Bhagavad Gita: Chapter 10, Verse 33

ଅକ୍ଷରାଣାମକାରୋଽସ୍ମି ଦ୍ୱନ୍ଦ୍ୱଃ ସାମାସିକସ୍ୟ ଚ ।
ଅହମେବାକ୍ଷୟଃ କାଳୋ ଧାତାହଂ ବିଶ୍ୱତୋମୁଖଃ ।।୩୩।।

ଅକ୍ଷରାଣାଂ- ଅକ୍ଷରମାନଙ୍କ ମଧ୍ୟରେ; ଅକାରଃ - ପ୍ରଥମ ଅକ୍ଷର ଅ; ଅସ୍ମି - ଅଟେ; ଦ୍ୱନ୍ଦ୍ୱଃ - ଦ୍ୱନ୍ଦ୍ୱ; ସାମାସିକସ୍ୟ - ସମାସ ମଧ୍ୟରେ; ଚ - ଏବଂ; ଅହଂ-ମୁଁ; ଏବ - ନିଶ୍ଚିତଭାବେ; ଅକ୍ଷୟଃ - ଶାଶ୍ୱତ; କାଳଃ - ସମୟ; ଧାତା -ସୃଷ୍ଟିକର୍ତ୍ତା; ଅହଂ-ମୁଁ; ବିଶ୍ୱତୋ ମୁଖଃ - ବ୍ରହ୍ମା ।

Translation

BG 10.33: ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।

Commentary

ସଂସ୍କୃତ ଭାଷାରେ, ଯେ କୌଣସି ଅର୍ଦ୍ଧ ଅକ୍ଷର ସହିତ ‘ଅ’ ର ସଂଯୋଗ ହୋଇ ଗୋଟିଏ ଅକ୍ଷର ତିଆରି ହୁଏ । ଉଦାହରଣ ସ୍ୱରୂପ କ୍ +ଅ- କ । ଏଣୁ ସଂସ୍କୃତ ଭାଷାରେ ଅ ଅକ୍ଷର ଅତି ଗୁରୁତ୍ୱପୂର୍ଣ୍ଣ । ବର୍ଣ୍ଣମାଳାରେ ‘ଅ’ ପ୍ରଥମ ସ୍ୱରବର୍ଣ୍ଣ ଅଟେ, ଏବଂ ଯେହେତୁ ସ୍ୱରବର୍ଣ୍ଣ ସବୁ ବ୍ୟଞ୍ଜନବର୍ଣ୍ଣ ମାନଙ୍କ ପୂର୍ବରୁ ରହିଥାଏ, ‘ଅ’ ସର୍ବପ୍ରଥମେ ଆସେ ।

ଯଦିଓ ସଂସ୍କୃତ ଭାଷା ଏକ ପ୍ରାଚୀନ ଭାଷା ଅଟେ, ତଥାପି ଏହା ଅତ୍ୟନ୍ତ ମାର୍ଜିତ ଓ ସମ୍ଭ୍ରାନ୍ତ ଅଟେ । ଶବ୍ଦମାନଙ୍କୁ ଯୋଡ଼ି ଏକ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ସଂସ୍କୃତ ଭାଷାରେ ଏକ ସାଧାରଣ ପ୍ରକ୍ରିୟା ଅଟେ ।

ଦୁଇ ବା ଊର୍ଦ୍ଧ୍ୱ ଶବ୍ଦର ସଂଯୋଗରେ ନୂତନ ଯୁଗ୍ମ ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାରେ ଶବ୍ଦଗୁଡ଼ିକର ଶେଷ ସ୍ୱର ଲୋପ ପାଇଥାଏ, ଏହାକୁ ସମାସ କୁହାଯାଏ ଏବଂ ନୂତନ ଯୁଗ୍ମଶବ୍ଦକୁ ସମାସ ପଦ କୁହାଯାଏ । ମୁଖ୍ୟତଃ, ଛଅ ପ୍ରକାରର ସମାସ ରହିଛି; ୧. ଦ୍ୱନ୍ଦ୍ୱ, ୨. ବହୁବ୍ରିହି, ୩. କର୍ମଧାରୟ, ୪. ତତ୍‌ପୁରୁଷ, ୫. ଦ୍ୱିଗୁ, ୬. ଅବ୍ୟୟୀ ଭାବ । ଏମାନଙ୍କ ମଧ୍ୟରୁ ଦ୍ୱନ୍ଦ୍ୱ ସମାସ ବିଶେଷ ଅଟେ, କାରଣ ଏଥିରେ ଦୁଇଟିଯାକ ଶବ୍ଦ ସ୍ପଷ୍ଟ ଭାବରେ ରହିଥାଏ । ଅନ୍ୟ ସବୁ ସମାସରେ ଗୋଟିଏ ଶବ୍ଦ ପ୍ରମୁଖ ରହିଥାଏ ବା ଦୁଇଟି ଶବ୍ଦ ମିଶି ଏକ ତୃତୀୟ ଶବ୍ଦ ଉତ୍ପନ୍ନ କରିଥାନ୍ତି । ରାଧା-କୃଷ୍ଣ ଶବ୍ଦ ଦ୍ୱନ୍ଦ୍ୱ ସମାସର ଏକ ଉଦାହରଣ ଅଟେ । ଶ୍ରୀକୃଷ୍ଣ ଏହାକୁ ତାଙ୍କର ବିଭୂତି ଭାବେ ପ୍ରାଧାନ୍ୟତା ଦେଇଛନ୍ତି ।

ସୃଷ୍ଟି ଏକ ଚମତ୍କାର ପ୍ରକ୍ରିୟା, ଯାହା ଅତ୍ୟନ୍ତ ବିସ୍ମୟକର ଅଟେ । ମାନବ ଜାତିର ସର୍ବୋତ୍କୃଷ୍ଟ  ଜ୍ଞାନ କୌଶଳଯୁକ୍ତ ଆବିଷ୍କାର ମଧ୍ୟ ତା’ ସମ୍ମୁଖରେ ମଳୀନ ମନେହେବ । ସେଥିପାଇଁ ଶ୍ରୀକୃଷ୍ଣ ସ୍ରଷ୍ଟାମାନଙ୍କ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଛନ୍ତି ଏବଂ ତାଙ୍କର ସୃଜନୀ ଶକ୍ତିକୁ ନିଜର ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।