Bhagavad Gita: Chapter 11, Verse 16

ଅନେକବାହୂଦରବକ୍ତ୍ରନେତ୍ରଂ
ପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ୍ ।
ନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ
ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ ।।୧୬।।

ଅନେକ-ଅନେକ; ବାହୁ-ବାହୁ; ଉଦର-ଉଦର; ବକ୍ତ୍ର-ମୁଖ; ନେତ୍ରଂ-ଚକ୍ଷୁ; ପଶ୍ୟାମି-ମୁଁ ଦେଖୁଛି; ତ୍ୱାଂ- ଆପଣଙ୍କୁ; ସର୍ବତଃ-ସବୁ ଦିଗରୁ; ଅନନ୍ତରୂପଂ-ଅନନ୍ତ ରୂପ; ନ ଅନ୍ତଂ-ଶେଷ ନାହିଁ; ନ ମଧ୍ୟଂ- ମଧ୍ୟ ନାହିଁ; ନ ପୁନଃ-ପୁନଶ୍ଚ ନାହିଁ; ତବ -ଆପଣଙ୍କର; ଆଦିଂ-ଆରମ୍ଭ; ପଶ୍ୟାମି- ମୁଁ ଦେଖୁଛି; ବିଶ୍ୱେଶ୍ୱର-ହେ ବ୍ରହ୍ମାଣ୍ଡର ଈଶ୍ୱର; ବିଶ୍ୱରୂପ- ବିଶ୍ୱରୂପରେ ।

Translation

BG 11.16: ମୁଁ ଆପଣଙ୍କର, ଅଗଣିତ ହସ୍ତ, ଉଦର, ମୁଖ ଏବଂ ଚକ୍ଷୁ ଯୁକ୍ତ ଅସୀମ ରୂପ ଚତୁର୍ଦ୍ଦିଗରେ ଦେଖୁଛି । ହେ ବିଶ୍ୱନିୟନ୍ତା, ବ୍ରହ୍ମାଣ୍ଡ ହିଁ ଆପଣଙ୍କର ସ୍ୱରୂପ ଅଟେ । ମୁଁ ଏହାର ଆଦ୍ୟ, ମଧ୍ୟ ଓ ଅନ୍ତ ଦେଖିପାରୁନାହିଁ ।

Commentary

ଅର୍ଜୁନ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି - ବିଶ୍ୱେଶ୍ୱର, ଅର୍ଥ ‘ବ୍ରହ୍ମାଣ୍ଡର ନିୟାମକ’ ଏବଂ ବିଶ୍ୱରୂପ ଅର୍ଥାତ୍ ‘ବ୍ରହ୍ମାଣ୍ଡୀୟ ସ୍ୱରୂପ’, ଯାହା ସୂଚିତ କରୁଛି, “ହେ ଶ୍ରୀକୃଷ୍ଣ, ଏହି ବିଶ୍ୱ ଆପଣଙ୍କର ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ ଆପଣ ଏହାର ନିୟନ୍ତା ମଧ୍ୟ ଅଟନ୍ତି । ପୁଣି ତାଙ୍କ ବିଶାଳତାର ଅନୁଭବ କରି ଅର୍ଜୁନ କହୁଛନ୍ତି ଯେ କୌଣସି ଦିଗରୁ ଦେଖିଲେ ମଧ୍ୟ ସେ ସେହି ପ୍ରାକଟ୍ୟର ପ୍ରାନ୍ତ ସ୍ଥିର କରି ପାରୁନାହାନ୍ତି । ସେ ତା’ର ଆରମ୍ଭ ଖୋଜି ପାଉନାହାଁନ୍ତି, ମଧ୍ୟ ଭାଗକୁ ଦେଖିବାକୁ ଚାହିଁଲେ ମଧ୍ୟ ସେଥିରେ ସଫଳ ହେଉନାହାନ୍ତି ଏବଂ ଅନ୍ତର ସନ୍ଧାନ କରିବାକୁ ଯାଇ ତାଙ୍କ ସମ୍ମୁଖରେ ପ୍ରକଟିତ ଦୃଶ୍ୟର ଶେଷ ଦେଖିପାରୁନାହାନ୍ତି ।