Bhagavad Gita: Chapter 1, Verse 28

ଅର୍ଜୁନ ଉବାଚ
ଦୃଷ୍ଟେ୍ୱମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ।
ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ।।୨୮।।

ଅର୍ଜୁନ-ଅର୍ଜୁନ; ଉବାଚ-କହିଲେ; ଦୁଷ୍ଟ୍ୱା-ଦେଖି; ଇମଂ-ଏହାଙ୍କୁ; ସ୍ୱଜନଂ-ଆତ୍ମୀୟସ୍ୱଜନଙ୍କୁ; କୃଷ୍ଣ-ହେ କୃଷ୍ଣ; ଯୁଯୁତ୍ସୁଂ-ଯୁଦ୍ଧ କରିବା ପାଇଁ ଇଚ୍ଛୁକ; ସମୁପସ୍ଥିତମ୍‌-ସମସ୍ତେ ଉପସ୍ଥିତ; ସୀଦନ୍ତି-ଥରୁଛି; ମମ-ମୋର; ଗାତ୍ରାଣି-ଶରୀରର ଅଙ୍ଗପ୍ରତ୍ୟଙ୍ଗ; ମୁଖଂ-ମୁଖ; ଚ-ଏବଂ; ପରିଶୁଷ୍ୟତି-ଶୁଖିଯାଉଛି ।

Translation

BG 1.28: ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି ।

Commentary

ଅନୁରାଗ ଉଭୟ ମାୟିକ ବା ଆଧ୍ୟାତ୍ମିକ ମନୋଭାବ ହୋଇପାରେ । ନିଜ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଆସକ୍ତି ଏକ ମାୟିକ ଆବେଗ, ଯାହା ଶରୀର-ଭିତ୍ତିକ ଅଟେ । ନିଜକୁ ଶରୀର ଜ୍ଞାନ କରି ବ୍ୟକ୍ତି ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ଆସକ୍ତ ହୋଇଥାଏ । ଏହି ଆସକ୍ତିର ଆଧାର ଅଜ୍ଞାନ ଅଟେ ଏବଂ ଏହା ବ୍ୟକ୍ତିର ଚେତନାକୁ ଅଧିକରୁ ଅଧିକ ମାୟିକ କରିଦେଇ ଥାଏ । ପରିଶେଷରେ ଏହି ଆସକ୍ତିର ଅନ୍ତ ଦୁଃଖରେ ହୋଇଥାଏ, କାରଣ ଶରୀରର ସମାପ୍ତିରେ ସମସ୍ତ ପାରିବାରିକ ସମ୍ବନ୍ଧର ମଧ୍ୟ ଅନ୍ତ ହୋଇଯାଏ । ଅନ୍ୟ ପକ୍ଷରେ, ଭଗବାନ ଆମ ଆତ୍ମାର ପିତା, ମାତା, ବନ୍ଧୁ, ସ୍ୱାମୀ ଏବଂ ପ୍ରେମୀ ଅଟନ୍ତି । ଫଳସ୍ୱରୂପ, ତାଙ୍କ ପ୍ରତି ଆସକ୍ତି ଆତ୍ମିକ ସ୍ତରରେ ଏକ ଅଧ୍ୟାତ୍ମିକ ମନୋଭାବ ଅଟେ, ଯାହାକି ଆମର ଚେତନାକୁ ଉନ୍ନତ ଏବଂ ବୁଦ୍ଧିକୁ ଉଦ୍‌ଭାସିତ କରିଥାଏ । ଭଗବତ୍ ପ୍ରେମ ଏକ ମହାସାଗର ସଦୃଶ ତା’ର ଅସୀମ ଉଦାରତାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିଥାଏ, କିନ୍ତୁ ଶାରୀରିକ ସମ୍ବନ୍ଧୀମାନଙ୍କ ପ୍ରତି ପ୍ରେମ ସଂକୀର୍ଣ୍ଣ ଏବଂ ବିଭେଦକ ଅଟେ । ଏଠାରେ, ଅର୍ଜୁନ ସଂସାରିକ ବନ୍ଧନ ଅନୁଭବ କରୁଥିଲେ, ଯାହାକି ତାଙ୍କର ମନକୁ ନିରାଶାର ସାଗରରେ ବୁଡ଼ାଇ ଦେଉଥିଲା ଏବଂ କର୍ତ୍ତବ୍ୟ ପାଳନର ଚିନ୍ତା ମାତ୍ରକେ ଭୟରେ ତାଙ୍କ ଶରୀରରେ କମ୍ପନ ଜାତ ହେଉଥିଲା ।

Watch Swamiji Explain This Verse