Bhagavad Gita: Chapter 10, Verse 35

ବୃହତ୍ସାମ ତଥା ସାମ୍ନାଂ ଗାୟତ୍ରୀ ଛନ୍ଦସାମହମ୍ ।
ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ।।୩୫।।

ବୃହତ୍‌-ସାମ -ସାମବେଦର ଏକ ସ୍ତବନ; ତଥା - ମଧ୍ୟ; ସାମ୍ନାଂ - ସାମବେଦର; ଗାୟତ୍ରୀ - ଗାୟତ୍ରୀ; ଛନ୍ଦସାଂ - ସମସ୍ତ କବିତା ମଧ୍ୟରେ; ଅହଂ -ମୁଁ; ମ।।ସାନଂ -ମାସମାନଙ୍କ ମଧ୍ୟରେ; ମାର୍ଗଶୀର୍ଷୋ- ମାର୍ଗଶୀର ମାସ; ଅହଂ-ମୁଁ; ଋତୁନାଂ - ସମସ୍ତ ଋତୁ ମଧ୍ୟରେ; କୁସୁମାକରଃ - ବସନ୍ତଋତୁ ।

Translation

BG 10.35: ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍‌ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।

Commentary

ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ ଯେ ସାମବେଦ ସୁଲଳିତ ଭକ୍ତି ସଙ୍ଗୀତରେ ପରିପୂର୍ଣ୍ଣ । ବର୍ତ୍ତମାନ ସେ କହୁଛନ୍ତି, ସାମବେଦର ସମସ୍ତ ସ୍ତୋତ୍ର ମଧ୍ୟରୁ ସେ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ବୃହତ୍ସାମ ଅଟନ୍ତି । ଏହାର ଗାୟନ ବିଶେଷତଃ ମଧ୍ୟରାତ୍ରୀରେ କରାଯାଇଥାଏ ।

ଅନ୍ୟ ଭାଷା ପରି, ସଂସ୍କୃତ ଭାଷାରେ ପଦ୍ୟ ଲେଖିବା ପାଇଁ ସ୍ୱତନ୍ତ୍ର ସ୍ୱର ଏବଂ ଛନ୍ଦ ଅଛି । ବେଦର କବିତା ଗୁଡ଼ିକର ଅନେକ ପ୍ରକାର ଛନ୍ଦ ରହିଛି । ଏମାନଙ୍କ ମଧ୍ୟରୁ ଗାୟତ୍ରୀ ଛନ୍ଦ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୁମଧୁର ଅଟେ । ଏହି ଛନ୍ଦରେ ରଚିତ ଗାୟତ୍ରୀ ମନ୍ତ୍ର ଏକ ସୁପ୍ରସିଦ୍ଧ ମନ୍ତ୍ର ଅଟେ । ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ପ୍ରାର୍ଥନା ଅଟେ ।

ଭୁର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ
ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ । (ଋକ୍‌ବେଦ ୩.୬୨.୧୦)

“ତିନି ଲୋକକୁ ଉଦ୍‌ଭାସିତ କରୁଥିବା ଭଗବାନ ଆମର ନମସ୍ୟ ଅଟନ୍ତି ଏବଂ ଆମ୍ଭେମାନେ ତାଙ୍କର ପ୍ରାର୍ଥନା କରୁଛୁ । ସେ ପାପହାରୀ ଓ ଅଜ୍ଞାନ ବିନାଶକ ଅଟନ୍ତି । ଆମର ବୁଦ୍ଧିକୁ ସେ ସତ୍‌ମାର୍ଗରେ ଉଦ୍ଭାସିତ କରନ୍ତୁ ।” ବ୍ରତୋପନୟନ ଉତ୍ସବରେ, ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ବିଶେଷ ଭାବରେ କରାଯାଇଥାଏ ଏବଂ ପରେ ବ୍ରାହ୍ମଣ ମାନଙ୍କର ଦୈନନ୍ଦିନ ବୈଦିକ କର୍ମର ମଧ୍ୟ ଏହା ଏକ ମୁଖ୍ୟ ଅଂଗ ଅଟେ । ବେଦରେ ଦେବୀ ଗାୟତ୍ରୀ, ରୁଦ୍ର ଗାୟତ୍ରୀ, ବ୍ରହ୍ମା ଗାୟତ୍ରୀ, ପରମହଂସ ଗାୟତ୍ରୀ ଆଦି ଅନେକ ଗାୟତ୍ରୀ ମନ୍ତ୍ର ରହିଛି ।

ହିନ୍ଦୁ ବର୍ଷରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ । ଏହା ନଭେମ୍ବର -ଡ଼ିସେମ୍ବର ସମୟରେ ପଡ଼ିଥାଏ । ଭାରତରେ ସେତେବେଳେ ଉତ୍ତାପ ଠିକ୍ ଥାଏ- ଅତ୍ୟନ୍ତ ଗରମ ବା ଅତ୍ୟନ୍ତ ଥଣ୍ଡା ନଥାଏ । ଏହି ସମୟରେ ଶସ୍ୟ ଅମଳ ହୋଇଥାଏ । ସେଥିପାଇଁ ଏହି ମାସଟି ଲୋକଙ୍କର ଅତି ପ୍ରିୟ ଅଟେ ।

ବସନ୍ତ ଋତୁକୁ ଋତୁରାଜ କୁହାଯାଏ । ଏହି ସମୟରେ ପ୍ରତୀତ ହୁଏ ସତେ ଯେପରି ଜୀବନକୁ ପ୍ରସ୍ଫୁଟିତ କରିବାରେ ପ୍ରକୃତି ଉଦାରତାର ସହିତ ସହଯୋଗ କରୁଛି । ବସନ୍ତ ଋତୁରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ଯାହା ଆନନ୍ଦର ବାତାବରଣ ସୃଷ୍ଟି କରିଥାଏ । ତେଣୁ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ପ୍ରତିଫଳିତ କରିଥାଏ ।