Bhagavad Gita: Chapter 1, Verse 16-18

ଅନନ୍ତବିଜୟଂ ରାଜା କୁନ୍ତିପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ ।।୧୬।।
କାଶ୍ୟଶ୍ଚ ପରମେଷ୍ୱାସଃ ଶିଖଣ୍ଡୀ ଚ ମହାରଥଃ ।
ଧୃଷ୍ଟଦ୍ୟୁମ୍ନୋ ବିରାଟଶ୍ଚ ସାତ୍ୟକିଶ୍ଚାପରାଜିତଃ ।।୧୭।।
ଦ୍ରୁପଦୋ ଦ୍ରୌପଦେୟାଶ୍ଚ ସର୍ବଶଃ ପୃଥିବୀପତେ ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ୍‌ଦଧ୍ମୁଃ ପୃଥକ୍ ପୃଥକ୍ ।।୧୮।।

ଅନନ୍ତ ବିଜୟଂ-ଅନନ୍ତ ବିଜୟ ନାମକ ଶଙ୍ଖ; ରାଜା-ରାଜା; କୁନ୍ତୀପୁତ୍ରଃ-କୁନ୍ତୀପୁତ୍ର; ଯୁଧିଷ୍ଠିରଃ-ଯୁଧିଷ୍ଠିର; ନକୁଳଃ-ନକୁଳ; ସହଦେବଃ-ସହଦେବ; ଚ-ଏବଂ; ସୁଘୋଷ ମଣିପୁଷ୍ପକୌ-ସୁଘୋଷ ଏବଂ ମଣିପୁଷ୍ପକ ନାମକ ଶଙ୍ଖ; କାଶ୍ୟଃ-କାଶୀ (ବାରାଣାସୀ)ର ରାଜା; ଚ-ଏବଂ; ପରମେଷ୍ୱାସଃ-ପ୍ରସିଦ୍ଧ ଧନୁର୍ଦ୍ଧର; ଶିଖଣ୍ଡୀ-ଶିଖଣ୍ଡୀ; ଚ-ମଧ୍ୟ; ମହାରଥଃ-ଯିଏ ଏକାକୀ ଦଶ ହଜାର ସୈନ୍ୟଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରେ; ଧୃଷ୍ଟଦ୍ୟୁମ୍ନଃ-ଧୃଷ୍ଟଦ୍ୟୁମ୍ନ (ଦ୍ରୁପଦ ରାଜାଙ୍କର ପୁତ୍ର); ବିରାଟଃ-ବିରାଟ; ଚ-ଏବଂ; ସାତ୍ୟକିଃ-ସାତ୍ୟକି; ଚ-ଏବଂ; ଅପରାଜିତଃ-ଯିଏ ପୂର୍ବରୁ କେବେ ପରାଜିତ ହୋଇନାହାନ୍ତି; ଦ୍ରୁପଦଃ-ଦ୍ରୁପଦ; ଦ୍ରୌପଦେୟାଃ-ଦ୍ରୌପଦୀଙ୍କର ପୁତ୍ରଗଣ; ଚ-ଏବଂ; ସର୍ବଶଃ-ସମସ୍ତେ; ପୃଥିବୀପତେ-ରାଜା; ସୌଭଦ୍ରଃ-ସୁଭଦ୍ରାଙ୍କର ପୁତ୍ର (ଅଭିମନ୍ୟୁ); ଚ-ମଧ୍ୟ; ମହାବାହୁଃ-ଅତ୍ୟନ୍ତ ଶକ୍ତିଶାଳୀ, ଶଙ୍ଖାନ୍‌-ଶଙ୍ଖମାନ, ଦଧ୍ମୁ-ନାଦ କଲେ; ପୃଥକ୍‌-ପୃଥକ୍ ପୃଥକ୍‌ଭାବେ ।

Translation

BG 1.16-18: ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।

Commentary

ପାଣ୍ଡବ ମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । ଏଠାରେ ତାଙ୍କୁ ‘ରାଜା’ କୁହାଯାଇଅଛି । ସେ ଏହି ଉପାଧି “ରାଜସୁୟ ଯଜ୍ଞ” କରିବା ପରେ ସମସ୍ତ ରାଜାମାନଙ୍କର ଅନୁଗତ୍ୟ ଠାରୁ ହାସଲ କରିଥିଲେ । ଅବଶ୍ୟ ତାଙ୍କର ରାଜକୀୟ ମର୍ଯ୍ୟାଦା ଏବଂ ମହାନୁଭବତା, ସେ ରାଜଭବନରେ ଥାଆନ୍ତୁ କି ଜଙ୍ଗଲରେ ନିର୍ବାସିତ ଥାଆନ୍ତୁ, ସର୍ବଦା ପ୍ରକାଶ ପାଉଥିଲା ।

ସଞ୍ଜୟ ଧୃତରାଷ୍ଟ୍ରଙ୍କୁ “ପୃଥିବୀର ଶାସକ” ବୋଲି କହୁଛନ୍ତି । କୌଣସି ଦେଶକୁ ରକ୍ଷା କରିବା ବା ଧ୍ୱଂସାତ୍ମକ ଯୁଦ୍ଧରେ ଲିପ୍ତ କରିବା ଦୁଇଟିଯାକ କାର୍ଯ୍ୟ ରାଜାଙ୍କ ହାତରେ ଥାଏ । ତେଣୁ ଏହି ଉପାଧିର ଗୁପ୍ତ ଅର୍ଥ ହେଉଛି “ହେ ରାଜା ବର୍ତ୍ତମାନ ସେନାମାନେ ଯୁଦ୍ଧ କରିବାକୁ ଅଗ୍ରସର ହେଉଛନ୍ତି, କେବଳ ଆପଣ ହିଁ ତାଙ୍କୁ ଫେରାଇ ଆଣି ପାରିବେ । ଆପଣ କ’ଣ ନିର୍ଣ୍ଣୟ କରୁଛନ୍ତି?”