ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।।୧୫।।
ଯଂ-ଯାହାକୁ; ହି-ନିଶ୍ଚିତଭାବେ; ନ -ନାହିଁ; ବ୍ୟଥୟନ୍ତି- ବ୍ୟଥିତ ହୁଅନ୍ତି; ଏତେ- ଏସବୁ; ପୁରୁଷଂ- ପୁରୁଷ; ପୁରୁଷର୍ଷଭ- ପୁରୁଷମାନଙ୍କ ମଧ୍ୟରେ ଉତ୍ତମ; ସମ -ସମଭାବ; ଦୁଃଖ -ଦୁଃଖ; ସୁଖଂ-ସୁଖ; ଧୀରଂ-ଅବିଚଳିତ; ସଃ-ସେ; ଅମୃତତ୍ୱାୟ -ମୁକ୍ତି ନିମିତ୍ତ; କଳ୍ପତେ-ଉପଯୁକ୍ତ ବିବେଚିତ ।
BG 2.15: ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ ।
ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ କହିଲେ ଯେ ଉଭୟ ସୁଖ ଓ ଦୁଃଖର ଅନୁଭୂତି ଅସ୍ଥାୟୀ ଅଟେ । ସେ ବର୍ତ୍ତମାନ ଅର୍ଜୁନଙ୍କୁ ବିବେକ ଯୁକ୍ତ ହୋଇ ଏପରି ଦ୍ୱନ୍ଦ୍ୱର ଉପରକୁ ଉଠିବାକୁ ଉତ୍ସାହିତ କରୁଛନ୍ତି । ଏପରି ବିଚାର ଶକ୍ତି ଉତ୍ପନ୍ନ କରିବା ପାଇଁ ଆମେ ପ୍ରଥମେ ଦୁଇଗୋଟି ମହତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ବୁଝିବା ଆବଶ୍ୟକ । ୧) ଆମେ କାହିଁକି ସୁଖ ଇଚ୍ଛା କରୁ? ୨) ମାୟିକ ସୁଖ ଆମକୁ ତୃପ୍ତି ଦିଏ ନାହିଁ କାହିଁକି?
ପ୍ରଥମ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସରଳ ଅଟେ । ଭଗବାନ ଅନନ୍ତ ସୁଖର ସାଗର ଅଟନ୍ତି ଏବଂ ଆମେସବୁ ଜୀବ ତା’ର ଏକ କ୍ଷୁଦ୍ର ଅଂଶ ଅଟୁ । ଅର୍ଥାତ୍, ଆମେ ଅନନ୍ତ ଆନନ୍ଦ ସିନ୍ଧୁର ଏକ କ୍ଷୁଦ୍ର ଅଂଶ ଅଟୁ । ସ୍ୱାମୀ ବିବେକାନନ୍ଦ ଲୋକଙ୍କୁ “ହେ ଚିରନ୍ତନ ଆନନ୍ଦର ସନ୍ତାନଗଣ” ଭାବରେ ସମ୍ବୋଧନ କରୁଥିଲେ । ଶିଶୁଟିଏ ତା’ର ମା’ ପ୍ରତି ଆକର୍ଷିତ ହେବା ପରି ପ୍ରତ୍ୟେକ ଅଂଶ ତାଙ୍କର ଅଂଶୀ ପ୍ରତି ସ୍ୱଭାବିକ ଭାବେ ଆକର୍ଷିତ ହୋଇଥାନ୍ତି । ସେହିପରି ଆମେସବୁ ଜୀବ ଆନନ୍ଦ ସିନ୍ଧୁର ଅତି କ୍ଷୁଦ୍ର ଅଂଶ ହୋଇଥିବାରୁ, ସେହି ସୁଖ ଆଡ଼କୁ ଆକର୍ଷିତ ହୋଇଥାଉ । ତେଣୁ ସଂସାରରେ ଆମେ ଯାହା ବି କରୁ ସୁଖ ପାଇଁ ହିଁ କରିଥାଉ । ଆନନ୍ଦ କେଉଁଠାରେ ଅଛି ଏବଂ ତାହାର ସ୍ୱରୂପ କ’ଣ, ଏସବୁ ବିଷୟରେ ଆମ୍ଭମାନଙ୍କର ମତ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସମସ୍ତ ଜୀବିତ ପ୍ରାଣୀ ଆନନ୍ଦ ବ୍ୟତୀତ ଅନ୍ୟ କିଛି ଖୋଜୁ ନାହାନ୍ତି । ଏହା ପ୍ରଥମ ପ୍ରଶ୍ନର ଉତ୍ତର ଅଟେ ।
ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନର ଉତ୍ତର ବୁଝିବା । ଆତ୍ମା ଭଗବାନଙ୍କର ସୂକ୍ଷ୍ମ ଅଂଶ ହୋଇଥିବା ଦୃଷ୍ଟିରୁ ଏହା ମଧ୍ୟ ଭଗବାନଙ୍କ ସଦୃଶ ଦିବ୍ୟ ଅଟେ । ତେଣୁ ଆତ୍ମା ଯେଉଁ ସୁଖର ସନ୍ଧାନ କରୁଛି ତାହା ମଧ୍ୟ ଦିବ୍ୟ ଅଟେ । ସେପରି ଆନନ୍ଦର ତିନୋଟି ଗୁଣ ଥିବା ଆବଶ୍ୟକ :
୧. ଏହା ଅନନ୍ତ ମାତ୍ରାର ହୋଇଥିବ,
୨. ଏହା ଚିରସ୍ଥାୟୀ ହୋଇଥିବ,
୩. ଏହା ନିତ୍ୟ ନୂତନ ହୋଇଥିବ ।
ଭଗବାନଙ୍କର ଆନନ୍ଦ ଏହିପରି ଅଟେ, ଯାହାକୁ ସତ୍-ଚିତ୍-ଆନନ୍ଦ ବା ନିତ୍ୟ-ଚୈତନ୍ୟ ଆନନ୍ଦର ସାଗର ଭାବରେ ବର୍ଣ୍ଣନା କରାଯାଇଥାଏ । କିନ୍ତୁ ଆମେ ଅନୁଭବ କରୁଥିବା ଇନ୍ଦ୍ରିୟର ବିଷୟସୁଖ ଏହାର ବିପରୀତ ଅଟେ । ଏହା ଅସ୍ଥାୟୀ, ସୀମିତ ଏବଂ ଜଡ଼ ଅଟେ । ତେଣୁ ଆମ ଶରୀର-ଇନ୍ଦ୍ରିୟ ଦ୍ୱାରା ଯେଉଁ ସଂସାରିକ ସୁଖ ଆମେ ଅନୁଭବ କରିଥାଉ, ତାହା ଆମର ଦିବ୍ୟ ଆତ୍ମାକୁ କେବେବି ସନ୍ତୁଷ୍ଟ କରିପାରିବ ନାହିଁ ।
ଏହିପରି ବିଚାର କରି, ଆମେ ସଂସାରିକ ସୁଖ ପ୍ରତି ଉଦାସୀନ ରହିବାକୁ ଅଭ୍ୟାସ କରିବା ଉଚିତ । ସେହିପରି ସଂସାରିକ ଦୁଃଖକୁ ମଧ୍ୟ ସହ୍ୟ କରିବା ଉଚିତ । (ଏହାର ଆଲୋଚନା ଆଗକୁ ଅନେକ ଶ୍ଳୋକରେ କରାଯାଇଛି, ଯଥା ୨.୪୮, ୫.୨୦ ଇତ୍ୟାଦି) । ତେବେଯାଇଁ ଆମେ ଏହି ଦ୍ୱୈତରୁ ଊର୍ଦ୍ଧକୁ ଉଠିପାରିବା ଏବଂ ମାୟାଶକ୍ତି ଆମକୁ ବାନ୍ଧି ପାରିବ ନାହିଁ ।
ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।।୧୫।।
ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ଯେଉଁ ବ୍ୟକ୍ତି ସୁଖ ଓ ଦୁଃଖ ଦ୍ୱାରା ପ୍ରଭାବିତ ହୁଏ ନାହିଁ ଏବଂ ଉଭୟ ସ୍ଥିତିରେ ଅବିଚଳିତ ରହେ, ସେ ମୁକ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily