Bhagavad Gita: Chapter 11, Verse 48

ନ ବେଦଯଜ୍ଞାଧ୍ୟୟନୈର୍ନ ଦାନୈ-
ର୍ନ ଚ କ୍ରିୟାଭିର୍ନ ତପୋଭିରୁଗ୍ରୈଃ ।
ଏବଂରୂପଃ ଶକ୍ୟ ଅହଂ ନୃଲୋକେ
ଦ୍ରଷ୍ଟୁଂ ତ୍ୱଦନ୍ୟେନ କୁରୁପ୍ରବୀର ।।୪୮।।

ନ- ନୁହେଁ; ବେଦଯଜ୍ଞ- ଯଜ୍ଞ କରି; ଅଧ୍ୟୟନୈଃ- ବେଦ ଅଧ୍ୟୟନ କରି; ନ ଦାନୈଃ- ଦାନଦ୍ୱାରା ନୁହେଁ; ଚ -ଏବଂ; କ୍ରିୟାଭିଃ-ପୁଣ୍ୟକର୍ମ ଦ୍ୱାରା; ନ ତପୋଭିଃ- ତପସ୍ୟାଦ୍ୱାରା ନୁହେଁ; ଉଗ୍ରୈଃ-ଉଗ୍ର (କଠିନ); ଏବଂ ରୂପଃ- ଏହି ରୂପରେ; ଶକ୍ୟଃ- ସକ୍ଷମ; ଅହଂ- ମୁଁ; ନୃଲୋକେ- ନର ଲୋକରେ; ଦ୍ରଷ୍ଟୁଂ-ଦେଖିବାକୁ; ତ୍ୱତ୍‌-ତୁମ ଛଡା; ଅନ୍ୟେନ-ଅନ୍ୟଦ୍ୱାରା; କୁରୁ-ପ୍ରବୀର- କୁରୁବଂଶର ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

Translation

BG 11.48: ହେ କୁରୁ ପ୍ରବୀର! ତୁମେ ଯାହା ଦର୍ଶନ କଲ, ତାହା କୌଣସି ମର ଶରୀରଧାରୀ ବ୍ୟକ୍ତି, ବେଦ ଅଧ୍ୟୟନ ଦ୍ୱାରା, ଯଜ୍ଞ ଅନୁଷ୍ଠାନ ଦ୍ୱାରା, ଦାନ ଧର୍ମ ଦ୍ୱାରା କିମ୍ବା କଠୋର ସଂଯମ ଆଚରଣ ଦ୍ୱାରା, କେବେହେଲେ ଦର୍ଶନ କରିପାରି ନାହାଁନ୍ତି ।

Commentary

ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ବେଦ ଅଧ୍ୟୟନ, ବିଧିବିଧାନଯୁକ୍ତ ଅନୁଷ୍ଠାନ, କଠୋର ଆତ୍ମସଂଯମ, ଆହାର ତ୍ୟାଗ କିମ୍ବା ବିପୁଳ ଦାନ ଇତ୍ୟାଦି ନିଜ ଉଦ୍ୟମ, ଭଗବାନଙ୍କ ବିଶ୍ୱରୂପର ଦର୍ଶନ ପାଇଁ ଯଥେଷ୍ଟ ନୁହେଁ । ଏହା କେବଳ ତାଙ୍କ କୃପାରୁ ହିଁ ସମ୍ଭବ । ଏହା ବେଦରେ ମଧ୍ୟ ବାରମ୍ବାର କୁହାଯାଇଛି:

ତସ୍ୟ ନୋ ହ୍ରାସ୍ୱ ତସ୍ୟ ନୋ ଧେହି (ଯଜୁର୍ବେଦ)

“ପରମେଶ୍ୱରଙ୍କ କରୁଣାର ଅମୃତରେ ଅବଗାହନ ନ କରି କୌଣସି ବ୍ୟକ୍ତି ତାଙ୍କର ଦର୍ଶନ ଲାଭ କରିପାରିବେ ନାହିଁ ।”

ଏହା ପଛରେ ଥିବା ତର୍କ ଅତ୍ୟନ୍ତ ସିଧାସଳଖ ଅଟେ । ଆମର ଚକ୍ଷୁ ଭୌତିକ ଉପାଦାନରେ ଗଠିତ । ତେଣୁ ସେ ଯାହାସବୁ ଦେଖେ, ତାହା ଭୌତିକ ଅଟେ । ଭଗବାନ ଭୌତିକ ନୁହଁନ୍ତି, ସେ ଦିବ୍ୟ ଅଟନ୍ତି । ତାଙ୍କର ଦିବ୍ୟରୂପକୁ ଦେଖିବା ପାଇଁ, ଆମର ଚକ୍ଷୁ ହୋଇଥିବା ଆବଶ୍ୟକ । ଭଗବାନ ଯେତେବେଳେ ଜୀବକୁ ତାଙ୍କର କୃପା ପ୍ରଦାନ କରନ୍ତି, ସେ ତାଙ୍କର ଦିବ୍ୟଶକ୍ତି ଜୀବର ଭୌତିକ ଚକ୍ଷୁକୁ ପ୍ରଦାନ କରିଥାନ୍ତି, ଏବଂ ସେତେବେଳେ ହିଁ ସେ ତାଙ୍କୁ ଦେଖି ପାରିଥାଏ ।

ଏଠାରେ ଜଣେ ପଚାରି ପାରନ୍ତି ଯେ ଅର୍ଜୁନ ସିନା ଭଗବାନଙ୍କ କୃପାରୁ ଦେଖିପାରିଲେ, ସଞ୍ଜୟ ସେହି ବିଶ୍ୱରୂପକୁ କିପରି ଦେଖିଲେ ?  ମହାଭାରତ ବର୍ଣ୍ଣନା କରେ ଯେ ସଞ୍ଜୟ ମଧ୍ୟ ଏହି ଦିବ୍ୟ ଦୃଷ୍ଟି ତାଙ୍କ ଗୁରୁ, ବେଦବ୍ୟାସଙ୍କ କୃପାରୁ ପାଇଥିଲେ, ଯିଏକି ଭଗବାନଙ୍କର ଅବତାର ଥିଲେ । ଯୁଦ୍ଧ ପୂର୍ବରୁ ବେଦବ୍ୟାସ ତାଙ୍କ ଶିଷ୍ୟ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ଦେଇଥିଲେ, ଯଦ୍ୱାରା ସେ ଯୁଦ୍ଧର ସମସ୍ତ ଘଟଣାବଳୀ  ଧୃତରାଷ୍ଟ୍ରଙ୍କୁ ଜଣାଇପାରିବେ । ତେଣୁ ସେ ମଧ୍ୟ ଅର୍ଜୁନ ଦେଖୁଥିବା ବିଶ୍ୱରୂପର ଦର୍ଶନ କରିଥିଲେ । କିନ୍ତୁ ପରେ, ଯେତେବେଳେ ଦୁର୍ଯ୍ୟୋଧନ ମୃତ୍ୟୁବରଣ କଲେ, ସେ ଶୋକାଭିଭୂତ ହୋଇ ତାଙ୍କର ଦିବ୍ୟଦୃଷ୍ଟି ହରାଇଥିଲେ ।