ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ନିୟତମାନସଃ ।
ଶାନ୍ତିଂ ନିର୍ବାଣପରମାଂ ମତ୍ସଂସ୍ଥାମଧିଗଚ୍ଛତି ।।୧୫।।
ଯୁଞ୍ଜନ୍ - ମନକୁ ଭଗବାନଙ୍କ ଠାରେ ତଲ୍ଲୀନ କରି; ଏବଂ- ଏହିପରି; ସଦା-ନିରନ୍ତର; ଆତ୍ମାନଂ -ମନ ; ଯୋଗୀ-ଯୋଗୀ; ନିୟତ-ମାନସଃ- ଯାହାର ମନ ସଂଯତ; ଶାନ୍ତିଂ -ଶାନ୍ତି; ନିର୍ବାଣ - ଭୌତିକ ବନ୍ଧନରୁ ମୁକ୍ତି;ପରମାଂ -ସର୍ବୋଚ୍ଚ; ମତ୍-ସଂସ୍ଥାମ୍ -ମୋର ସ୍ଥାନ; ଅଧିଗଚ୍ଛତି - ପ୍ରାପ୍ତ ହୁଏ ।
BG 6.15: ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ ମୋ ସହିତ ରହିଥାଏ ।
ସମଗ୍ର ପୃଥିବୀରେ ଧ୍ୟାନ କରିବାର ଅନେକ ପଦ୍ଧତି ପ୍ରଚଳିତ - ଜୈନ ପଦ୍ଧତି, ବୌଦ୍ଧ ପଦ୍ଧତି, ତାନ୍ତ୍ରିକ ପଦ୍ଧତି, ତାଓ ପଦ୍ଧତି, ବୈଦିକ ପଦ୍ଧତି ଇତ୍ୟାଦି । ପ୍ରତ୍ୟେକଙ୍କର ଅନେକ ଉପଶାଖା ମଧ୍ୟ ରହିଛି । କେବଳ ହିନ୍ଦୁ ଧର୍ମାବଲମ୍ବୀମାନେ ହିଁ ଅସଂଖ୍ୟ ପଦ୍ଧତି ବ୍ୟବହାର କରିଥାଆନ୍ତି । ସେଥି ମଧ୍ୟରୁ ନିଜ ଅଭ୍ୟାସ ପାଇଁ ଆମେ ପଦ୍ଧତିର ଅନୁସରଣ କରିବା? ଶ୍ରୀକୃଷ୍ଣ ଏହି ସମସ୍ୟାର ସମାଧାନ ଅତି ସହଜରେ କରିଦେଇଛନ୍ତି । ସେ କହିଛନ୍ତି ଯେ, ଧ୍ୟାନର ବସ୍ତୁ କେବଳ ସେ ନିଜେ ଭଗବାନ ହିଁ ଅଟନ୍ତି ।
ଧ୍ୟାନରେ ଉଦ୍ଦେଶ୍ୟ କେବଳ ମନର ଏକାଗ୍ରତା ଓ ନିଷ୍ଠାକୁ ବୃଦ୍ଧି କରିବା ନୁହେଁ, ବରଂ ଅନ୍ତଃକରଣ ଶୁଦ୍ଧି ମଧ୍ୟ ଅଟେ । ଶ୍ୱାସ, ଚକ୍ର, ଶୂନ୍ୟ, ଜ୍ୟୋତି ଇତ୍ୟାଦିର ଧ୍ୟାନ ଏକଗ୍ରତା ବୃଦ୍ଧିରେ ସାହାଯ୍ୟ କରିଥାଏ । କିନ୍ତୁ ମନର ଶୁଦ୍ଧତା ସେତେବେଳେ ହିଁ ସମ୍ଭବ ହୁଏ, ଯେତେବେଳେ ଆମେ ଗୋଟିଏ ପୂର୍ଣ୍ଣ-ଶୁଦ୍ଧ ବସ୍ତୁର ଧ୍ୟାନ କରେ, ଯାହାକି ସ୍ୱୟଂ ଭଗବାନ ଅଟନ୍ତି । ଶ୍ଲୋକ ୧୪/୨୬ କହେ, ଭଗବାନଙ୍କର ସ୍ଥିତି ତ୍ରିଗୁଣାତ୍ମିକା ମାୟାର ଉର୍ଦ୍ଧ୍ୱରେ ଏବଂ ଯେତେବେଳେ ଜଣେ ତାଙ୍କ ଠାରେ ମନୋନିବେଶ କରେ, ସେ ମଧ୍ୟ ଏହି ତିି୍ରଗୁଣର ଊର୍ଦ୍ଧ୍ୱକୁ ଚାଲିଯାଏ । ପ୍ରାଣର ଧ୍ୟାନ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଧ୍ୟାନକୁ ଦିବ୍ୟ-ଅତୀନ୍ଦ୍ରିୟ କହିଥାନ୍ତି, କିନ୍ତୁ ବାସ୍ତବ ଦିବ୍ୟ ଧ୍ୟାନ କେବଳ ଭଗବାନଙ୍କର ଧ୍ୟାନ ହିଁ ଅଟେ ।
ତେବେ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବାର ଉପାୟ କ’ଣ? ଭଗବାନଙ୍କର ସମସ୍ତ ଦିବ୍ୟ ବୈଶିଷ୍ଟ୍ୟ ଯଥା -ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ସନ୍ଥ ଇତ୍ୟାଦିଙ୍କୁ ଆମେ ଧ୍ୟାନର ବିଷୟ କରିପାରିବା । ଏମାନେ ସମସ୍ତେ ଭଗବାନଙ୍କଠାରୁ ଅଭିନ୍ନ ଅଟନ୍ତି ଏବଂ ତାଙ୍କର ସମସ୍ତ ଶକ୍ତିଯୁକ୍ତ ଅଟନ୍ତି । ତନ୍ମଧ୍ୟରୁ ଯେ କୌଣସି ଗୋଟିଏ ବୈଶିଷ୍ଟ୍ୟର ଧ୍ୟାନ କରି, ଭକ୍ତ ଭଗବାନଙ୍କର ଧ୍ୟାନ କରିବାର ସମସ୍ତ ଲାଭ ପାଇପାରିବ । ଭାରତର ବିଭିନ୍ନ ଭକ୍ତି ପରମ୍ପରାରେ, ଭଗବାନଙ୍କର ନାମକୁ ହିଁ ଧ୍ୟାନର ଆଧାର ରୂପେ ଗ୍ରହଣ କରାଯାଇଥାଏ । ତେଣୁ ରାମାୟଣ କହେ;
ବ୍ରହ୍ମ ରାମ ତେଁ ନାମୁ ବଡ, ବର ଦାୟକ ବର ଦାନି
“ଜୀବର ସ୍ୱାର୍ଥ ଦୃଷ୍ଟିରୁ, ଭଗବାନଙ୍କର ନାମ ଭଗବାନଙ୍କ ଠାରୁ ବଡ଼ ଅଟେ ।” ଭଗବାନଙ୍କୁ ସ୍ମରଣ କରିବାର ଏକ ସୁବିଧାଜନକ ଉପାୟ ହେଉଛି ଭଗବାନଙ୍କର ନାମ ଗ୍ରହଣ କରିବା କାରଣ ଏହା ଯେ କୌଣସି ସ୍ଥାନରେ, ଯେ କୌଣସି ଅବସ୍ଥାରେ କରାଯାଇ ପାରିବ - ଚାଲିବା, ବସିବା, ଖାଇବା ଇତ୍ୟାଦି ।
କିନ୍ତୁ, ଅଧିକାଂଶ ସାଧକଙ୍କ ପାଇଁ କେବଳ ନାମ ଗ୍ରହଣ, ମନକୁ ଭଗବାନଙ୍କ ଠାରେ ଲଗାଇ ରଖିବା ନିମନ୍ତେ ଯଥେଷ୍ଟ ହୋଇ ନ ଥାଏ । ଅନନ୍ତ ଜନ୍ମର ସଂସ୍କାର ବଶତଃ ମନ ରୂପ ପ୍ରତି ଅଧିକ ଆକୃଷ୍ଟ ହୋଇଥାଏ । ସୁତରାଂ, ଭଗବାନଙ୍କର ରୂପକୁ ଆଧାର କରି ଧ୍ୟାନ କରିବା ସ୍ୱାଭାବିକ ଓ ସହଜ ହୋଇଥାଏ । ଏହାକୁ ରୂପ ଧ୍ୟାନ ସାଧନା କୁହାଯାଏ ।
ମନ ଭଗବାନଙ୍କ ରୂପରେ କେନ୍ଦ୍ରିତ ହୋଇଯିବା ପରେ, ଆମେ ଭଗବାନଙ୍କ ଗୁଣର ଧ୍ୟାନ କରି ତାହାକୁ ଅଧିକ ସରସ କରି ପାରିବା, ଯେମିତି ତାଙ୍କର କୃପା, ସୌନ୍ଦର୍ଯ୍ୟ, ଜ୍ଞାନ, ପ୍ରେମ, ଦୟାଳୁତା, ଅନୁକମ୍ପା ଇତ୍ୟାଦି । ଧ୍ୟାନକୁ ଆହୁରି ଉନ୍ନତ କରିବା ପାଇଁ ଆମେ ମନରେ ଭଗବାନଙ୍କର ସେବା ମଧ୍ୟ କରିପାରିବା । ମନରେ ଆମେ ଭାବିପାରିବା ଯେ ଆମେ ତାଙ୍କୁ ଖାଦ୍ୟ ଅର୍ପଣ କରୁଛୁ, ତାଙ୍କର ପୂଜା କରୁଛୁ, ତାଙ୍କୁ ଗୀତ ଗାଇ ଶୁଣାଉଛୁ, ତାଙ୍କର ପଦ ମଞ୍ଚାଳନ କରୁଛୁ, ତାଙ୍କୁ ପଙ୍ଖା କରୁଛୁ, ତାଙ୍କୁ ଗାଧୋଇ ଦେଉଛୁ, ତାଙ୍କ ପାଇଁ ରୋଷେଇ କରୁଛୁ ଇତ୍ୟାଦି । ଏହାକୁ ମାନସୀ ସେବା (ମନରେ ଭଗବାନଙ୍କ ସେବା) କୁହାଯାଏ । ଏହିପରି ଭାବରେ ଆମେ ଭଗବାନଙ୍କର ନାମ, ରୂପ, ଲୀଳା, ଗୁଣ, ଧାମ ଇତ୍ୟାଦିର ଧ୍ୟାନ କରି ପାରିବା । ମନକୁ ତାଙ୍କଠାରେ ଧ୍ୟାନସ୍ଥ ରଖିବା ପାଇଁ, ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିବା ଉପାୟ ସବୁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏହି ଶ୍ଳୋକର ଅନ୍ତରେ ଶ୍ରୀକୃଷ୍ଣ ଧ୍ୟାନର ସର୍ବୋତ୍ତମ ଉପକାରିତା ବିଷୟରେ ଦର୍ଶାଇଛନ୍ତି, ଯାହାକି ମାୟାରୁ ମୁକ୍ତି ଏବଂ ଭଗବତ୍ ପ୍ରାପ୍ତିର ଚିରନ୍ତନ ଲାଭ ଅଟେ ।
ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ନିୟତମାନସଃ ।
ଶାନ୍ତିଂ ନିର୍ବାଣପରମାଂ ମତ୍ସଂସ୍ଥାମଧିଗଚ୍ଛତି ।।୧୫।।
ଏହିପରି ଭାବରେ, ଯେଉଁ ଯୋଗୀ ମନକୁ ବଶ କରି, ନିରନ୍ତର ମୋ ଠାରେ ମନକୁ ନିମଜ୍ଜିତ ରଖିଥାଏ, ସେ ନିର୍ବାଣ ପ୍ରାପ୍ତି କରେ ଏବଂ ପରମ ଶାନ୍ତିରେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily