Bhagavad Gita: Chapter 11, Verse 44

ତସ୍ମାତ୍ ପ୍ରଣମ୍ୟ ପ୍ରଣିଧାୟ କାୟଂ
ପ୍ରସାଦୟେ ତ୍ୱାମହମୀଶମୀଡ୍ୟମ୍ ।
ପିତେବ ପୁତ୍ରସ୍ୟ ସଖେବ ସଖ୍ୟୁଃ
ପ୍ରିୟଃ ପ୍ରିୟାୟାର୍ହସି ଦେବ ସୋଢ଼ୁମ୍ ।।୪୪।।

ତସ୍ମାତ୍‌- ତେଣୁ; ପ୍ରଣମ୍ୟ- ପ୍ରଣାମ କରି; ପ୍ରଣିଧାୟ- ଦଣ୍ଡବତ କରି; କାୟମ୍‌- ଶରୀର; ପ୍ରସାଦୟେ- କୃପାଭିକ୍ଷା କରି; ତ୍ୱାଂ-ଆପଣଙ୍କୁ; ଅହଂ-ମୁଁ ; ଈଶଂ- ଭଗବାନଙ୍କୁ; ଈଡ଼୍ୟମ୍‌- ପୂଜନୀୟ; ପିତା-ଇବ - ପିତାଙ୍କ ପରି; ପୁତ୍ରସ୍ୟ- ପୁତ୍ରର; ସଖା-ଇବ- ବନ୍ଧୁ ପରି; ସଖ୍ୟୁଃ- ବନ୍ଧୁର; ପ୍ରିୟଃ- ପ୍ରିୟ; ପ୍ରିୟାୟାଃ-ପ୍ରିୟତମାର; ଅର୍ହସି- ଆପଣ ନିଶ୍ଚୟ; ଦେବ-ହେ ପ୍ରଭୁ; ସୋଢ଼ୁମ୍‌- କ୍ଷମା କରିବେ ।

Translation

BG 11.44: ଏଣୁ ହେ ଆଦରଣୀୟ ପ୍ରଭୁ ! ଆପଣଙ୍କ ସମ୍ମୁଖରେ ନତମସ୍ତକ ହୋଇ ଏବଂ ଦଣ୍ଡବତ ପ୍ରଣାମ ଜଣାଇ, ମୁଁ କ୍ଷମା ପ୍ରାର୍ଥନା କରୁଅଛି । ପିତା ପୁତ୍ରକୁ ସହ୍ୟ କରିବା ପରି, ବନ୍ଧୁ ବନ୍ଧୁକୁ କ୍ଷମା କରିବା ପରି ଓ ପ୍ରେମୀ ପ୍ରେମାସ୍ପଦର ସବୁ ଦୋଷ ଭୁଲିଯିବା ପରି, ଆପଣ ମୋର ସମସ୍ତ ଦୋଷ କ୍ଷମା କରନ୍ତୁ ।

Commentary

ଭଗବାନଙ୍କ ପ୍ରତି ପ୍ରଦର୍ଶନ କରିଥିବା ନିଜର ବ୍ୟବହାରକୁ ଅପରାଧ ବିବେଚନା କରି ଅର୍ଜୁନ କ୍ଷମା ପ୍ରାର୍ଥନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ସହିତ ମିଳାମିଶା କରିବା ବେଳେ- ଖେଳିବା, ଖାଇବା, ଥଟ୍ଟା ପରିହାସ, କଥାବାର୍ତ୍ତା ଏବଂ ବିଶ୍ରାମ କାଳରେ- ସେ ସର୍ବଶକ୍ତିମାନ ଭଗବାନଙ୍କ ପ୍ରତି ଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁ ନ ଥିଲେ । ତଥାପି ସମ୍ବନ୍ଧ ଅତ୍ୟନ୍ତ ଘନିଷ୍ଠ ଥିଲେ, ଏପରି ଉଲଘଂନକୁ କେହି ବି ମନରେ ଧରନ୍ତି ନାହିଁ । କୌଣସି ସରକାରୀ ଅଧିକାରୀଙ୍କର ଦେଶର ରାଷ୍ଟ୍ରପତିଙ୍କ ସହ ପରିହାସ କରିବାର ଅଧିକାର ନ ଥାଏ । କିନ୍ତୁ ରାଷ୍ଟ୍ରପତିଙ୍କର ବନ୍ଧୁ ତାଙ୍କୁ ଥଟ୍ଟା କରନ୍ତି, ଉପହାସ କରନ୍ତି, ଏପରିକି ଗାଳି ମଧ୍ୟ ଦେଇଥାନ୍ତି । ରାଷ୍ଟ୍ରପତି କିଛି ଖରାପ ଭାବନ୍ତି ନାହିଁ, ବରଂ ତାଙ୍କର ଥଟ୍ଟା ପରିହାସକୁ, ଅଧସ୍ତନ କର୍ମଚାରୀ ମାନେ ଦେଉଥିବା ସମ୍ମାନଠାରୁ ଅଧିକ ମୂଲ୍ୟ ଦେଇଥାନ୍ତି । ହଜାର ହଜାର ବ୍ୟକ୍ତି ଜଣେ ସେନାଧ୍ୟକ୍ଷଙ୍କୁ ସାଲ୍ୟୁଟ୍ କରିଥାନ୍ତି, କିନ୍ତୁ କେହି ବି, ତାଙ୍କର ପରମ ଅନ୍ତରଙ୍ଗ ପତ୍ନୀଙ୍କ ପରି ପ୍ରିୟ ନୁହଁନ୍ତି । ସେହିପରି ଶ୍ରୀକୃଷ୍ଣଙ୍କ ପ୍ରତି ଅର୍ଜୁନଙ୍କର ଘନିଷ୍ଠ ବ୍ୟବହାର ମର୍ଯ୍ୟାଦାର ଉଲଘଂନ ନଥିଲା; ସେଗୁଡ଼ିକ ଜଣେ ବନ୍ଧୁ ଭାବରେ ତାଙ୍କର ଗଭୀର ପ୍ରେମର ନିଦର୍ଶନ ଥିଲା । ଜଣେ ଭକ୍ତ ସ୍ୱଭାବରେ ନମ୍ର ହୋଇଥାନ୍ତି ଏବଂ ବିନମ୍ରତା ଯୋଗୁଁ ସେ ଅନୁଭବ କରନ୍ତି ହୁଏତ ସେ ଅପରାଧ କରିଥାଇପାରନ୍ତି, ତେଣୁ ସେ କ୍ଷମା ଭିକ୍ଷା କରୁଛନ୍ତି ।