ଯସ୍ତ୍ୱାତ୍ମରତିରେବ ସ୍ୱାଦାତ୍ମତୃପ୍ତଶ୍ଚ ମାନବଃ ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ ।। ୧୭ ।।
ଯ-ଯିଏ; ତୁ- କିନ୍ତୁ; ଅତ୍ମରତିଃ-ଆତ୍ମାର ଆନନ୍ଦ ଅନୁଭବ କରେ; ଏବ - ନିଶ୍ଚିତଭାବେ; ସ୍ୟାତ୍ - ରହେ; ଅତ୍ମତୃପ୍ତଃ - ଆତ୍ମସନ୍ତୁଷ୍ଟ; ଚ-ଏବଂ; ମାନବଃ- ମାନବ; ଆତ୍ମନି- ନିଜ ମଧ୍ୟରେ; ଏବ- କେବଳ; ଚ- ଏବଂ; ସନ୍ତୁଷ୍ଟ - ପୂର୍ଣ୍ଣରୂପେ ସନ୍ତୁଷ୍ଟ; ତସ୍ୟ- ତାହାର; କାର୍ଯ୍ୟଂ- କର୍ତ୍ତବ୍ୟ; ନ ବିଦ୍ୟତେ- ରହେ ନାହିଁ ।
BG 3.17: କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।
ଯେଉଁମାନେ ବାହ୍ୟ ବସ୍ତୁରେ ଆନନ୍ଦ ଉପଭୋଗ କରିବାର ଲାଲସା ତ୍ୟାଗ କରିଦିଅନ୍ତି, କେବଳ ସେହିମାନେ ହିଁ ଆତ୍ମାର ଆନନ୍ଦରେ ବିଭୋର ରହିପାରନ୍ତି । ଭୌତିକ କାମନା ହିଁ ବନ୍ଧନର ମୂଳ କାରଣ ଅଟେ । “ଏହା ହେବା ଉଚିତ; ତାହା ହେବା ଉଚିିତ୍ ନୁହେଁ । ଶ୍ରୀକୃଷ୍ଣ ଆଗକୁ (ଶ୍ଲୋକ ୩.୩୭) ଅଧିକ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି ଯେ, କାମନା ସମସ୍ତ ପାପର କାରଣ ଅଟେ, ତେଣୁ ତାହାକୁ ତ୍ୟାଗ କରାଯିବା ଉଚିତ । ପୂର୍ବ ବର୍ଣ୍ଣିତ (ଶ୍ଲୋକ ୨.୬୪ ସନ୍ଧର୍ଭ ଅନୁଯାୟୀ) ଏଠାରେ ଧ୍ୟାନ ଦିଆ ଯାଇପାରେ ଯେ, ଯେଉଁ କାମନାକୁ ଶ୍ରୀକୃଷ୍ଣ ତ୍ୟାଗ କରିବାକୁ କହୁଛନ୍ତି ତାହା ଭୌତିକ କାମନା ହିଁ ଅଟେ; ଆଧ୍ୟାତ୍ମିକ ପ୍ରଗତିର ଆକାଂକ୍ଷା ବା ଭଗବତ୍ ପ୍ରାପ୍ତିର କାମନା ନୁହେଁ ।
ତେବେ ଭୌତିକ କାମନା ଆମେ କାହିଁକି କରିଥାଉ? କାରଣ ଆମେ ଶରୀରକୁ ଆତ୍ମା ମନେ କରି ଶାରୀରିକ ସୁଖ କାମନାକୁ ଆତ୍ମାର କାମନା ମନେକରି ଥାଉ, ଯାହା ଆମକୁ ମାୟାର ଜଗତରେ ଘୂରାଇବାରେ ଲାଗିଥାଏ । ସନ୍ଥ ତୁଳସୀଦାସ କହନ୍ତି -
ଜୀବ ଜବ ତେ ହରି ତେ ବିଲଗାନୋ ତବ ତେ ଦେହ ଗେହ ନିଜ ମାନ୍ୟୋ,
ମାୟା ବଶ ସ୍ୱରୂପ ବିସରାୟୋ ତେହି ଭ୍ରମ ତେ ଦାରୁଣ ଦୁଃଖ ପାୟୋ ।।
“ଜୀବ ଯେତେବେଳେ ନିଜକୁ ଭଗବାନଙ୍କ ଠାରୁ ପୃଥକ କରିନେଲା, ମାୟାଶକ୍ତି ତାକୁ ଏକ ଭ୍ରମ ର ଆବରଣରେ ଢାଙ୍କି ଦେଲା । ସେହି ମାୟାର ଭ୍ରମରେ ସେ ନିଜକୁ ଶରୀର ରୂପରେ ଚିନ୍ତା କରିବାରେ ଲାଗିଲା ଏବଂ ସେହି ଦିନ ଠାରୁ ଆତ୍ମବିସ୍ମୃତ ହୋଇ ସେ ଅନେକ ଦୁଃଖକଷ୍ଟ ଅନୁଭବ କରୁଅଛି ।”
ଯେଉଁମାନେ ଜ୍ଞାନ ସମ୍ପନ୍ନ, ସେମାନେ ଅନୁଭବ କରନ୍ତି ଯେ ଆତ୍ମା ମାୟିକ ଗୁଣଯୁକ୍ତ ନୁହେଁ, ଦିବ୍ୟ ଅଟେ ଏବଂ ସେଥିପାଇଁ ଅବିନାଶୀ ଅଟେ । ସଂସାରର ବିନାଶଶୀଳ ବସ୍ତୁ ଅବିନାଶୀ ଆତ୍ମାର ତୁଷ୍ଣାକୁ ତୃପ୍ତ କରି ପାରିବ ନାହିଁ । ତେଣୁ ସାଂସାରିକ ବିଷୟ ପଛରେ ଗୋଡାଇ ସୁଖ ଆଶା କରିବା ମୁର୍ଖାମି ଅଟେ । ଆତ୍ମଜ୍ଞାନୀମାନେ ନିଜର ଚେତନାକୁ ଭଗବାନଙ୍କ ଠାରେ ସନ୍ନିବେଶିତ କରି ନିଜ ଭିତରେ ତାଙ୍କର ଅସୀମ ଆନନ୍ଦକୁ ଅନୁଭବ କରି ଥାଆନ୍ତି ।
ମାୟବଦ୍ଧ ଜୀବ ପାଇଁ ନିର୍ଦ୍ଧାରିତ କର୍ମ ଜ୍ଞାନୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନୁହେଁ, କାରଣ ସେମାନେ ସେହି ସବୁ କର୍ମର ଫଳ ପ୍ରାପ୍ତ କରିସାରି ଥାଆନ୍ତି । ଉଦାହରଣ ସ୍ୱରୂପ, ଜଣେ ଗୋଟିଏ ମହାବିଦ୍ୟାଳୟର ଛାତ୍ର ରହିଥିବା ଯାଏଁ, ତାଙ୍କୁ ବିଶ୍ୱବିଦ୍ୟାଳୟର ସମସ୍ତ ନିୟମ ମାନିବାକୁ ପଡିଥାଏ । କିନ୍ତୁ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ, ସେହି ସବୁ ନିୟମ ତାଙ୍କ ପ।।ଇଁ ନିରର୍ଥକ ହୋଇଯାଏ । ଏହିଭଳି ବିମୁକ୍ତ ଆତ୍ମାମାନଙ୍କ ପ୍ରତି କୁହାଯାଇଛି ଯେ, ବ୍ରହ୍ମବିତ୍ ଶ୍ରୁତି ମୂର୍ଧ୍ନୀ “ଯେଉଁ ମାନେ ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି ନିଅନ୍ତି, ସେମାନେ ବେଦର ମସ୍ତକରେ ପାଦରଖି ଚାଲନ୍ତି, ଅର୍ଥାତ୍ ସେମାନଙ୍କ ପାଇଁ ବେଦର ନିୟମ ପାଳନ କରିବା ଆବଶ୍ୟକ ହୋଇ ନ ଥାଏ ।
ବେଦର ଉଦ୍ଦେଶ୍ୟ ହେଉଛି ଆତ୍ମାକୁ ପରମାତ୍ମା ଭଗବାନଙ୍କ ସହିତ ମିଳିତ କରାଇବା । ଥରେ ଜୀବ ଉଗବତ୍ ପାପ୍ତ ହୋଇଯିବା ପରେ, ଜୀବକୁ ଲକ୍ଷ ସ୍ଥଳରେ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଥିବା ବେଦର ନିୟମ ଗୁଡିକ ପ୍ରଯୁଜ୍ୟ ହୋଇ ନ ଥାଏ । ଜୀବ ସେହି କ୍ଷେତ୍ରାଧିକାର ସୀମା ଅତିକ୍ରମ କରି ସାରିଥାଏ । ଉଦାହରଣ ସ୍ୱରୂପ, ଜଣେ ପୁରୋହିତ ବିବାହର କ୍ରିୟାନୁଷ୍ଠାନ କରି ଜଣେ ପୁରୁଷ ଓ ସ୍ତ୍ରୀ କୁ ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି । ବିବାହ କ୍ରିୟା ସମ୍ପନ୍ନ ହେବା ପରେ ସେ କୁହନ୍ତି, “ଆପଣମାନେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଅଟନ୍ତି ।” ଏହିଠାରେ ପୁରୋହିତଙ୍କର ଦାୟୀତ୍ୱ ସରିଗଲା । ତାପରେ ଯଦି ସ୍ତ୍ରୀ ଜଣକ କୁହନ୍ତି “ପୁରୋହିତ ମହାଶୟ! ବିବାହ ସମୟର ଶପଥ ଗୁଡିକୁ ମୋ ସ୍ୱାମୀ ପାଳନ କରୁନାହାନ୍ତି ।” ତେବେ ପୁରୋହିତ ଉତ୍ତର ଦେବେ, “ତାହା ମୋ ଦାୟୀତ୍ୱର ପରିସରଭୁକ୍ତ ନୁହେଁ । ମୋର କର୍ତ୍ତବ୍ୟ ଥିଲା ତୁମ ଦୁୁହିଁଙ୍କୁ ବିବାହ ସୂତ୍ରରେ ଏକତ୍ର କରିବା, ସେ କାର୍ଯ୍ୟ ସମାପ୍ତ ହୋଇଛି ।” ସେହିିପରି ବେଦର ନିୟମ ଗୁଡିକ ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଭଗବତ୍ ପ୍ରାପ୍ତି ହୋଇଯାଏ, ବେଦର ଦାୟୀତ୍ୱ ସମାପ୍ତ ହୋଇଥାଏ । ଏପରି ତତ୍ତ୍ୱଦର୍ଶୀ ଜୀବ ବେଦ ନିର୍ଦ୍ଧାରିତ କର୍ତ୍ତବ୍ୟ କର୍ମ କରିବାକୁ ବାଧ୍ୟ ନୁହଁନ୍ତି ।
ଯସ୍ତ୍ୱାତ୍ମରତିରେବ ସ୍ୱାଦାତ୍ମତୃପ୍ତଶ୍ଚ ମାନବଃ ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ ।। ୧୭ ।।
କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily