ଅର୍ଜୁନ ଉବାଚ
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମୟାଚ୍ୟୁତ ।
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ୟେ ବଚନଂ ତବ ।।୭୩।।
ଅର୍ଜୁନ ଉବାଚ-ଅର୍ଜୁନ କହିଲେ; ନଷ୍ଟଃ-ନଷ୍ଟ ହେଲା; ମୋହଃ-ମୋହ; ସ୍ମୃତିଃ- ସ୍ମୃତି; ଲବ୍ଧା -ପୁନଃ ପ୍ରାପ୍ତ ହେଲା; ତ୍ୱତ୍ ପ୍ରସାଦାତ୍-ଆପଣଙ୍କ କୃପାରୁ; ମୟା-ମୋର; ଅଚ୍ୟୁତ- ହେ ଶ୍ରୀକୃଷ୍ଣ; ସ୍ଥିତଃ-ଅବସ୍ଥିତ; ଅସ୍ମି-ଅଟେ; ଗତ-ସନ୍ଦେହଃ -ସମସ୍ତ ସନ୍ଦେହ ଦୂର ହେଲା; କରିଷ୍ୟେ-ମୁଁ କରିବି; ବଚନଂ-ଆଦେଶ; ତବ-ଆପଣଙ୍କର ।
BG 18.73: ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ ହୋଇ ଆପଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବାକୁ ପ୍ରସ୍ତୁତ ।
ପ୍ରାରମ୍ଭରେ ଅର୍ଜୁନ ଏକ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ଏବଂ ସେହି ପରିସ୍ଥିତିରେ ତାଙ୍କର କର୍ତ୍ତବ୍ୟ ବିଷୟରେ ସନ୍ଦିହାନ ହୋଇ ଯାଇଥିଲେ । ଦୁଃଖରେ ଅଭିଭୂତ ହୋଇ, ଅସ୍ତ୍ର ତ୍ୟାଗ ପୂର୍ବକ ରଥ ଉପରେ ବସି ପଡ଼ି ସେ ସ୍ୱୀକାର କରିଥିଲେ ଯେ ତାଙ୍କର ଶୋକାଭିଭୂତ ମନ ଓ ଇନ୍ଦ୍ରିୟଙ୍କର ଉପଚାର ପାଇଁ ସେ କୌଣସି ଉପାୟ ଖୋଜି ପାଉନାହାନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ଅନୁଭବ କରୁଛନ୍ତି ଏବଂ ସେ ଘୋଷଣା କରୁଛନ୍ତି ଯେ ସେ ବର୍ତ୍ତମାନ ଜ୍ଞାନରେ ସ୍ଥିତ ଏବଂ ମୋହମୁକ୍ତ ଅଟନ୍ତି । ସେ ଭଗବାନଙ୍କ ଇଚ୍ଛାରେ ନିଜକୁ ସମର୍ପିତ କରି ଦେଇଛନ୍ତି ଏବଂ ଶ୍ରୀକୃଷ୍ଣ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ଉପରେ ଭଗବଦ୍ ଗୀତା ସନ୍ଦେଶର ଏହା ପ୍ରଭାବ ଥିଲା । ତା’ସହିତ ସେ କହୁଛନ୍ତି, ତ୍ୱତ୍ ପ୍ରସାଦାନ୍ ମୟାଚ୍ୟୁତ, ଅର୍ଥାତ୍ “ହେ ଶ୍ରୀକୃଷ୍ଣ! ଆପଣଙ୍କର ବାଣୀ ନୁହେଁ, ବରଂ ଆପଣଙ୍କର କୃପା ହିଁ ମୋର ଅଜ୍ଞାନ ଦୂର କରିଛି ।”
ଭୌତିକ ଜ୍ଞାନ କୃପା ଆବଶ୍ୟକ କରେ ନାହିଁ । ଆମେ ଶିକ୍ଷା ଅନୁଷ୍ଠାନ କିମ୍ବା ଶିକ୍ଷକଙ୍କୁ ଅର୍ଥ ଦେଇ ପ୍ରତିବଦଳରେ ଜ୍ଞାନ ପାଇଥାଉ, କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ କ୍ରୟ କିମ୍ବା ବିକ୍ରୟ କରାଯାଇ ପାରିବ ନାହିଁ । ଏହା କୃପାବଶତଃ ପ୍ରଦାନ କରାଯାଏ ଏବଂ ଶ୍ରଦ୍ଧା ଓ ଦୀନତା ଦ୍ୱାରା ଗ୍ରହଣ କରାଯାଏ । ଆମେ ଯଦି ଅହଂକାରଯୁକ୍ତ ହୋଇ ଭଗବଦ୍ଗୀତା ଅଧ୍ୟୟନ କରିବାକୁ ଯିବା, “ମୁଁ ବହୁତ ବୁଦ୍ଧିମାନ । ଏହି ଉପଦେଶର ମୂଲ୍ୟ କ’ଣ ତାହା ମୁଁ ନିର୍ଦ୍ଧାରଣ କରିବି”, ତେବେ ଆମେ କଦାପି ଏହାକୁ ବୁଝିବାକୁ ସମର୍ଥ ହେବାନାହିଁ । ଆମ ବୁଦ୍ଧି ଏହି ଶାସ୍ତ୍ରର କୌଣସି ଏକ ଭୁଲ୍କୁ ଖୋଜି ତାହାକୁ ଦୃଢ଼ତାର ସହ ଧରିବ ଏବଂ ସେହି ବାହାନାରେ ସଂପୂର୍ଣ୍ଣ ଶାସ୍ତ୍ରକୁ ଭୁଲ ଆଖ୍ୟା ଦେଇ ପ୍ରତ୍ୟାଖ୍ୟାନ କରିବ । ବିଗତ ପାଞ୍ଚହଜାର ବର୍ଷରେ ଭଗବଦ୍ ଗୀତା ଉପରେ ଅନେକ ଭାଷ୍ୟ ରଚିତ ହୋଇଛି, ଏବଂ ଏହି ଦିବ୍ୟଜ୍ଞାନର ଅସଂଖ୍ୟ ପାଠକ ଅଛନ୍ତି, କିନ୍ତୁ କେତେଜଣଙ୍କର ଅର୍ଜୁନଙ୍କ ପରି ଜ୍ଞାନୋଦୟ ହୋଇଛି ? ଆମେ ଯଦି ବାସ୍ତବରେ ଜ୍ଞାନ ପ୍ରାପ୍ତ କରିବାକୁ ଇଚ୍ଛା କରୁଥାଏ, ତେବେ କେବଳ ଏହାକୁ ପଢ଼ିବା ଦ୍ୱାରା ନୁହେଁ, ବିଶ୍ୱାସ ଏବଂ ପ୍ରେମଯୁକ୍ତ ଶରଣାଗତି ମନୋଭାବ ଦ୍ୱାରା ତାଙ୍କର କୃପା ଭିକ୍ଷା କରିବା ଆବଶ୍ୟକ । ତାପରେ ତାଙ୍କ କୃପାରୁ ଭଗବଦ୍ ଗୀତାର ତାତ୍ପର୍ଯ୍ୟ ଆମେ ବୁଝିପାରିବା ।
ଅର୍ଜୁନ ଉବାଚ
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମୟାଚ୍ୟୁତ ।
ସ୍ଥିତୋଽସ୍ମି ଗତସନ୍ଦେହଃ କରିଷ୍ୟେ ବଚନଂ ତବ ।।୭୩।।
ଅର୍ଜୁନ କହିଲେ: ହେ ଅଚ୍ୟୁତ ! ଆପଣଙ୍କ କୃପାରୁ ମୋର ଭ୍ରମ ଦୂର ହୋଇଗଲା ଏବଂ ମୋର ଜ୍ଞାନୋଦୟ ହେଲା । ମୁଁ ଏବେ ଦ୍ୱନ୍ଦ୍ୱ ମୁକ୍ତ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily