Bhagavad Gita: Chapter 1, Verse 3

ପଶ୍ୟୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ୟ ମହତୀଂ ଚମୂମ୍ ।
ବ୍ୟୁଢ଼ାଂ ଦ୍ରୃପଦ-ପୁତ୍ରେଣ ତବ ଶିଷ୍ୟେଣ ଧୀମତା ।।୩।।

ପଶ୍ୟ-ଦେଖନ୍ତୁ; ଏତାଂ-ଏମାନଙ୍କୁ; ପାଣ୍ଡୁ ପୁତ୍ରାଣାମ୍‌-ପାଣ୍ଡୁଙ୍କର ପୁତ୍ରମାନଙ୍କର; ଆଚାର୍ଯ୍ୟ-ହେ ଆଚାର୍ଯ୍ୟ; ମହତୀଂ-ମହାନ୍‌; ଚମୂମ୍‌-ସୈନ୍ୟବାହିନୀ; ବ୍ୟୂଢ଼ାଂ-ସଜ୍ଜିତ; ଦ୍ରୁପଦ ପୁତ୍ରେଣ-ଦ୍ରୁପଦଙ୍କର ପୁତ୍ର, ଧୃଷ୍ଟଦ୍ୟୁମ୍ନ; ତବ-ଆପଣଙ୍କର; ଶିଷ୍ୟେଣ-ଶିଷ୍ୟଙ୍କଦ୍ୱାରା; ଧୀମତା-ଅତ୍ୟନ୍ତ ବୁଦ୍ଧିମାନ୍ ।

Translation

BG 1.3: ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ ।

Commentary

ଦୁର୍ଯ୍ୟୋଧନ ଅତ୍ୟନ୍ତ ଚତୁରତାର ସହ ତାଙ୍କର ଯୁଦ୍ଧଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ, ଅତୀତରେ ସେ କରିଥିବା ଏକ ଭୁଲ ପ୍ରତି ସୂଚିତ କରିଛନ୍ତି । ଏକଦା ଦ୍ରୋଣାଚାର୍ଯ୍ୟ ଓ ରାଜା ଦ୍ରୃପଦଙ୍କ ମଧ୍ୟରେ ଏକ ରାଜନୈତିକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । କ୍ରୋଧାନ୍ୱିତ ହୋଇ, ଦ୍ରୃପଦ ଏକ ଯଜ୍ଞ କରିଥିଲେ ଏବଂ ଏକ ପୁତ୍ର ପାପ୍ତିର ବରଦାନ ପାଇଥିଲେ, ଯିଏ କି ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବାକୁ ସମର୍ଥ ହେବେ । ଏହି ବରଦାନ ସ୍ୱରୂପ, ଧୃଷ୍ଟଦ୍ୟୁମ୍ନ ତାଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ।

ଦ୍ରୋଣାଚାର୍ଯ୍ୟ ଯଦିଓ ଧୃଷ୍ଟଦ୍ୟୁମ୍ନଙ୍କର ଜନ୍ମର ଉଦ୍ଦେଶ୍ୟ ଜାଣିଥିଲେ, ଯେତେବେଳେ ଧୃଷ୍ଟଦ୍ୟୁମ୍ନଙ୍କର ସାମରିକ ଶିକ୍ଷା ତାଙ୍କ ଉପରେ ନ୍ୟସ୍ତ କରାଗଲା, ତାଙ୍କର ସମସ୍ତ ଜ୍ଞାନ ଧୃତଦ୍ୟୁମ୍ନଙ୍କୁ ଅର୍ପଣ କରିବାରେ ସେ କୁଣ୍ଠାବୋଧ କରି ନ ଥିଲେ । ବର୍ତ୍ତମାନ ଏହି ଯୁଦ୍ଧରେ, ଧୃଷ୍ଟଦ୍ୟୁମ୍ନ ସେନାପତି ଭାବରେ ପାଣ୍ଡବଙ୍କ ପକ୍ଷଭୁକ୍ତ ହୋଇଛନ୍ତି ଏବଂ ସେ ହିଁ ଏହି ସମରସଜ୍ଜା କରିଛନ୍ତି । ଦୁର୍ଯ୍ୟୋଧନ ଏହା ସୂଚିତ କରୁଛନ୍ତି ଯେ ଅତୀତର ତାଙ୍କର ସେହି ଉଦାରତା ପାଇଁ ବର୍ତ୍ତମାନ ତାଙ୍କୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଅଛି ଏବଂ ଆଗକୁ ପାଣ୍ଡବଙ୍କ ସହିତ ଯୁଦ୍ଧ ସମୟରେ ସେ ଏହିପରି ଉଦାରତା ପ୍ରଦର୍ଶନ ଉଚିତ ନୁହେଁ ।