Bhagavad Gita: Chapter 1, Verse 32-33

ନ କାଙ୍‌କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ ।
କିଂ ନୋ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା ।।୩୨।। ଯେଷାମର୍ଥେ କାଙ୍‌କ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ ।
ତ ଇମେଽବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ ।।୩୩।।

ନ-ନୁହେଁ; କାଙ୍‌କ୍ଷେ-ମୁଁ ଇଚ୍ଛା କରେ; ବିଜୟଂ-ବିଜୟ; କୃଷ୍ଣ-ହେ କୃଷ୍ଣ; ନ-କିମ୍ବା ନୁହେଁ; ଚ-ମଧ୍ୟ; ରାଜ୍ୟଂ-ରାଜ୍ୟ; ସୁଖାନି-ସୁଖ; ଚ-ମଧ୍ୟ ।କିଂ-କ’ଣ ଦରକାର; ନଃ-ଆମ୍ଭମାନଙ୍କର; ରାଜ୍ୟେନ-ରାଜ୍ୟରେ; ଗୋବିନ୍ଦ-ହେ କୃଷ୍ଣ; କିଂ-କ’ଣ; ଭୌଗୈଃ-ଭୋଗରେ; ଜୀବିତେନ-ଜୀବନରେ; ବା-କିମ୍ବା; ଯେଷାଂ-ଯେଉଁମାନଙ୍କର; ଅର୍ଥେ-ନିମିତ୍ତ; କାଙ୍‌କ୍ଷିତଂ-ଅଭିଳଷିତ; ନଃ-ଆମ୍ଭମାନଙ୍କର; ରାଜ୍ୟଂ-ରାଜ୍ୟ; ଭୋଗାଃ-ଭୌତିକ ସୁଖଭୋଗ; ସୁଖାନି-ସମସ୍ତ ସୁଖ; ଚ-ମଧ୍ୟ; ତେ-ସେମାନେ ସମସ୍ତେ; ଇମେ-ଏହି ସବୁ; ଅବସ୍ଥିତାଃ-ଅବସ୍ଥିତ; ଯୁଦ୍ଧେ-ଏହି ଯୁଦ୍ଧକ୍ଷେତ୍ରରେ; ପ୍ରାଣାନ୍‌-ଜୀବନକୁ; ତ୍ୟକ୍ତ୍ୱା-ତ୍ୟାଗ କରି; ଧନାନି-ଧନ; ଚ-ମଧ୍ୟ ।

Translation

BG 1.32-33: ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?

Commentary

ହତ୍ୟା କରିବା ପାପ ଅଟେ - ଏହି ଭାବନାରୁ ଅର୍ଜୁନଙ୍କଠାରେ ଦ୍ୱନ୍ଦ୍ୱର ସୃଷ୍ଟି ହେଲା । ଅର୍ଜୁନ ଅନୁଭବ କଲେ, ଯଦି ରାଜ୍ୟପ୍ରାପ୍ତି ପାଇଁ ସେ ଏଭଳି ହୃଦୟହୀନ କାର୍ଯ୍ୟ କରନ୍ତି, ତାହା ତାଙ୍କର ଇପ୍‌ସିତ ସୁଖ ପ୍ରଦାନ କରିବ ନାହିଁ । ଏହି ବିଜୟର ଆନନ୍ଦ ସେ ତାଙ୍କର ବନ୍ଧୁ ଏବଂ ଆତ୍ମୀୟଙ୍କ ସହିତ ଭୋଗ କରିପାରିବେ ନାହିଁ, କାରଣ ସେମାନଙ୍କୁ ହତ୍ୟାକରି ହିଁ ସେ ଏହି ବିଜୟ ହାସଲ କରିବେ ।

ଏଠାରେ ଅର୍ଜୁନ ନିମ୍ନସ୍ତରର ଭାବନା ପ୍ରକାଶ କରୁଛନ୍ତି ଏବଂ ଭୁଲ୍‌ରେ ତାକୁ ଦିବ୍ୟ ଭାବନା ମନେ କରୁଛନ୍ତି । ସାଂସାରିକ ବିଭବ ଏବଂ ମାୟିକ ସମୃଦ୍ଧି ପ୍ରତି ଉଦାସୀନତା ଏକ ପ୍ରଶଂସନୀୟ ଆଧ୍ୟାତ୍ମିକ ଗୁଣ ଅଟେ, କିନ୍ତୁ ଅର୍ଜୁନ ତାହାକୁ ଆଧ୍ୟାତ୍ମିକ ଚେତନାରେ ଅନୁଭବ କରୁନାହାନ୍ତି । ସେ ଅନୁଭବ କରୁଥିବା ସଂବେଦନା ତାଙ୍କର ମୋହର ଛଦ୍ମରୂପ ଅଟେ । ସଦ୍‌ଭାବନା ଆନ୍ତରିକ ସମନ୍ୱୟ ସୃଷ୍ଟି କରି ପରିତୃପ୍ତି ପ୍ରଦାନ କରିବା ସହିତ ଆତ୍ମାକୁ ଆହ୍ଲାଦିତ କରିଥାଏ । ଅର୍ଜୁନଙ୍କର ସଂବେଦନା ଯଦି ଦିବ୍ୟ ହୋଇଥାଆନ୍ତା, ତେବେ ସେହି ଅନୁଭବ ତାଙ୍କୁ ଚେତନାର ଉଚ୍ଚ ସ୍ତରରେ ଅବସ୍ଥାପିତ କରିଥାଆନ୍ତା । କିନ୍ତୁ ତାଙ୍କର ଅନୁଭୂତି ଠିକ୍ ଓଲଟା ଥିଲା, ସେ ତାଙ୍କ ମନ ଓ ବୁଦ୍ଧିରେ ଅସମଞ୍ଜସ, କର୍ମ ପ୍ରତି ଅସନ୍ତୋଷ ଏବଂ ଅନ୍ତରରେ ବିଷାଦ ଅନୁଭବ କରୁଛନ୍ତି । ତାଙ୍କ ଅନୁଭବର ଏହି ପ୍ରଭାବ ସୂଚିତ କରିଥାଏ ଯେ ଯେଉଁ ସଂବେଦନା ସେ ଅନୁଭବ କରୁଛନ୍ତି, ତାହା ତାଙ୍କର ମୋହ ଅଟେ ।

Watch Swamiji Explain This Verse