ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ ।।୪୧।।
ବ୍ୟବସାୟାତ୍ମିକା- ସଂକଳ୍ପବଦ୍ଧ; ବୁଦ୍ଧିଃ-ବୁଦ୍ଧି; ଏକା-ଏକକ; ଇହ-ଏହି ମାର୍ଗରେ; କୁରୁନନ୍ଦନ-ହେ କୁରୁବଂଶଜ; ବହୁଶାଖା- ବହୁ ଶାଖା; ହି- ବାସ୍ତବିକ; ଅନନ୍ତାଃ-ଅନନ୍ତ; ଚ-ମଧ୍ୟ; ବୁଦ୍ଧୟଃ-ବୁଦ୍ଧି; ଅବ୍ୟବସାୟିନାମ୍-ଯେଉଁମାନେ ସଂକଳ୍ପବଦ୍ଧ ନୁହଁନ୍ତି ।
BG 2.41: ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ ପ୍ରତିଜ୍ଞ ନୁହଁନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ ।
ଆସକ୍ତି ମନର ଏକ ପ୍ରକ୍ରିୟା ଅଟେ । ମନ ଯାହା ପ୍ରତି ଆସକ୍ତ, ତା’ ପାଖକୁ ସେ ବାରମ୍ବାର ଯାଇଥାଏ । ସେହି ଆସକ୍ତି କୌଣସି ବ୍ୟକ୍ତି, ଇନ୍ଦ୍ରିୟ ବିଷୟ, ସମ୍ମାନ, ଶାରୀରିକ ବିଳାସ, ପରିସ୍ଥିତି ଇତ୍ୟାଦି ପ୍ରତି ହୋଇପାରେ । ଆମ ମନକୁ ଯଦି କୌଣସି ବ୍ୟକ୍ତି ବା ବସ୍ତୁର ଚିନ୍ତନ ବାରମ୍ବାର ଆସୁଥାଏ, ତେବେ ଏହା ଅନୁମେୟ ଯେ ମନ ତହିଁରେ ଆସକ୍ତ ରହିଛି । କିନ୍ତୁ ଆସକ୍ତି ଯଦି ମନର କାର୍ଯ୍ୟ ହୋଇଥାଏ, ତେବେ ଶ୍ରୀକୃଷ୍ଣ ଆସକ୍ତିକୁ ବୁଦ୍ଧି ସହିତ ଯୋଡ଼ୁଛନ୍ତି କାହିଁକି? ଆସକ୍ତି ଦୂର କରିବା ଦିଗରେ ବୁଦ୍ଧିର କିଛି ଭୂମିକା ଅଛି କି?
ଆମ ଶରୀର ମଧ୍ୟରେ ସୂକ୍ଷ୍ମ ଅନ୍ତଃକରଣ ରହିଛି, ଯାହାକୁ ସାଧାରଣତଃ ହୃଦୟ କୁହାଯାଇଥାଏ । ଏଥିରେ ମନ, ବୁଦ୍ଧି ଓ ଅହଂକାର ସମାହିତ । ଏହି ସୁକ୍ଷ୍ମ ଯନ୍ତ୍ରରେ ମନ ଠାରୁ ବୁଦ୍ଧି ଉନ୍ନତ ଅଟେ । ବୁଦ୍ଧି ନିର୍ଣ୍ଣୟ କରିଥାଏ ଏବଂ ସେହି ନିର୍ଣ୍ଣୟ ଅନୁସାରେ ମନ କାମନା ଉତ୍ପନ୍ନ କରି କାମ୍ୟ ବସ୍ତୁରେ ଆସକ୍ତି କରିଥାଏ । ଉଦାହରଣ ସ୍ୱରୂପ, ବୁଦ୍ଧି ଯଦି ନିଶ୍ଚୟ କରେ ଧନରେ ସୁଖ ଅଛି ତେବେ ମନ ଧନ ପାଇଁ ଲାଳାୟିତ ହୁଏ । ବୁଦ୍ଧି ଯଦି ନିଶ୍ଚୟ କରେ ଜୀବନରେ ସବୁଠାରୁ ମହତ୍ୱପୂର୍ଣ୍ଣ ଯଶ ଅଟେ, ତେବେ ମନ ଯଶ ଖ୍ୟାତି ପାଇଁ ଆଗ୍ରହୀ ହୁଏ । ଅର୍ଥାତ୍, ବୁଦ୍ଧିର ସହମତି ଅନୁସାରେ ହିଁ ମନ କାମନା ଉତ୍ପନ୍ନ କରେ ।
ସାରାଦିନ ଆମେ ମନକୁ ବୁଦ୍ଧି ଦ୍ୱାରା ନିୟନ୍ତ୍ରଣ କରିଥାଏ । ଘରେ ବସିଥିବା ସମୟରେ, ଆମେ ନିଜକୁ ଆରାମ ଲାଗିଲା ପରି ଠାଣିରେ ବସିଥାଏ କିନ୍ତୁ ଅଫିସରେ ବସିବା ସମୟରେ ଆମେ ଶିଷ୍ଟାଚାର ରକ୍ଷା କରି ଉପଯୁକ୍ତ ଠାଣିରେ ବସେ । ସେହି ଶିଷ୍ଟାଚାରକୁ ମନ ପସନ୍ଦ କରେ, ତାହା ନୁହେଁ । କିନ୍ତୁ ବୁଦ୍ଧି ନିଶ୍ଚୟ କରେ ଯେ ଅଫିସରେ ଔପଚାରିକତା ପୂର୍ଣ୍ଣ ବ୍ୟବହାର ଆବଶ୍ୟକ ଅଟେ । ଏହିପରି ଭାବରେ ବୁଦ୍ଧି ମନକୁ ନିୟନ୍ତ୍ରଣ କରେ ଏବଂ ମନର ଇଚ୍ଛା ବିରୁଦ୍ଧରେ ହୋଇଥିଲେ ବି ଆମେ ଔପଚାରିକତା ରକ୍ଷା କରି ଅଫିସରେ ଉପଯୁକ୍ତ ଠାଣିରେ ଦିନସାରା ବସିରହେ । ସେହିପରି ମନ ଅଫିସରେ କାମ କରିବାକୁ ଭଲପାଏ ନାହିଁ- ସୁଯୋଗ ମିଳିଲେ ସେ ଘରେ ବସି ଟେଲିଭିଜନ ଦେଖନ୍ତା । କିନ୍ତୁ ବୁଦ୍ଧି ନିର୍ଣ୍ଣୟ କରେ, ଜୀବିକା ଅର୍ଜନ ପାଇଁ ଅଫିସରେ କାମ କରିବା ଆବଶ୍ୟକ ଅଟେ । ତେଣୁ ବୁଦ୍ଧି ପୁଣି ମନ ଉପରେ ପ୍ରଭାବ ପକାଏ ଏବଂ ବ୍ୟକ୍ତି ପ୍ରତିଦିନ ଆଠଘଣ୍ଟା ବା ତାଠାରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅଫିସ୍ରେ କାମ କରେ ।
ଉପରୋକ୍ତ ସମସ୍ତ ଉଦାହରଣ ଏହା ଦର୍ଶାଇ ଥାଏ ଯେ, ମନକୁ ନିୟନ୍ତ୍ରଣ କରିବାକୁ ବୁଦ୍ଧିର କ୍ଷମତା ଅଛି । ସୁତରାଂ, ଆମେ ବୁଦ୍ଧିକୁ ଉପଯୁକ୍ତ ଜ୍ଞାନଦ୍ୱାରା ଋଦ୍ଧିମନ୍ତ କରି ମନକୁ ଠିକ ଦିଗରେ ପରିଚାଳିତ କରିବା ପାଇଁ ଏହାର ବ୍ୟବହାର କରିବା ଉଚିତ । “ଆମର ସମସ୍ତ କର୍ମ ଭଗବାନଙ୍କ ସୁଖ ନିମନ୍ତେ ଉଦ୍ଦିଷ୍ଟ”, ବୁଦ୍ଧିରେ ଏହା ଦୃଢ଼ ନିଶ୍ଚୟ କରି କର୍ମଫଳ ଠାରୁ ମନକୁ ହଟାଇବାର କଳା ବୁଦ୍ଧିଯୋଗ ଅଟେ । ଯାହାର ବୁଦ୍ଧି ଏପରି ଦୃଢ଼ ନିଶ୍ଚୟ, ସେ ନିଜର ଲକ୍ଷ୍ୟ ପ୍ରତି ଏକନିଷ୍ଠ ଥାଏ ଏବଂ ଧନୁରୁ ତୀର ବାହାରିଲା ପରି ଲକ୍ଷ୍ୟ ପଥରେ ଦ୍ରୁତ ବେଗରେ ଅଗ୍ରସର ହୋଇଥାଏ । ସାଧନାର ଉଚ୍ଚତର ସୋପାନରେ ଏହି ନିଶ୍ଚୟ ଏତେ ଦୃଢ ହୋଇଥାଏ ଯେ, କୌଣସି ବାଧା ସାଧକକୁ ତା’ର ଗନ୍ତବ୍ୟ ପଥରୁ ହଟାଇ ପାରେ ନାହିଁ । ସେ ଚିନ୍ତା କରିଥାଏ, “ମୋ ମାର୍ଗରେ ଲକ୍ଷ ଲକ୍ଷ ପ୍ରତିବନ୍ଧକ ଆସୁ, ସାରା ସଂସାର ମୋତେ ନିନ୍ଦା କରନ୍ତୁ, ମୋତେ ନିଜର ପ୍ରାଣ ତ୍ୟାଗ କରିବାକୁ ପଡୁ, ତଥାପି ମୁଁ ମୋର ସାଧନା ତ୍ୟାଗ କରିବି ନାହିଁ ।” କିନ୍ତୁ ଯାହାର ବୁଦ୍ଧି ଅନେକ ଶାଖାଯୁକ୍ତ ହୋଇଥାଏ, ତାଙ୍କର ମନ ବିଭିନ୍ନ ଦିଗକୁ ଧାଇଁବାରେ ଲାଗେ ଏବଂ ଭଗବାନଙ୍କ ଅଭିମୁଖରେ ଯିବା ପାଇଁ ମନର ଯେଉଁ ଏକାଗ୍ରତା ଆବଶ୍ୟକ, ତାହା ସେମାନେ ହାସଲ କରିପାରନ୍ତି ନାହିଁ ।
ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ ।।୪୧।।
ହେ କୁରୁବଂଶଜ! ଯେଉଁମାନେ ଏହି ମାର୍ଗର ଅନୁସରଣ କରନ୍ତି, ସେମାନଙ୍କର ବୁଦ୍ଧି ଦୃଢ଼ ପ୍ରତିଜ୍ଞ ଏବଂ ଲକ୍ଷ୍ୟ ଏକ କେନ୍ଦ୍ରାଭିମୁଖି ଅଟେ । କିନ୍ତୁ ଯେଉଁମାନେ ଦୃଢ଼ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily