ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ।
ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।୧୦।।
ତେଷାଂ - ସେମାନଙ୍କୁ; ସତତ-ଯୁକ୍ତାନା - ନିତ୍ୟ ଯୁକ୍ତ; ଭଜତାଂ - ଭକ୍ତି କରେ ; ପ୍ରୀତି ପୂର୍ବକ - ପ୍ରୀତିପୂର୍ବକ; ଦଦାମି - ମୁଁ ଦିଏ; ବୁଦ୍ଧି ଯୋଗ - ଦିବ୍ୟ ଜ୍ଞାନ; ତଂ - ତାହା; ଯେନ - ଯାହାଦ୍ୱାରା; ମାଂ - ମୋତେ; ଉପଯାନ୍ତି - ଆସନ୍ତି; ତେ-ସେମାନେ ।
BG 10.10: ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ।
ଦିବ୍ୟ ଭଗବଦୀୟ ଜ୍ଞାନ ଆମ ନିଜ ବୁଦ୍ଧିର ଉପଯୋଗରେ ପ୍ରାପ୍ତ ହୋଇ ନ ଥାଏ । ଯେତେ ଶକ୍ତିଶାଳୀ ଆଭ୍ୟନ୍ତରୀଣ ଉପକରଣ ଆମ ପାଖରେ ଥାଉନା କାହିଁକି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ସେସବୁ ମାୟିକ ଶକ୍ତି ଦ୍ୱାରା ଗଠିତ । ତେଣୁ ଆମର ଜାଣିବା,ବୁଝିବା ଏବଂ ଜ୍ଞାନ ଶକ୍ତିର ପରିସର ମାୟିକ ଜଗତ ମଧ୍ୟରେ ସୀମିତ । ଭଗବାନ ଏବଂ ତାଙ୍କର ଦିବ୍ୟ ଜଗତ ସମ୍ପୂର୍ଣ୍ଣ ଭାବରେ ଆମ ଭୌତିକ ବୁଦ୍ଧିର ପରିସୀମାର ଉର୍ଦ୍ଧ୍ୱରେ । ବେଦ ଦୃଢ଼ତାର ସହିତ ଘୋଷଣା କରେ:
ଯସ୍ୟା ମତଂ ତସ୍ୟ ମତଂ ମତଂ ଯସ୍ୟ ନ ବେଦ ସଃ ।
ଅବିଜ୍ଞାତଂ ବିଜାନତାଂ ବିଜ୍ଞାତମବିଜାନତାଂ । । (କେନୋପନିଷଦ ୨.୩)
ଯେଉଁମାନେ ଭାବନ୍ତି ଯେ ସେମାନେ ନିଜେ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ବୁଝିପାରିବେ, ସେମାନଙ୍କର ଭଗବାନଙ୍କ ବିଷୟରେ କୌଣସି ଧାରଣା ନାହିଁ । କେବଳ ଯେଉଁମାନେ ଭାବନ୍ତି ଯେ ଭଗବାନ ତାଙ୍କର ପରିକଳ୍ପନାର ବାହାରେ, ପ୍ରକୃତରେ ସେମାନେ ହିଁ ତାଙ୍କୁ ବୁଝିପାରନ୍ତି ।
ବୃହଦାରଣ୍ୟକ ଉପନିଷଦ କହୁଛି:
ସ ଏଷ ନେତି ନେତ୍ୟାତ୍ମା ଅଗୃହ୍ୟୋଃ (୩. ୯.୨୬)
ଜଣେ ନିଜ ବୁଦ୍ଧି ଦ୍ୱାରା ପ୍ରୟାସ କରି ଭଗବାନଙ୍କୁ କେବେ ବି ଜାଣି ପାରିବ ନାହିଁ ।”
ରାମାୟଣ କହୁଛି:
ରାମ ଅର୍ତକ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ ।
“ପ୍ରଭୁ ରାମଙ୍କର ଚରିତ୍ର ଆମ ବୁଦ୍ଧି, ମନ ଓ ବାଣୀର ଉର୍ଦ୍ଧ୍ୱରେ” । ତେବେ ଭଗବାନଙ୍କୁ ଜାଣିବା ସମ୍ପର୍କରେ, ଏହି ସବୁ ଉକ୍ତି ଯେଉଁଠି ସିଧାସଳଖ ପ୍ରକାଶ କରୁଛନ୍ତି ଯେ ଭଗବାନଙ୍କୁ ଜାଣିବା ସମ୍ଭବ ନୁହେଁ, ସେଇଠି ଭଗବତ୍ ପ୍ରାପ୍ତି ଜଣେ କରିବ କିପରି? ଶ୍ରୀକୃଷ୍ଣ ଏଠାରେ ଭଗବଦୀୟ ଜ୍ଞାନ କିପରି ପ୍ରାପ୍ତ ହେବ, ତାହା ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ କେବଳ ଭଗବାନ ହିଁ ଜୀବକୁ ଦିବ୍ୟଜ୍ଞାନ ପ୍ରଦାନ କରିଥାଆନ୍ତି ଏବଂ ସେହି ସୌଭାଗ୍ୟଶାଳୀ ଜୀବ, ଯିଏ ତାଙ୍କର କୃପା ପ୍ରାପ୍ତ କରିଥାଏ, ସେ ହିଁ ତାଙ୍କୁ ଜାଣିପାରେ । ଯର୍ଜୁବେଦ କହୁଛି:
ତସ୍ୟ ନୋ ରାସ୍ୱ ତସ୍ୟ ନୋ ଧେହୀ
“ଭଗବାନଙ୍କ ପଦପଦ୍ମରୁ ଝରୁଥିବା ଅମୃତରେ ଅବଗାହନ ନ କରି, କେହି ବି ତାଙ୍କୁ ଜାଣିପାରିବେ ନାହିଁ ।” ଅତଏବ, ବାସ୍ତବ ଭଗବଦୀୟ ଜ୍ଞାନ ବୁଦ୍ଧିର କସରତର ଫଳ ନୁହେଁ, ବରଂ ଏହା ଦିବ୍ୟ କୃପାର ପରିଣତି ଅଟେ । ଶ୍ରୀକୃଷ୍ଣ ଏଠାରେ ଏକଥା ମଧ୍ୟ ପ୍ରକାଶ କରୁଛନ୍ତି ଯେ, ସେ ତାଙ୍କର କୃପାର ପାତ୍ରଙ୍କୁ ଖାମଖିଆଲି ଭାବରେ ବାଛନ୍ତି ନାହିଁ । ବରଂ, ଯେଉଁମାନେ ଭକ୍ତିରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଆନ୍ତି, ସେମାନଙ୍କୁ ସେ ତାଙ୍କ କୃପା ପ୍ରଦାନ କରିଥାନ୍ତି । କୃପା ପ୍ରାପ୍ତ କଲେ କ’ଣ ହୁଏ, ତାହା ସେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ।
ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ।
ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।୧୦।।
ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily