Bhagavad Gita: Chapter 10, Verse 16-17

ବକ୍ତୁମର୍ହସ୍ୟଶେଷେଣ ଦିବ୍ୟା ହ୍ୟାତ୍ମବିଭୂତୟଃ ।
ଯାଭିର୍ବିଭୂତିଭିର୍ଲୋକାନିମାଂସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।।୧୬।।
କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ ।
କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।।୧୭।।

ବକ୍ତୁଂ - ବର୍ଣ୍ଣନା କରିବାକୁ; ଅର୍ହସି - ଦୟାକରି; ଅଶେଷେଣ - ପୂର୍ଣ୍ଣତଃ; ଦିବ୍ୟା - ଦିବ୍ୟ; ହି - ନିଶ୍ଚିତରୂପେ; ଆତ୍ମ-ଆପଣଙ୍କର; ବିଭୂତୟଃ - ବିଭୂତି, ଐଶ୍ୱର୍ଯ୍ୟ; ଯାଭିଃ - ଯଦ୍ୱାରା; ବିଭୂତିଭିଃ - ଐଶ୍ୱର୍ଯ୍ୟ ଦ୍ୱାରା: ଲୋକାନ୍ - ସମଗ୍ର ଜଗତ; ଇମାନ୍ - ଏସବୁ; ତ୍ୱଂ - ଆପଣ; ବ୍ୟାପ୍ୟ - ବ୍ୟାପ୍ତ; ତିଷ୍ଠସି - ରହିଛନ୍ତି । କଥଂ - କିପରି; ବିଦ୍ୟାମ୍ ଅହଂ - ମୁଁ ଜାଣିବି; ଯୋଗିନ୍ - ହେ ଯୋଗମାୟାର ଅଧୀଶ୍ୱର; ତ୍ୱାଂ - ଆପଣଙ୍କୁ; ସଦା - ସର୍ବଦା; ପରିଚିନ୍ତୟନ୍ - ଧ୍ୟାନ କରି; କେଷୁ - କେଉଁଥିରେ; ଚ -ଏବଂ; ଭାବେଷୁ - ଭାବରେ; ଚିନ୍ତ୍ୟଃ ଅସି - ଆପଣ ସ୍ମୃତିକୁ ଆସନ୍ତି; ଭଗବନ୍ - ହେ ଭଗବାନ; ମୟା - ମୋ’ ଦ୍ୱାରା ।

Translation

BG 10.16-17: ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?

Commentary

ଏଠାରେ ଯୋଗ ଶବ୍ଦ ଯୋଗମାୟା(ଭଗବାନଙ୍କର ଦିବ୍ୟ ଶକ୍ତି)କୁ ସୂଚିତ କରୁଅଛି ଏବଂ ଯୋଗୀ, ଯୋଗମାୟାର ଅଧ୍ୟକ୍ଷଙ୍କୁ ସୂଚିତ କରୁଅଛି । ଅର୍ଜୁନ ବୁଝିପାରିଥିଲେ ଯେ ଶ୍ରୀକୃଷ୍ଣ ଭଗବାନ ଅଟନ୍ତି । ସେ ବର୍ତ୍ତମାନ ଜାଣିବାକୁ ଚାହୁଁଛନ୍ତି, ଅନ୍ୟ କେଉଁ ଉପାୟରେ, ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ସମଗ୍ର ସୃଷ୍ଟିରେ ପ୍ରକାଶିତ ହୋଇଥାଏ । ସମଗ୍ର ସୃଷ୍ଟିର ଶ୍ରେଷ୍ଠ ନିୟାମକ ରୂପରେ ଶ୍ରୀକୃଷ୍ଣଙ୍କର ପ୍ରସିଦ୍ଧି ଏବଂ ସର୍ବୋଚ୍ଚ ସ୍ଥିତି ସମ୍ପର୍କରେ ସେ ଶୁଣିବାକୁ ଚାହୁଁଛନ୍ତି । ସେ ବିନତି କରୁଛନ୍ତି, “ମୁଁ ଆପଣଙ୍କର ଦିବ୍ୟ ସ୍ୱରୂପ ବିଷୟରେ ଜାଣିବାକୁ ଇଚ୍ଛା କରୁଛି, ଯଦ୍ୱାରା ମୁଁ ବିଶୁଦ୍ଧ ଭକ୍ତି ଯୁକ୍ତ ହୋଇପାରିବି । କିନ୍ତୁ ଆପଣଙ୍କ ସ୍ୱରୂପର ଜ୍ଞାନ ଆପଣଙ୍କର କୃପା ବିନା ପ୍ରାପ୍ତ କରିବା ଅସମ୍ଭବ ଅଟେ । ତେଣୁ ମୋ ପ୍ରତି କୃପା କରି ଆପଣ ନିଜର ଅସୀମ ବିଭୂତିକୁ ପ୍ରକାଶିତ କରନ୍ତୁ, ଯଦ୍ୱାରା ମୁଁ ଆପଣଙ୍କୁ ଜାଣିପାରିବି ।