Bhagavad Gita: Chapter 10, Verse 15

ସ୍ୱୟମେବାତ୍ମନାତ୍ମାନଂ ବେତ୍‌ଥ ତ୍ୱଂ ପୁରୁଷୋତ୍ତମ ।
ଭୂତଭାବନ ଭୂତେଶ ଦେବଦେବ ଜଗତ୍‌ପତେ ।।୧୫।।

ସ୍ୱୟଂ - ନିଜେ; ଏବ - ନିଶ୍ଚିତଭାବେ; ଆତ୍ମନା - ଆପଣଙ୍କ ଦ୍ୱାରା; ଆତ୍ମାନଂ - ଆପଣ ନିଜକୁ; ବେତ୍‌ଥ - ଜାଣନ୍ତି; ତ୍ୱଂ-ଆପଣ; ପୁରୁଷୋତ୍ତମ - ହେ ପୁରୁଷୋତ୍ତମ; ଭୂତ-ଭାବନ - ହେ ପ୍ରତ୍ୟକର ମୂଳକାରଣ; ଭୂତେଶ - ହେ ପ୍ରତ୍ୟେକର ପ୍ରଭୁ; ଦେବ ଦେବ - ହେ ଦେବତାମାନଙ୍କର ପ୍ରଭୁ; ଜଗତ୍‌-ପତେ - ହ୍ନେ ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ ।

Translation

BG 10.15: ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି ।

Commentary

ଶ୍ରୀକୃଷ୍ଣ ହିଁ ପରମ ଦିବ୍ୟ ପୁରୁଷ ଅଟନ୍ତି, ଏହା ଉପରେ ଗୁରୁତ୍ୱ ଦେଇ ଅର୍ଜୁନ ତାଙ୍କୁ ଏହିପରି ସମ୍ବୋଧିତ କରୁଛନ୍ତି:

ଭୂତ-ଭାବନ- ସମସ୍ତଙ୍କର ସ୍ରଷ୍ଟା ଏବଂ ବିଶ୍ୱପିତା ।

ଭୂତେଶ - ଶ୍ରେଷ୍ଠ ନିୟାମକ, ସର୍ବେଶ୍ୱର

ଜଗତ୍‌-ପତେ- ସମସ୍ତ ସୃଷ୍ଟିର ପ୍ରଭୁ ଏବଂ ଇଷ୍ଟ ।

ଦେବ-ଦେବ- ଦେବତାମାନଙ୍କର ଈଶ୍ୱର ।

ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ ସେହି କଥା କହିଥାଏ:

ଯସ୍ମାତ୍ ପରଂ ନାପରମସ୍ତି କିଞ୍ôଚତ୍ (୩.୯)

“ଭଗବାନଙ୍କ ଠାରୁ ଶ୍ରେଷ୍ଠ ଆଉ କିଛି ନାହିଁ; ସେ ସମସ୍ତଙ୍କର ଊର୍ଦ୍ଧ୍ୱରେ ।”

ପୂର୍ବ ଶ୍ଳୋକରେ କୁହାଯାଇଛି ଯେ ଭଗବାନଙ୍କୁ କେହି ମଧ୍ୟ ଜାଣି ପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅଟେ । ଜୀବର ବୁଦ୍ଧି ସୀମିତ ଅଟେ, ଅଥଚ ଭଗବାନ ଅନନ୍ତ ଅଟନ୍ତି । ତେଣୁ ଭଗବାନ ସେମାନଙ୍କ ବୁଦ୍ଧି ଦ୍ୱାରା ଗ୍ରାହ୍ୟ ନୁହଁନ୍ତି । ଏହା ତାଙ୍କୁ ଛୋଟ କରି ଦିଏନାହିଁ ବରଂ ତାଙ୍କୁ ଅଧିକ ଗୌରବାନ୍ୱିତ କରିଥାଏ । ପାଞ୍ଚାତ୍ୟ ଦାର୍ଶନିକ ଏଫ୍ ଏ.ଜାକୋବି କହନ୍ତି: “ଯେଉଁ ଭଗବାନଙ୍କୁ ଆମେ ଜାଣିପାରିବା, ସେ ଭଗବାନ ହୋଇ ପାରିବେ ନାହିଁ ।” କିନ୍ତୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଜଣେ ହିଁ ବ୍ୟକ୍ତି ଏପରି ଅଛନ୍ତି ଯିଏ କି ଭଗବାନଙ୍କୁ ଜାଣନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ । ଅତଏବ, କେବଳ ଶ୍ରୀକୃଷ୍ଣ ହିଁ ନିଜକୁ ଜାଣନ୍ତି ଏବଂ ସେ ଯଦି କୃପା କରି କୌଣସି ଜୀବାତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରନ୍ତି, ତେବେ ସେହି ସୌଭାଗ୍ୟଶାଳୀ ଜୀବାତ୍ମା ମଧ୍ୟ ତାଙ୍କୁ ଜାଣିବାକୁ ସମର୍ଥ ହେବ ।