କର୍ମଣୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ ।
ଲୋକସଂଗ୍ରହମେବାପି ସଂପଶ୍ୟନ୍କର୍ତ୍ତୁମର୍ହସି ।ା ୨୦।।
ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ ।
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।। ୨୧ ।।
କର୍ମଣା - କର୍ମଯୋଗ , ଏବ -କେବଳ, ହି- ନିଶ୍ଚିତଭାବେ, ସଂସିଦ୍ଧିମ୍ - ପରିପୂର୍ଣ୍ଣତା; ଆସ୍ଥିତାଃ - ପ୍ରାପ୍ତ କରିବା; ଜନକଆଦୟଃ - ଜନକ ଆଦି ରାଜାମାନେ; ଲୋକ-ସଂଗ୍ରହମ୍ - ଜନକଲ୍ୟାଣ ନିମନ୍ତେ; ଏବ -କେବଳ; ଅପି - ମଧ୍ୟ; ସଂପଶ୍ୟନ୍ - ବିଚାର କରି, କର୍ତୁମ୍ ଅର୍ହସି - କରିବା ଉଚିତ୍; ଯତ୍ ଯତ୍ - ଯାହାକିଛି; ଆଚରତି - ଆଚରଣ କରନ୍ତି; ଶ୍ରେଷ୍ଠ - ସମ୍ମାନନୀୟ, ତତ୍ ତତ୍ - ତାହାସବୁ; ଏବ - ନିଶ୍ଚିତଭାବରେ; ଇତରଃ - ସାଧାରଣ, ଜନଃ -ଜନ; ସଃ- ସେମାନେ; ଯତ୍ - ଯାହା , ପ୍ରମାଣଂ - ପ୍ରମାଣ, କୁରୁତେ - କରନ୍ତି, ଲୋକଃ - ସମଗ୍ର ପୃଥିବୀ; ତତ୍ - ତାହା; ଅନୁବର୍ତତେ - ଅନୁସରଣ କରନ୍ତି ।
BG 3.20-21: ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।
ରାଜା ଜନକ, ରାଜା ହିସାବରେ ନିଜର ସାଂସାରିକ କର୍ତ୍ତବ୍ୟ ପାଳନ କରି, କର୍ମଯୋଗ ଦ୍ୱାରା ତାଙ୍କର ଚରମ ଲକ୍ଷ୍ୟ ପ୍ରାପ୍ତ କରିଥିଲେ । ଅତୀନ୍ଦ୍ରିୟ ସ୍ତରରେ ପହଞ୍ôଚବା ପରେ ମଧ୍ୟ ସେ ତାଙ୍କର ସାଂସାରିକ କର୍ମ କରୁଥିଲେ କେବଳ ଏଥିପାଇଁ ଯେ ତାହା ସଂସାର ସମ୍ମୁଖରେ ଅନୁସରଣ କରିବା ପାଇଁ ଏକ ଆଦର୍ଶ ପ୍ରସ୍ତୁତ କରିବ । ଅନେକ ସନ୍ଥ ଏହିପରି କାର୍ଯ୍ୟ କରିଥିଲେ ।
ମହାପୁରୁଷମାନଙ୍କର ଜୀବନ ଶୈଳୀକୁ ଲକ୍ଷ୍ୟ କରି ମାନବ ସମାଜ ସେହି ଆଦର୍ଶରେ ଅନୁପ୍ରାଣୀତ ହୋଇଥାଏ । ସେମାନେ,ଏକ ଆଦର୍ଶ ଭାବରେ ସମାଜକୁ ପ୍ରେରଣା ଯୋଗାଇ ଥାଆନ୍ତି ଏବଂ ଜନସମାଜ ସମ୍ମୁଖରେ ଅନୁସରଣ କରିବା ଯୋଗ୍ୟ ଏକ ଜଳ୍ୱନ୍ତ ତାରକା ସଦୃଶ ଉଦ୍ଭାସିତ ହୁଅନ୍ତି । ସେଥିପାଇଁ ସମାଜର ନେତୃବୃନ୍ଦ ସେମାନଙ୍କର ବାଣୀ, କାର୍ଯ୍ୟ ଓ ଚରିତ୍ର ଦ୍ୱାରା ସମାଜ ସମ୍ମୁଖରେ ଉଚ୍ଚ ଆଦର୍ଶ ସ୍ଥାପିତ କରିବା ଉଚିତ୍, ଯାହା ସମାଜକୁ ପ୍ରେରଣା ଯୋଗାଇ ପାରିବ । ସଜ୍ଜନ ନେତୃବର୍ଗ ସମ୍ମୁଖରେ ରହିଲେ, ସମାଜର ନୈତିକତା, ନିସ୍ୱାର୍ଥପରତା ଓ ଆଧ୍ୟାତ୍ମିକତା ଆପେ ଆପେ ବୃଦ୍ଧିପାଏ । କିନ୍ତୁ ଯେତେବେଳେ ନୀତିବାନ ନେତାଙ୍କର ଅଭାବ ଦୃଷ୍ଟିଗୋଚର ହୁଏ, ସମାଜ ସମ୍ମୁଖରେ ଅନୁସରଣ କରିବା ପାଇଁ କୌଣସି ଆଦର୍ଶ ନ ଥାଏ, ସେତେବେଳେ ସମାଜ ସ୍ୱାର୍ଥପରତା, ଅନୈତିକତା ଓ ଆଧ୍ୟାତ୍ମିକ ଅଧଃପତନ ଆଡକୁ ଗତି କରିଥାଏ । ସେଥିପାଇଁ ମହାନ ବ୍ୟକ୍ତିମାନେ ସମାଜରେ ଏକ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ଆଚରଣ କରିବା ଉଚିତ୍ । ଯଦିଓ ସେମାନେ ଚେତନାର ଅତ୍ୟୁଚ୍ଚ ସ୍ତରକୁ ଉନ୍ନୀତ ହୋଇଯାଇ ଥାଆନ୍ତି ଏବଂ ସେମାନଙ୍କ ପାଇଁ ବୈଦକ କର୍ମ କରିବାର ଆବଶ୍ୟକତା ନ ଥାଏ, ତଥାପି ଅନ୍ୟ ମାନଙ୍କୁ ବୈଦିକ କର୍ମ କରିବା ଦିଗରେ ଉତ୍ସାହିତ କରିବା ପାଇଁ ସେମାନେ କର୍ମ କରିଥାଆନ୍ତି ।
ସମାଜର ଜଣେ ଅଧିନାୟକ ଯଦି କର୍ମତ୍ୟାଗ କରି କର୍ମସନ୍ୟାସୀ ହୋଇଯାଆନ୍ତି, ତେବେ ଅନ୍ୟମାନେ ପାଇଁ ତାହା ଏକ ବିଭ୍ରାନ୍ତିକର ଉଦାହରଣ ସୃଷ୍ଟି କରିବ । ସେହି ବ୍ୟକ୍ତି ଜଣକ ଦିବ୍ୟଜ୍ଞାନଯୁକ୍ତ ହୋଇଥାଇ ପାରନ୍ତି ଏବଂ କର୍ମତ୍ୟାଗ କରି ଆଧ୍ୟାତ୍ମିକତାରେ ପୂର୍ଣ୍ଣ ନିୟୋଜିତ ହୋଇଯିବାର ସମସ୍ତ ଯୋଗ୍ୟତା ତାଙ୍କର ଥାଇପାରେ, କିନ୍ତୁ ତାଙ୍କର ଦ୍ୱାହି ଦେଇ ସମାଜର ଅନ୍ୟମାନେ ସାଂସାରିକ କର୍ତ୍ତବ୍ୟରୁ ପଳାୟନ କରିପାରନ୍ତି । ଏପରି ପଳାୟନ ପନ୍ଥୀମାନେ ଶଙ୍କରାଚାର୍ଯ୍ୟ. ମାଧ୍ୱାଚାର୍ଯ୍ୟ . ନିମ୍ବକାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୂଙ୍କ ପରି ମହାନ କର୍ମ ସନ୍ୟାସୀମାନଙ୍କର ଉଦାହରଣ ଦେଇଥାନ୍ତି । ସେହି ମହାପୁରୁଷମାନଙ୍କର ପଦାଙ୍କ ଅନୁସରଣ କରି ଶଠମାନେ ମଧ୍ୟ ସାଂସାରିକ କର୍ମ ତ୍ୟାଗ କରି ସନ୍ୟାସ ଗ୍ରହଣ କରିଥାନ୍ତି, ଯଦିଓ ସେଥିପାଇଁ ଆବଶ୍ୟକ ଥିବା ଅନ୍ତଃକରଣ ଶୁଦ୍ଧିର ଶର୍ତ୍ତ ସେମାନେ ହାସଲ କରି ନ ଥାନ୍ତି । ଭାରତରେ ହଜାର ହଜାର ସଂଖ୍ୟାର ଏପରି ସାଧୁ ଦେଖିବାକୁ ମିଳିଥାଆନ୍ତି । ସେମାନେ ପ୍ରସିଦ୍ଧ ସନ୍ୟାସୀମାନଙ୍କର ନକଲ କରି ଗେରୁଆ ବସ୍ତ୍ର ଧାରଣ କରିଥାନ୍ତି, ଅଥଚ ଆନ୍ତରିକ ସ୍ତରରେ ଦିବ୍ୟ ଜ୍ଞାନ ବା ଆନନ୍ଦ ପ୍ରାପ୍ତ କରି ନ ଥାନ୍ତି । ବାହ୍ୟ ଦୃଷ୍ଟିରୁ ତ୍ୟାଗୀ ହୋଇଥିଲେ ମଧ୍ୟ ସେମାନଙ୍କର ସ୍ୱଭାବ ସେମାନଙ୍କୁ ଆନନ୍ଦ ଅନ୍ୱେଷଣ କରିବାକୁ ବାଧ୍ୟ କରିଥାଏ ଏବଂ ଈଶ୍ୱରୀୟ ଦିବ୍ୟ ଆନନ୍ଦ ପରିବର୍ତ୍ତେ, ସେମାନେ ମାଦକ ଦ୍ରବ୍ୟର ଆନନ୍ଦ ପରି ନିମ୍ନସ୍ତରର ଆନନ୍ଦରେ ଲିପ୍ତ ହୋଇଯାଆନ୍ତି । ଏହିପରି ଭାବରେ ସେମାନେ ଜଣେ ଗୃହସ୍ଥ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ନିମ୍ନ ସ୍ତରକୁ ଖସିଯାଆନ୍ତି । ନିମ୍ନଲିଖିତ ପଦରେ ତାହା ବର୍ଣ୍ଣନା କରାଯାଇଛି :
ବ୍ରହ୍ମଜ୍ଞାନ ଜାନ୍ୟୋ ନହିଁ, କର୍ମ ଦିୟେ ଛିଟକାୟ,
ତୁଲସୀ ଐସୀ ଆତ୍ମା ସହଜ ନରକ ମହଁ ଜାୟ ।
ସନ୍ଥ ତୁଳସୀ ଦାସ କହୁଛନ୍ତି, “ଯେଉଁ ବ୍ୟକ୍ତି ବ୍ରହ୍ମଜ୍ଞାନ ଦ୍ୱାରା ନିଜର ଅନ୍ତଃକରଣକୁ ଉଦ୍ଭାସିତ ନ କରି, ସାଂସାରିକ କର୍ମ ତ୍ୟାଗ କରିଥାଏ, ସେ ଅତି ଶୀଘ୍ର ନର୍କ ଅଭିମୁଖରେ ଅଗ୍ରସର ହୁଏ । ”
ଅପର ପକ୍ଷରେ, ମହାପୁରୁଷମାନେ ଯଦି କର୍ମଯୋଗୀ ହୋଇଥାଆନ୍ତି, ତାଙ୍କର ଅନୁଗାମୀମାନେ ଅତି କମ୍ରେ ନିଜ ନିଜର କର୍ମ କରିବେ ଏବଂ ଉତ୍ତମ ରୂପେ ନିଜର ଦାୟୀତ୍ୱ ପାଳନ କରିବେ । ଏହା ତାଙ୍କର ମନ ବୁଦ୍ଧିକୁ ଶୃଙ୍ଖଳିତ କରି କ୍ରମଶଃ ଦିବ୍ୟ ସ୍ତରକୁ ଉନ୍ନୀତ ହେବାରେ ତାଙ୍କର ସହାୟତା କରିବ । ଅତଏବ, ସମାଜ ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମଯୋଗ ଆଚରଣ କରିବାକୁ କହୁଛନ୍ତି । ଏହି କଥାକୁ ବର୍ଣ୍ଣନା କରିବା ପାଇଁ ସେ ବର୍ତ୍ତମାନ ନିଜର ଉଦାହରଣ ଦେଉଛନ୍ତି ।
କର୍ମଣୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ ।
ଲୋକସଂଗ୍ରହମେବାପି ସଂପଶ୍ୟନ୍କର୍ତ୍ତୁମର୍ହସି ।ା ୨୦।।
ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ ।
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।। ୨୧ ।।
ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily