Bhagavad Gita: Chapter 10, Verse 9

ମଚ୍ଚିତ୍ତା ମଦ୍‌ଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍ ।
କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ।।୯।।

ମତ୍‌-ଚିତ୍ତଃ -ଯାହାର ମନ ମୋ ଠାରେ ସ୍ଥିର;ମତ୍‌-ଗତ-ପ୍ରାଣାଃ - ଯାହାର ଜୀବନ ମୋ ପ୍ରତି ସମର୍ପିତ;ବୋଧୟନ୍ତଃ -ଭଗବତ୍ ଜ୍ଞାନରେ ଉଦ୍‌ଭାସିତ;ପରସ୍ପରମ୍ -ପରସ୍ପରକୁ; କଥୟନ୍ତଃ - କହିବା;ଚ -ଏବଂ;ମାଂ -ମୋ ବିଷୟରେ;ନିତ୍ୟଂ -ସର୍ବଦା;ତୁଷ୍ୟନ୍ତି -ତୃପ୍ତ କରନ୍ତି;ଚ -ଏବଂ;ରମନ୍ତି -ଆନନ୍ଦିତ ।

Translation

BG 10.9: ମୋର ଭକ୍ତମାନେ ତାଙ୍କର ମନକୁ ମୋ ଠାରେ କେନ୍ଦ୍ରିତ କରି, ଜୀବନକୁ ମୋତେ ସମର୍ପିତ କରି, ସର୍ବଦା ତୃପ୍ତ ରହିଥାଆନ୍ତି । ସେମାନେ ପରସ୍ପର ମଧ୍ୟରେ ମୋର ଦିବ୍ୟଗୁଣ ବିଷୟରେ ଆଲୋଚନା କରି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତି ।

Commentary

ମନର ସ୍ୱଭାବ ଏପରି ଯେ ସେ ଯାହାକୁ ଭଲ ପାଏ, ତା’ ସହିତ ସଂଲଗ୍ନ ରହିଥାଏ । ଭକ୍ତମାନଙ୍କର ମନ ଭଗବାନଙ୍କର ସ୍ମରଣରେ ନିମଜ୍ଜିତ ରହେ, କାରଣ ସେମାନଙ୍କର ମନରେ ଭଗବାନଙ୍କ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ରହିଥାଏ । ଭକ୍ତି ସେମାନଙ୍କ ଜୀବନର ଆଧାର ହୋଇଯାଏ, ଯାହା ସେମାନଙ୍କୁ ବଞ୍ôଚବାର ଅର୍ଥ, ଉଦ୍ଦେଶ୍ୟ ଓ ଶକ୍ତି ଯୋଗାଇ ଥାଏ । ମାଛ ପାଇଁ ଜଳର ଆବଶ୍ୟକତା ପରି, ସେମାନଙ୍କର ଜୀବନ ଧାରଣ ପାଇଁ ଭଗବତ୍ ସ୍ମରଣ ଅପରିହାର୍ଯ୍ୟ ହୋଇଯାଏ । 

ବ୍ୟକ୍ତିର ଶରୀର, ମନ ଓ ଧନ ଯାହା ପ୍ରତି ଉତ୍ସର୍ଗୀକୃତ, ଜାଣିବାକୁ ହେବ ଯେ ତାହା ହିଁ ତାଙ୍କର ସର୍ବାଧିକ ପ୍ରିୟ ଅଟେ । ବାଇବେଲ୍ କହେ: “ଯେଉଁଠି ତୁମର ଧନ ରହିଛି, ସେଇଠି ତୁମର ହୃଦୟ ରହିବ ।” (ମାଥ୍ୟୁ ୬.୨୧) । ତେଣୁ ବ୍ୟକ୍ତିର ହୃଦୟ କେଉଁଠି ଅଛି, ତାହା ତାଙ୍କର ଚେକ୍ ବହି ବା କ୍ରେଡ଼ିଟ୍ କାର୍ଡ଼କୁ ଅନୁଧ୍ୟାନ କରି ଜାଣିହେବ । ଯଦି ସେମାନେ ସୌକିନ କାର୍ ପାଇଁ ଖର୍ଚ୍ଚ କରୁଛନ୍ତି, ତେବେ ତାଙ୍କର ମନ ସେଥିରେ ଆସକ୍ତ ରହିଛି । ଯଦି ସେମାନେ ବିଳାସପୂର୍ଣ୍ଣ ଛୁଟି ଯାତ୍ରାରେ ଖର୍ଚ୍ଚ କରୁଛନ୍ତି, ତା’ହେଲେ ତାହାହିଁ ତାଙ୍କର ସର୍ବାଧିକ ପ୍ରିୟ । ଯଦି ସେମାନେ ଆଫିକ୍ରାର ଏଡ୍‌ସ ପୀଡ଼ିତ ପିଲାଙ୍କୁ ଦାନ କରୁଛନ୍ତି, ତାହେଲେ ତାଙ୍କର ମନ ସେଥିରେ କେନ୍ଦ୍ରିତ ରହିଛି । ପିତାମାତାଙ୍କର ସ୍ନେହ, ତାଙ୍କର ସମୟ ଓ ସମ୍ପତ୍ତିକୁ ସନ୍ତାନମାନଙ୍କର କଲ୍ୟାଣ ପାଇଁ ତ୍ୟାଗ କରିବାରୁ ଜାଣିହୁଏ । ସେହିପରି ଭକ୍ତମାନଙ୍କର ପ୍ରେମ, ଭଗବାନଙ୍କ ପ୍ରତି ସେମାନଙ୍କର ସମର୍ପଣରୁ ଜାଣିହୁଏ । ଶ୍ରୀକୃଷ୍ଣ କହୁଛନ୍ତି: ମଦ୍‌-ଗତ-ପ୍ରାଣା, ଅର୍ଥାତ୍ ମୋ ଭକ୍ତମାନେ ସେମାନଙ୍କର ଜୀବନକୁ ମୋଠାରେ ସମର୍ପଣ କରିଦେଇ ଥାଆନ୍ତି ।”

ଏହିପରି ସମର୍ପଣରୁ ସନ୍ତୋଷ ଲାଭ ହୁଏ । ଯେହେତୁ ଭକ୍ତମାନେ ତାଙ୍କର ସମସ୍ତ କର୍ମର ଫଳ ଭଗବାନଙ୍କୁ ଅର୍ପଣ କରିଦେଇ ଥାଆନ୍ତି, ପ୍ରତ୍ୟେକ ପରିସ୍ଥିତିକୁ ସେମାନେ ଭଗବତ୍‌-ପ୍ରେରିତ ଅନୁଭବ କରନ୍ତି । ସେଥିପାଇଁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପରିସ୍ଥିତିକୁ ସେମାନେ ଭଗବାନଙ୍କର ଇଚ୍ଛା ଭାବେ ସହର୍ଷ ଗ୍ରହଣ କରନ୍ତି ଏବଂ ଉଭୟରେ ସମଭାବାପନ୍ନ ରହନ୍ତି ।

ଭଗବାନଙ୍କ ପ୍ରତି ଭକ୍ତମାନଙ୍କର ଏହି ଶ୍ରଦ୍ଧା ସେମାନଙ୍କ ବାଣୀରେ ମଧ୍ୟ ପ୍ରକାଶ ପାଇଥାଏ । ସ୍ୱୟଂ ଭଗବାନଙ୍କର ଯଶଗାନ କରିବା ସହିତ ସେମାନେ ଅନ୍ୟ ଭକ୍ତମାନଙ୍କ ଗହଣରେ ତାଙ୍କର ନାମ, ରୂପ, ଲୀଳା, ଧାମ ଓ ସନ୍ଥ ମାନଙ୍କ ବିଷୟରେ ଆଲୋଚନା କରି ପରମ ଆନନ୍ଦ ଅନୁଭବ କରନ୍ତି । ଏହିପରି ଭାବରେ ସେମାନେ କୀର୍ତ୍ତନ କରି ଏବଂ ଭଗବାନଙ୍କର ଯଶ ଶ୍ରବଣ କରି, ନିଜେ ଆନନ୍ଦ ଆସ୍ୱାଦନ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ତାହାର ଆସ୍ୱାଦନ କରାଇ ଥାଆନ୍ତି । ଅନ୍ୟମାନଙ୍କୁ ଦିବ୍ୟ ଭଗବଦୀୟ ଜ୍ଞାନରେ ଉଦ୍‌ବୁଦ୍ଧ କରାଇ(ବୋଧୟନ୍ତି), ସେମାନେ ପରସ୍ପରର ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ହୋଇଥାଆନ୍ତି । ଭଗବାନଙ୍କ ଯଶକୀର୍ତ୍ତିର ଆଲୋଚନା କରି ଏବଂ କୀର୍ତ୍ତନ କରି ସେମାନେ ଅତ୍ୟନ୍ତ ସନ୍ତୋଷ (ତୁଷ୍ୟନ୍ତି) ଏବଂ ଆନନ୍ଦ (ରମନ୍ତି) ଅନୁଭବ କରିଥାଆନ୍ତି । ଏହିପରି ଭାବରେ, ସେମାନେ ଭଗବାନଙ୍କ ଉପାସନା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ମାଧ୍ୟମରେ କରିଥାଆନ୍ତି । ଏହାକୁ ତ୍ରିଧା ଭକ୍ତି କୁହାଯାଏ, ଯାହାର ଅନ୍ତର୍ଭୁକ୍ତ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ଅଟେ । ଏହାର ବର୍ଣ୍ଣନା ୯/୧୪ ଶ୍ଲୋକର ଭାଷ୍ୟରେ କରାଯାଇଛି ।

ଭକ୍ତମାନେ କିପରି ତାଙ୍କର ଉପାସନା କରନ୍ତି ତାହା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ପ୍ରତିଫଳ ଭଗବାନ କିପରି ଭାବରେ ଦିଅନ୍ତି, ତାହା ବର୍ଣ୍ଣନା କରୁଛନ୍ତି ।