ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେ ତାତ୍ମୈବ ଶତ୍ରୁବତ୍ ।।୬।।
ବନ୍ଧୁଃ - ବନ୍ଧୁ; ଆତ୍ମା-ମନ; ଆତ୍ମନଃ - ଜୀବର; ତସ୍ୟ - ତାହାର; ଯେନ-ଯାହାଦ୍ୱାରା; ଆତ୍ମା-ମନ; ଏବ- ନିଶ୍ଚିତଭାବେ; ଆତ୍ମନା-ଜୀବଦ୍ୱାରା; ଜିତଃ - ଜୟ କରି; ଅନାତ୍ମନଃ - ଯାହାର ମନ ଅସଂଯତ; ତୁ-କିନ୍ତୁ; ଶତ୍ରୁତ୍ୱେ - ଶତ୍ରୁ ପାଇଁ; ବର୍ତେତ - ରହେ; ଆତ୍ମାଏବ - ସେହି ମନ; ଶତ୍ରୁବତ୍ - ଶତ୍ରୁପରି ।
BG 6.6: ଯେଉଁମାନେ ମନକୁ ଜୟ କରିପାରିଛନ୍ତି, ତାହା ତାଙ୍କର ବନ୍ଧୁ ଅଟେ । ଯେଉଁମାନେ ସେପରି କରିବାରେ ବିଫଳ ହୋଇଥାଆନ୍ତି, ସେମାନଙ୍କ ପାଇଁ ମନ ଏକ ଶତ୍ରୁ ଭାବରେ କାର୍ଯ୍ୟ କରିଥାଏ ।
ଯେଉଁମାନଙ୍କୁ ଆମେ ନିଜର ଶତ୍ରୁ ଅଥବା ଆମ ପାଇଁ ହାନିକାରକ ମନେ କରିଥାଏ, ସେମାନଙ୍କ ସହିତ ଲଢେଇ କରି ଆମେ ନିଜ ବିଚାର ଶକ୍ତି ଏବଂ କ୍ଷମତାର ବହୁତ ବଡ ଅଂଶର ବୃଥା ଅପଚୟ କରିଥାଏ । ବେଦ-ଶାସ୍ତ୍ର କହେ, କାମ, କ୍ରୋଧ, ଲୋଭ, ଈର୍ଷା, ଭ୍ରାନ୍ତି, ଆଦି ଆମର ବଡ ବଡ ଶତ୍ରୁମାନେ ଆମ ମନ ମଧ୍ୟରେ ନିବାସ କରିଥାଆନ୍ତି । ବାହ୍ୟ ଶତ୍ରୁ ଅପେକ୍ଷା ଏହି ଆଭ୍ୟନ୍ତରୀଣ ଶତ୍ରୁମାନେ ଅଧିକ ହାନିକାରକ ଅଟନ୍ତି । ବାହ୍ୟ ରାକ୍ଷସମାନେ ଆମକୁ କିଛି ସମୟ ପାଇଁ ଆଘାତ ଦେଇପାରନ୍ତି, କିନ୍ତୁ ଆମ ମନ ଭିତରେ ବସିଥିବା ରାକ୍ଷସମାନେ ଆମକୁ ସର୍ବଦା ଦୟନୀୟ ସ୍ଥିତିରେ ପକାଇବାର କ୍ଷମତା ରଖିଥାଆନ୍ତି । ଆମ୍ଭେମାନେ ଏପରି କିଛି ବ୍ୟକ୍ତିଙ୍କୁ ଜାଣିଥିବା ଯେଉଁମାନେ ସଂସାରରେ ସବୁକିଛି ତାଙ୍କର ଅନୁକୁଳ ଥାଇ ସୁଦ୍ଧା, ନିଜ ମନର ଅବସାଦ, ଘୃଣା, ଉତ୍କଷ୍ଠା ଏବଂ ଚାପ ଇତ୍ୟାଦି ଦ୍ୱାରା ନିରନ୍ତର ପୀଡିତ ହୋଇ ଦୟନୀୟ ଜୀବନଯାପନ କରୁଥାଆନ୍ତି ।
ବୈଦିକ ଦର୍ଶନ ବିଚାରର ପ୍ରଭାବ ଉପରେ ବହୁତ ଗୁରୁତ୍ୱ ଦେଇଥାଏ । ଅସୁସ୍ଥତା କେବଳ ଜୀବାଣୁ ଓ ଭୂତାଣୁ ଦ୍ୱାରା ହେଇ ନ ଥାଏ, ଏହା ଆମେ ମନରେ ପୋଷଣ କରୁଥିବା ନକାରାତ୍ମକ ବିଚାର ଦ୍ୱାରା ମଧ୍ୟ ହୋଇଥାଏ । ଭୁଲବଶତଃ କେହି ଜଣେ ଯଦି ଆପଣଙ୍କ ଉପରକୁ ପଥରଟିଏ ଫିଙ୍ଗି ଦିଅନ୍ତି, ତେବେ ତାହା ଆପଣଙ୍କୁ ସ୍ୱଳ୍ପ ସମୟ ପାଇଁ କଷ୍ଟ ଦେଇପାରେ ଏବଂ ସମ୍ଭବତଃ ପରଦିନ ସୁଦ୍ଧା ଆପଣ ତାହାକୁ ଭୁଲିଯାଇ ପାରନ୍ତି । କିନ୍ତୁ କେହି ଜଣେ ଯଦି ଆପଣଙ୍କୁ ଅପମାନିତ କରନ୍ତି, ତେବେ ତାହା ବର୍ଷ ବର୍ଷ ଧରି ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ଚିନ୍ତନର ଶକ୍ତି ଏତେ ପ୍ରବଳ! ବୌଦ୍ଧ ସାହିତ୍ୟର ଧମ୍ମପଦରେ (୧.୩) ବୁଦ୍ଧଦେବ ଏହି ସତ୍ୟକୁ ଅତ୍ୟନ୍ତ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି:
“ମୁଁ ଅପମାନିତ ହୋଇଛି! ମୁଁ କଷ୍ଟ ପାଇଛି! ମୁଁ ମାଡ଼ ଖାଇଛି! ମୁଁ ଲୁଣ୍ଠିତ ହୋଇଛି!” ଏହିପରି ଭାବନା ପୋଷଣ କରୁଥିବା ବ୍ୟକ୍ତିଙ୍କର ଯନ୍ତ୍ରଣାର ଅନ୍ତ ହୁଏ ନାହିଁ । “ମୁଁ ଅପମାନିତ ହୋଇଛି! ମୁଁ କଷ୍ଟ ପାଇଛି । ମୁଁ ମାଡ଼ ଖାଉଛି । ମୁଁ ଲୁଣ୍ଠିତ ହୋଇଛି!” ଯେଉଁମାନେ ଏହିପରି ଭାବନା ପୋଷଣ କରନ୍ତି ନାହିଁ, ସେମାନଙ୍କ କ୍ରୋଧର ଅନ୍ତ ହୋଇଯାଏ ।”
ଆମେ ଯେତେବେଳେ ମନରେ ଘୃଣା ଭାବ ପୋଷଣ କରେ, ଆମର ନକାରାତ୍ମକ ବିଚାର, ଘୃଣାର ପାତ୍ର ଅପେକ୍ଷା, ଆମର ହିଁ ଅଧିକ ହାନି କରିଥାଏ । ଏହା ଯଥାର୍ଥରେ କୁହାଯାଇ ଥାଏ ଯେ “ଘୃଣା ଏପରି ଏକ ଭାବନା ଅଟେ, ଯେପରି ନିଜେ ବିଷ ପାନ କରି ଅନ୍ୟର ମୃତ୍ୟୁ ଆଶା କରିବା ।” ଏଠାରେ ସମସ୍ୟା ଏହା ଯେ ନିଜ ବିଶୃଙ୍ଖଳିତ ମନ ହିଁ ତାଙ୍କର ସର୍ବାଧିକ କ୍ଷତି କରୁଛି, ଅଧିକାଂଶ ବ୍ୟକ୍ତି ତାହା ଉପଲବ୍ଧି କରନ୍ତି ନାହିଁ । ସେଥିପାଇଁ ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏହି ଉପଦେଶ ଦେଇଛନ୍ତି:
ମନ କୋ ମାନୋ ଶତ୍ରୁ ଉସ୍କୀ, ସୁନହୁ ଜନି କଛୁ ପ୍ୟାରେ (ସାଧନ ଭକ୍ତି ତତ୍ତ୍ୱ)
“ପ୍ରିୟ ସାଧକ, ବିଶୃଙ୍ଖଳିତ ମନକୁ ନିଜର ଶତ୍ରୁ ମନେକରି ତା’ କଥାକୁ କର୍ଣ୍ଣପାତ କର ନାହିଁ ।
ଅତଏବ, ଆଧ୍ୟାତ୍ମିକ ସାଧନା ଦ୍ୱାରା ଆମେ ଯଦି ମନକୁ ବୁଦ୍ଧିର ନିୟନ୍ତ୍ରଣରେ ରଖିପାରିବା, ତେବେ ତା’ଠାରେ ଆମର ପରମ ମିତ୍ର ହେବାର କ୍ଷମତା ରହିଛି । ଯିଏ ଯେତେ ଶକ୍ତିଶାଳୀ, ତାହାର ସଦୁପଯୋଗ ହେବାର ସମ୍ଭାବନା ଯେତେ ଅଧିକ, ଦୁରୁପଯୋଗ ହେବାର ଭୟ ମଧ୍ୟ ସେତେ ଅଧିକ । ମନ ନାମକ ଯେଉଁ ଶକ୍ତିଶାଳୀ ଯନ୍ତ୍ରଟି ଆମ ଭିତରେ ରହିଛି, ତାହା ଏକ ଦୁଇ-ଧାର ବିଶିଷ୍ଟ ଖଡ୍ଗ ସଦୃଶ କାର୍ଯ୍ୟ କରିଥାଏ । ଅତଏବ, ଜୀବନରେ ଯେଉଁମାନେ ଆସୁରିକ ସ୍ତରକୁ ଖସି ଯାଆନ୍ତି, ସେମାନେ ତାଙ୍କର ମନ ଯୋଗୁଁ ହିଁ ସେପରି ନିମ୍ନ ଗତି ପ୍ରାପ୍ତ କରିଥାଆନ୍ତି ଏବଂ ଯେଉଁମାନେ ଉଚ୍ଚ ସ୍ତରକୁ ଉନ୍ନୀତ ହୋଇଥାଆନ୍ତି, ସେମାନେ ମଧ୍ୟ ତାହା ନିଜର ଶୁଦ୍ଧ ମନ ଯୋଗୁଁ ପ୍ରାପ୍ତ କରିଥାଆନ୍ତି । ଏ ୱିନ୍ଷ୍ଟନ୍ ଚର୍ଚ୍ଚିଲ୍, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବ୍ରିଟେନ୍ର ସଫଳ ପ୍ରଧାନମନ୍ତ୍ରୀ, କହିଥିଲେ: “ମହାନତାର ମୂଲ୍ୟ ଭାବରେ ତୁମର ପ୍ରତ୍ୟେକ ବିଚାର ଦାୟୀ ଅଟନ୍ତି ।” ଏହି ଶ୍ଲୋକରେ, ଶ୍ରୀକୃଷ୍ଣ, ମନ କିପରି ଭାବରେ ଆମର ହାନି ଅଥବା ଲାଭ କରିଥାଏ, ତାହା ଅର୍ଜୁନଙ୍କୁ ଅବଗତ କରାଇଛନ୍ତି । ପରବର୍ତ୍ତୀ ତିନୋଟି ଶ୍ଲୋକରେ, ଯୋଗାଋଢ଼ ବ୍ୟକ୍ତିଙ୍କର ଲକ୍ଷଣ ସଂପର୍କରେ ବର୍ଣ୍ଣନା କରିଛନ୍ତି ।
ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେ ତାତ୍ମୈବ ଶତ୍ରୁବତ୍ ।।୬।।
ଯେଉଁମାନେ ମନକୁ ଜୟ କରିପାରିଛନ୍ତି, ତାହା ତାଙ୍କର ବନ୍ଧୁ ଅଟେ । ଯେଉଁମାନେ ସେପରି କରିବାରେ ବିଫଳ ହୋଇଥାଆନ୍ତି, ସେମାନଙ୍କ ପାଇଁ ମନ ଏକ ଶତ୍ରୁ ଭାବରେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily