Bhagavad Gita: Chapter 10, Verse 28

ଆୟୁଧାନାମହଂ ବଜ୍ରଂ ଧେନୂନାମସ୍ମି କାମଧୁକ୍ ।
ପ୍ରଜନଶ୍ଚାସ୍ମି କନ୍ଦର୍ପଃ ସର୍ପାଣାମସ୍ମି ବାସୁକିଃ ।।୨୮।।

ଆୟୁଧାନାଂ - ଅସ୍ତ୍ରମାନଙ୍କ ମଧ୍ୟରେ; ଅହଂ -ମୁଁ; ବଜ୍ରଂ - ବ୍ରଜ; ଧେନୂନାଂ - ଗାଭୀମାନଙ୍କ ମଧ୍ୟରେ; ଅସ୍ମି- ଅଟେ; କାମଧୁଜ୍ - କେମଧେନୁ; ପ୍ରଜନଃ - ସନ୍ତାନ ଉତ୍ପାଦନରେ; ଚ - ଏବଂ; ଅସ୍ମି - ଅଟେ; କନ୍ଦର୍ପଃ -କାମଦେବ (କନ୍ଦର୍ପ); ସର୍ପାଣାଂ- ସର୍ପମାନଙ୍କ ମଧ୍ୟରେ; ଅସ୍ମି - ଅଟେ, ବାସୁକିଃ -ବାସୁକି ।

Translation

BG 10.28: ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ ।

Commentary

ପୁରାଣ ବର୍ଣ୍ଣିତ ଋଷିଶ୍ରେଷ୍ଠ ଦଧିଚିଙ୍କର ତ୍ୟାଗ ଇତିହାସରେ ଅଦ୍ୱିତୀୟ ଅଟେ । ଏକଦା ବୃତ୍ରାସୁର ନାମକ ଜଣେ ଅସୁର ଦ୍ୱାରା ସ୍ୱର୍ଗସମ୍ରାଟ ଇନ୍ଦ୍ର ସ୍ୱର୍ଗଲୋକରୁ ବିତାଡ଼ିତ ହୋଇଥିଲେ । ସେହି ଅସୁରକୁ ବରପ୍ରାପ୍ତ ହୋଇଥିଲା ଯେ କୌଣସି ଅସ୍ତ୍ର ଦ୍ୱାରା ସେ ମରିବ ନାହିଁ । ଅସହାୟ ଭାବରେ ଇନ୍ଦ୍ର ଭଗବାନ ଶିବଙ୍କର ସାହାଯ୍ୟ କାମନା କଲେ ଏବଂ ସେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ପାଖକୁ ନେଇଗଲେ । ବିଷ୍ଣୁ ଇନ୍ଦ୍ରଙ୍କୁ କହିଲେ ଯେ ବୃତ୍ରାସୁରର ନିଧନ କେବଳ ଋଷି ଦଧିଚିଙ୍କର ଅସ୍ଥିରେ ନିର୍ମିତ ବଜ୍ର ଦ୍ୱାରା ହିଁ ହୋଇପାରିବ । ତାପରେ ଇନ୍ଦ୍ର ଦଧିଚିଙ୍କୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ତାଙ୍କର ପ୍ରାଣତ୍ୟାଗ କରିବାକୁ ପ୍ରାର୍ଥନା କରିଥିଲେ, ଯଦ୍ୱାରା ତାଙ୍କର ଅସ୍ଥିରେ ବଜ୍ର ନିର୍ମାଣ କରାଯାଇପାରିବ । ଦଧିଚି ତାଙ୍କର ଅନୁରୋଧ ସ୍ୱୀକାର କଲେ, କିନ୍ତୁ ତା ପୂର୍ବରୁ ସେ ସମସ୍ତ ପବିତ୍ର ନଦୀମାନଙ୍କର ତୀର୍ଥଯାତ୍ରା କରିବାକୁ ଇଚ୍ଛା କରିଥିଲେ । ଋଷିଙ୍କର ଇଚ୍ଛା ପୂରଣ କରିବା ପାଇଁ ଇନ୍ଦ୍ର ସମସ୍ତ ପବିତ୍ର ନଦୀମାନଙ୍କର ଜଳ ନୈମିଷାରଣ୍ୟକୁ ନେଇ ଆସିଲେ । ତା’ପରେ ଦଧିଚି ଯୋଗକ୍ରିୟା ଦ୍ୱାରା ନିଜର ଶରୀର ତ୍ୟାଗ କରିଥିଲେ । ତାଙ୍କର ଅସ୍ଥିରୁ ନିର୍ମିତ ବଜ୍ର ଦ୍ୱାରା ବୃତ୍ରାସୁର ପରାଜିତ ହେଲେ ଏବଂ ଇନ୍ଦ୍ର ସ୍ୱର୍ଗ ଲୋକର ରାଜପଦ ଫେରିପାଇଲେ । ସେଥିପାଇଁ ବିଷ୍ଣୁ ରୂପରେ ନିଜ ହସ୍ତରେ ଧାରଣ କରିଥିବା ଗଦା ଏବଂ ଚକ୍ରକୁ ଶ୍ରେଷ୍ଠ ଆୟୁଧ ନ କହି, ଶ୍ରୀକୃଷ୍ଣ ବଜ୍ରକୁ ତାଙ୍କର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ ଉତ୍ତମ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଯୌନକ୍ରିୟା କରିବା ଅପବିତ୍ର ନୁହେଁ । କାମଦେବ, ପ୍ରେମର ଦେବତା, ବିପରୀତ ଲିଙ୍ଗ ମଧ୍ୟରେ ଆକର୍ଷଣ ସୃଷ୍ଟି କରାଇଥାନ୍ତି, ଯାହା ବଂଶ-ବୃଦ୍ଧି କରିବାରେ ମନୁଷ୍ୟକୁ ସାହାଯ୍ୟ କରିଥାଏ । ଯୌନ ବାସନା ଭଗବାନଙ୍କ ଦ୍ୱାରା ସୃଷ୍ଟ । ତେଣୁ ଯୌନ ଉପଭୋଗ ଭାବେ ଅସଦ୍ ବ୍ୟବହାର ନ କରି, ଉତ୍ତମ ସନ୍ତାନ ପ୍ରାପ୍ତି ନିମନ୍ତେ ଏହାର ଉପଯୋଗ କରାଯିବା ଉଚିତ । ଶ୍ଲୋକ ୭.୧୧ରେ ମଧ୍ୟ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ ସେ, ସେହି ମର୍ଯ୍ୟାଦାପୂର୍ଣ୍ଣ ଓ ଶାସ୍ତ୍ର ଅବିରୋଧୀ, ଯୌନକ୍ରିୟା ଅଟନ୍ତି ।