୀଙ୍କ ସମ୍ମୁଖରେ ରଖିଥିଲେ । ସେ ସମସ୍ତଙ୍କୁ ତାଙ୍କର ଦିବ୍ୟ ପ୍ରବଚନକୁ ନିମନ୍ତ୍ରଣ କରିଥିଲେ ।
ଏକ ବାର ରଘୁନାଥ ବୁଲାଏ, ଗୁରୁ ଦ୍ୱିଜ ପୁରବାସୀ ସବ ଆଏ (ରାମାୟଣ)
“ଏକଦା ପ୍ରଭୁ ରାମ ସମସ୍ତ ଅଯୋଧ୍ୟାବାସୀଙ୍କୁ ଡାକିଲେ । ଗୁରୁ ବଶିଷ୍ଟଙ୍କ ସମେତ ସମସ୍ତେ ତାଙ୍କ କଥା ଶୁଣିବା ପାଇଁ ଏକତ୍ରିତ ହେଲେ ।” ତାଙ୍କ ପ୍ରବଚନରେ ପ୍ରଭୁ ରାମ ମନୁଷ୍ୟ ଜୀବନର ଲକ୍ଷ୍ୟ ଏବଂ ତାହା କିପରି ପ୍ରାପ୍ତ ହେବ, ସେହି ବିଷୟରେ ବୁଝାଇଲେ । ଶେଷରେ ସେ ଏହା କହି ନିଜର ବକ୍ତବ୍ୟ ସମାପ୍ତ କଲେ:
ନହିଁ ଅନୀତି ନହିଁ କଛୁ ପ୍ରଭୁତାଈ, ସୁନହୁଁ କରହୁଁ ଯୋ ତୁହ୍ମହି ସୋହାଈ (ରାମାୟଣ)
“ମୁଁ ଯେଉଁ ଉପଦେଶ ଦେଲି ତାହା ଭୁଲ ନୁହେଁ କିନ୍ତୁ ବାଧ୍ୟତାମୂଳକ ମଧ୍ୟ ନୁହେଁ । ଏହାକୁ ସାବଧାନତା ପୂର୍ବକ ଶୁଣ, ଧ୍ୟାନପୂର୍ବକ ମନନ କର, ଏବଂ ତାପରେ ତୁମେ ଯେପରି ଇଚ୍ଛା କରୁଛ ସେପରି କର ।”
ଉପଲବ୍ଧ ବିକଳ୍ପ ମଧ୍ୟରୁ କୌଣସିଟିକୁ ବାଛିବାର ସ୍ୱାଧୀନତା ଭଗବାନ ଜୀବକୁ ଦେଇଛନ୍ତି, କିନ୍ତୁ ଚୟନ କରିବାର ସ୍ୱାଧୀନତା ଅସୀମ ନୁହେଁ । ଜଣେ ନିଷ୍ପତ୍ତି ନେଇ ପାରିବ ନାହିଁ, “ମୁଁ ସଂସାରର ସବୁଠାରୁ ବିଜ୍ଞ ବ୍ୟକ୍ତି ହେବାକୁ ଇଚ୍ଛା କରୁଛି ।” ଆମର ଚୟନ ଆମର ପୂର୍ବ ଏବଂ ବର୍ତ୍ତମାନର କର୍ମ ଅନୁସାରେ ସୀମିତ । ତଥାପି କିଛି ପରିମାଣର ସ୍ୱାଧୀନ ଇଚ୍ଛା ଆମ ସମସ୍ତଙ୍କର ଅଛି, କାରଣ ଆମେ ଭଗବାନଙ୍କ ହାତର ଏକ ମେସିନ୍ ନୁହେଁ । ବେଳେବେଳେ ଲୋକେ ପ୍ରଶ୍ନ କରନ୍ତି, ଭଗବାନ ଆମକୁ ସ୍ୱାଧୀନ ଇଚ୍ଛା ଦେଇ ନ ଥିଲେ ଆମେ କୌଣସି ମନ୍ଦ କର୍ମ କରି ନ ଥାନ୍ତୁ । କିନ୍ତୁ ସେପରି ହୋଇଥିଲେ ଆମେ କୌଣସି ସତ୍କର୍ମ ମଧ୍ୟ କରି ପାରିନଥାନ୍ତେ । ସତ୍ କର୍ମ କରିବାର ସୁଯୋଗ ସର୍ବଦା କିଛି ମନ୍ଦକର୍ମ କରିବାର ବିପଦ ମଧ୍ୟ ସୃଷ୍ଟି କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ଯେ, ଭଗବାନ ଚାହାଁନ୍ତି ଆମେ ତାଙ୍କୁ ଭଲ ପାଉ ଏବଂ ଭଲ ପାଇବା ସେତେବେଳେ ହିଁ ସମ୍ଭବ ଯେତେବେଳେ ଆମ ପାଖରେ କିଛି ବାଛିବାର ସୁଯୋଗ ଥାଏ । ମେସିନ୍ଟିଏ ଭଲ ପାଇ ପାରିବ ନାହିଁ, କାରଣ ତା’ପାଖରେ ପସନ୍ଦ କରିବାର କୌଣସି ଅବକାଶ ନ ଥାଏ । ଭଗବାନ ଆମକୁ ସ୍ୱାଧୀନ ଇଚ୍ଛା ତଥା ବିକଳ୍ପ ସବୁ ଉପଲବ୍ଧ କରାଇ ସୃଷ୍ଟି କରିଛନ୍ତି, ଯଦ୍ୱାରା ଆମେ ତାଙ୍କୁ ପସନ୍ଦ କରି ଆମର ପ୍ରେମକୁ ଅଭିବ୍ୟକ୍ତ କରିପାରିବା । ସର୍ବଶକ୍ତିମାନ ଭଗବାନ ମଧ୍ୟ, କୌଣସି ଜୀବକୁ ତାଙ୍କର ଭକ୍ତି କରିବା ପାଇଁ ବାଧ୍ୟ କରିପାରିବେ ନାହିଁ; ଏହି ନିଷ୍ପତ୍ତି ଜୀବକୁ ହିଁ ନେବାକୁ ପଡ଼ିଥାଏ । ତେଣୁ ଶ୍ରୀକୃଷ୍ଣ, ଅର୍ଜୁନଙ୍କର ଏହି ସ୍ୱତନ୍ତ୍ର ଇଚ୍ଛା ପ୍ରତି ଧ୍ୟାନ ଆକର୍ଷଣ କରି, ନିଷ୍ପତ୍ତି ନେବାକୁ ତାଙ୍କୁ ଆହ୍ୱାନ କରିଛନ୍ତି ।
ଇତି ତେ ଜ୍ଞାନମାଖ୍ୟାତଂ ଗୁହ୍ୟାଦ୍ଗୁହ୍ୟତରଂ ମୟା ।
ବିମୃଶ୍ୟୈତଦଶେଷେଣ ଯଥେଚ୍ଛସି ତଥା କୁରୁ ।।୬୩।।
ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily