Bhagavad Gita: Chapter 10, Verse 12-13

ଅର୍ଜୁନ ଉବାଚ
ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ ।
ପୁରୁଷଂ ଶାଶ୍ୱତଂ ଦିବ୍ୟମାଦିଦେବମଜଂ ବିଭୁମ୍ ।।୧୨।।
ଆହୁସ୍ତ୍ୱାମୃଷୟଃ ସର୍ବେ ଦେବର୍ଷିର୍ନାରଦସ୍ତଥା ।
ଅସିତୋ ଦେବଳୋ ବ୍ୟାସଃ ସ୍ୱୟଂ ଚୈବ ବ୍ରବୀଷି ମେ ।।୧୩।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପରଂ - ପରମ; ବ୍ରହ୍ମ - ସତ୍ୟ; ପରଂ - ପରମ; ଧାମ - ଧାମ; ପବିତ୍ରଂ - ପବିତ୍ରକାରୀ; ପରମଂ - ପରମ; ଭବାନ୍ - ଆପଣ; ପୁରୁଷଂ - ବିଭୂତି; ଶାଶ୍ୱତଂ - ଚିରନ୍ତନ; ଦିବ୍ୟମ୍ - ଦିବ୍ୟ; ଆଦିଦେବଂ - ମୂଳ ତତ୍ତ୍ୱ; ଅଜ - ଅଜନ୍ମା; ବିଭୁଂ - ମହାନ; ଆହୁଃ - କହନ୍ତି; ତ୍ୱାଂ - ଆପଣଙ୍କୁ; ଋଷୟଃ - ଋଷିବୃନ୍ଦ; ସର୍ବେ - ସମସ୍ତେ; ଦେବର୍ଷି - ଦେବର୍ଷି; ନାରଦଂ - ନାରଦ; ତଥା - ମଧ୍ୟ; ଅସିତଃ - ଅସିତ; ଦେବଳଃ - ଦେବଳ; ବ୍ୟାସଃ - ବ୍ୟାସ; ସ୍ୱୟଂ - ଆପଣ ନିଜେ; ଚ - ମଧ୍ୟ; ଏବ - ଏପରି କି; ବ୍ରବୀଷି - କହିଛନ୍ତି; ମେ - ମୋତେ ।

Translation

BG 10.12-13: ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।

Commentary

ବୈଦିକ ଗ୍ରନ୍ଥର ଭାଷ୍ୟକାରମାନେ ବେଳେବେଳେ ଏପରି କହିଥାଆନ୍ତି ଯେ ଶ୍ରୀକୃଷ୍ଣ, ଶ୍ରୀରାମ ଆଦି ପରମ ତତ୍ତ୍ୱ ନୁହଁନ୍ତି । ସେମାନେ ଦାବି କରନ୍ତି ଯେ, ଅନ୍ତିମ ତତ୍ତ୍ୱ ନିରାକାର ଓ ନିର୍ଗୁଣ ଅଟନ୍ତି । ସେ ସାକାର ରୂପ ଗ୍ରହଣ କରି ଅବତାର ଭାବରେ ପ୍ରକଟ ହୋଇଥାଆନ୍ତି, ତେଣୁ ଅବତାରମାନଙ୍କର ସ୍ଥିତି ଭଗବାନଙ୍କ ଠାରୁ ଏକ ପାଦ ତଳେ । କିନ୍ତୁ ଅର୍ଜୁନ, ଶ୍ରୀକୃଷ୍ଣଙ୍କର ସାକାର ରୂପକୁ ସମସ୍ତ କାରଣର ପରମ କାରଣ ରୂପେ ଘୋଷିତ କରି ଏହିସବୁ ମତବାଦର ଖଣ୍ଡନ କରିଛନ୍ତି ।

ପୂର୍ବବର୍ତ୍ତୀ ଚାରୋଟି ଶ୍ଲୋକରେ, ଶ୍ରୀକୃଷ୍ଣଙ୍କର ପରମ ସ୍ଥିତି ସମ୍ପର୍କରେ ଶୁଣିବା ପରେ, ଅର୍ଜୁନ ତାଙ୍କର ଗଭୀର ଅନୁଭୂତିକୁ ଦୃଢ଼ତାର ସହ ପ୍ରକାଶ କରୁଛନ୍ତି । ବିଖ୍ୟାତ ବ୍ୟକ୍ତିମାନେ ଯେତେବେଳେ କୌଣସି ଜ୍ଞାନକୁ ସମର୍ଥନ କରନ୍ତି, ସେହି ଜ୍ଞାନର ମହିମା ବୃଦ୍ଧି ଲାଭ କରିଥାଏ । ମହାନ୍ ସନ୍ଥମାନେ ଆଧ୍ୟାତ୍ମିକ ଜ୍ଞାନର ବିଶେଷଜ୍ଞ ଅଟନ୍ତି । ସେଥିପାଇଁ ଅର୍ଜୁନ ଏଠାରେ ନାରଦ, ଅମିତ, ଦେବଳ ଓ ବ୍ୟାସଙ୍କ ପରି ମହାପୁରୁଷ ମାନଙ୍କର ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ପରମ ତତ୍ତ୍ୱ ଏବଂ ସର୍ବକାରଣ-କାରଣ ସ୍ୱୀକାର କରନ୍ତି । ମହାଭାରତର ଭୀଷ୍ମପର୍ବରେ ଗୋଟିଏ ପଦ୍ୟ ଅଛି, ଯେଉଁଠି ଋଷି-ମୁନିମାନେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଛନ୍ତି । ମହର୍ଷି ନାରଦ କହୁଛନ୍ତି; “ଶ୍ରୀକୃଷ୍ଣ ସମସ୍ତ ବ୍ରହ୍ମାଣ୍ଡର ସୃଜକ ଏବଂ ଅନ୍ତର୍ଯ୍ୟାମୀ ଅଟନ୍ତି । ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ଦେବତାମାନଙ୍କର ସେ ଈଶ୍ୱର ଅଟନ୍ତି । (ଶ୍ଳୋକ ୬୮-୨) । ମାର୍କଣ୍ଡେୟ ମୁନି କହୁଛନ୍ତି: “ଶ୍ରୀକୃଷ୍ଣ ସମସ୍ତ ଧାର୍ମିକ ଯଜ୍ଞାଦି ଅନୁଷ୍ଠାନର ଲକ୍ଷ୍ୟ ଅଟନ୍ତି ଏବଂ ସମସ୍ତ ସାଧନାର କେନ୍ଦ୍ରବିନ୍ଦୁ ଅଟନ୍ତି । ସବୁକିଛିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସେ ଅଟନ୍ତି ।” (ଶ୍ଳୋକ ୬୮:୩) । ମହର୍ଷି ଭୃଗୁ କହୁଛନ୍ତି “ସେ ସମସ୍ତ ଭଗବାନଙ୍କର ଭଗବାନ ଅଟନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ମୂଳ ସ୍ୱରୂପ ଅଟନ୍ତି ।” (ଶ୍ଳୋକ ୬୮:୪) । ମହର୍ଷି ବେଦବ୍ୟାସ କହୁଛନ୍ତି, “ହେ ଶ୍ରୀକୃଷ୍ଣ! ଆପଣ ବସୁମାନଙ୍କର ଅଧ୍ୟକ୍ଷ ଅଟନ୍ତି । ଇନ୍ଦ୍ର ଏବଂ ସ୍ୱର୍ଗର ଅନ୍ୟ ଦେବତାମାନଙ୍କୁ ଆପଣ ଶକ୍ତି ପ୍ରଦାନ କରନ୍ତି ।” (ଶ୍ଳୋକ ୬୮:୫) । ମହର୍ଷି ଅଙ୍ଗିରା କହୁଛନ୍ତି: “ଭଗବାନ ଶ୍ରୀକୃଷ୍ଣ ସମସ୍ତ ପ୍ରାଣୀଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି । ତ୍ରିଭୁବନ ତାଙ୍କ ମହୋଦରରେ ସ୍ଥିତ । ସେ ପରମ ଈଶ୍ୱର ଅଟନ୍ତି ।” (ଶ୍ଳୋକ ୬୮.୬) । ମହାଭାରତରେ ଅନ୍ୟତ୍ର, ମହର୍ଷି ଅସିତ ଓ ଦେବଳ କହିଛନ୍ତି: “ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି, ଯିଏ ତ୍ରିଭୁବନର ସୃଷ୍ଟି କରି ଥାଆନ୍ତି । (ମହାଭାରତ, ବନ ପର୍ବ ୧୨.୫୦) । ଏହି ସବୁ ମହାପୁରୁଷଙ୍କର ବାଣୀକୁ ଉଦ୍ଧୃତ କରି ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ନିଜେ ମଧ୍ୟ ନିଜକୁ ସମସ୍ତ ସୃଷ୍ଟିର କାରଣ ରୂପେ ଘୋଷିତ କରି ସମସ୍ତଙ୍କର ମନ୍ତବ୍ୟକୁ ସମର୍ଥନ କରୁଛନ୍ତି ।