Bhagavad Gita: Chapter 11, Verse 13

ତତ୍ରୈକସ୍ଥଂ ଜଗତ୍‌କୃତ୍ସ୍ନଂ ପ୍ରବିଭକ୍ତମନେକଧା ।
ଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା । ।।୧୩।।

ତତ୍ର - ସେଠାରେ; ଏକସ୍ଥଂ - ଏକ ସ୍ଥାନରେ ରହି; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପ୍ରବିଭକ୍ତଂ - ବିଭକ୍ତ; ଅନେକଧା - ଅନେକ ପ୍ରକାରେ; ଅପଶ୍ୟତ୍ - ଦେଖି ପାରିଲେ; ଦେବ ଦେବସ୍ୟ - ପରମପୁରୁଷ ଭଗବାନଙ୍କର; ଶରୀରେ - ବିଶ୍ୱରୂପରେ; ପାଣ୍ଡବ - ଅର୍ଜୁନ; ତଦା - ସେହି ସମୟରେ ।

Translation

BG 11.13: ସେଠାରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି ।

Commentary

ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି  ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ସୃଷ୍ଟି ଅନ୍ତର୍ଗତ ଅଗଣିତ ବ୍ରହ୍ମାଣ୍ଡ, ସେମାନଙ୍କର ଛାୟାପଥ ଓ ସୌରମଣ୍ଡଳ ଆଦି ଅନେକ ବିଭାଜନ ସହିତ, ପରମେଶ୍ୱରଙ୍କ ଶରୀରର ଏକ ଅଂଶରେ ସ୍ଥିତ ଅଟନ୍ତି ।

ଶ୍ରୀକୃଷ୍ଣ, ତାଙ୍କର ବାଲ୍ୟଲୀଳାରେ, ଏହି ବିଶ୍ୱରୂପ ତାଙ୍କ ମାତା ଯଶୋଦାଙ୍କୁ ମଧ୍ୟ ଦେଖାଇଥିଲେ । ସେ ତାଙ୍କର ଭକ୍ତମାନଙ୍କୁ ଆହ୍ଲାଦିତ କରିବା ପାଇଁ ନିଜର ଦିବ୍ୟ ଐଶ୍ୱର୍ଯ୍ୟକୁ ଲୁକ୍‌କାୟିତ ରଖି, ଏକ ଶିଶୁର ଭୂମିକା ନିର୍ବାହ କରୁଥିଲେ । ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜର ପୁତ୍ର ମନେ କରୁଥିଲେ । ତାଙ୍କର ବାରମ୍ବାର ବାରଣ ସତ୍ତ୍ୱେ, ସେ ମାଟି ଖାଇଥିବାରୁ ଦିନେ ସେ ତାଙ୍କୁ ବହୁତ ଦଣ୍ଡଦେଲେ ଏବଂ ମୁହଁ ଖୋଲି କ’ଣ ଖାଇଛନ୍ତି ତାହା ଦେଖାଇବାକୁ କହିଲେ । ଶ୍ରୀକୃଷ୍ଣ ମୁହଁ ଖୋଲିଲେ ଏବଂ ନିଜ ଯୋଗମାୟା ଶକ୍ତି ବଳରେ ସେହି ମୁହଁରେ ତାଙ୍କର ବିଶ୍ୱରୂପ ପ୍ରକଟ କଲେ । ଯଶୋଦା ତାଙ୍କ ଛୋଟ ଶିଶୁର ମୁହଁ ଭିତରେ ଏପରି ଅନନ୍ତ ବିସ୍ମୟ ଦେଖି ଚକିତ ହୋଇଗଲେ । ସେ ଏହି ଦୃଶ୍ୟରେ ଏପରି ଅଭିଭୂତ ହୋଇଗଲେ ଯେ ମୂର୍ଚ୍ଛିତ ହେବା ଅବସ୍ଥାକୁ ଆସିଗଲେ । ଶ୍ରୀକୃଷ୍ଣ ତାଙ୍କୁ ସ୍ପର୍ଶ କରି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ।

ଭଗବାନ ଯେଉଁ ବିଶ୍ୱରୂପ ମାତା ଯଶୋଦାଙ୍କୁ ଦେଖାଇଥିଲେ, ସେହି ରୂପ ସେ ତାଙ୍କ ସଖା ଅର୍ଜୁନଙ୍କୁ ଦେଖାଇଛନ୍ତି । ସେହି ବିଶ୍ୱରୂପର ସନ୍ଦର୍ଶନରେ ଅର୍ଜୁନଙ୍କର ପ୍ରତିକ୍ରିୟା କ’ଣ, ବର୍ତ୍ତମାନ ସଞ୍ଜୟ ତାହା ବର୍ଣ୍ଣନା କରୁଛନ୍ତି ।