Bhagavad Gita: Chapter 12, Verse 16

ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।
ସର୍ବାରମ୍ଭପରିତ୍ୟାଗୀ ଯୋ ମଦ୍‌ଭକ୍ତଃ ସ ମେ ପ୍ରିୟଃ ।।୧୬।।

ଅନପେକ୍ଷଃ - ନିରପେକ୍ଷ; ଶୁଚିଃ - ପବିତ୍ର; ଦକ୍ଷଃ - ଦକ୍ଷ; ଉଦାସୀନଃ - ଉଦାସୀନ; ଗତବ୍ୟଥଃ - ସମସ୍ତ ବ୍ୟଥାରୁ ମୁକ୍ତି; ସର୍ବ-ଆରମ୍ଭ -ସମସ୍ତ ପ୍ରଚେଷ୍ଟା; ପରିତ୍ୟାଗୀ- ପରିତ୍ୟାଗୀ; ଯଃ -ଯିଏ; ମଦ୍‌-ଭକ୍ତଃ -ମୋର ଭକ୍ତ; ସଃ - ସେ; ମେ-ମୋର; ପ୍ରିୟଃ - ଅତିପ୍ରିୟ ।

Translation

BG 12.16: ଯେଉଁମାନେ ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ, ବାହ୍ୟ ଏବଂ ଅଭ୍ୟନ୍ତରରେ ପବିତ୍ର, ଦକ୍ଷ, ନିଶ୍ଚିନ୍ତ, ଅବିଚଳିତ ଏବଂ ସମସ୍ତ ପ୍ରଯତ୍ନରେ ସ୍ୱାର୍ଥରହିତ ଥାଆନ୍ତି, ସେହି ଭକ୍ତମାନେ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

Commentary

ସାଂସାରିକ ଲାଭ ପ୍ରତି ନିର୍ଲିପ୍ତ - ଜଣେ ଅତ୍ୟନ୍ତ ଗରିବ ଲୋକ ପାଇଁ ୧୦୦ଟଙ୍କା ହଜିଯିବା ବହୁତ ବଡ କଥା ଅଟେ, କିନ୍ତୁ ଜଣେ କୋଟିପତି ତାହାକୁ ନଗଣ୍ୟ ଭାବନ୍ତି ଏବଂ ସେଥିରେ ଚିନ୍ତିତ ହୁଅନ୍ତି ନାହିଁ । ଭକ୍ତମାନେ ଭଗବାନଙ୍କ ପ୍ରେମରେ ଧନାଢ଼୍ୟ ହୋଇ ଯାଇଥାନ୍ତି ସେମାନେ ଏହାକୁ ସଂସାରର ସବୁଠାରୁ ମୂଲ୍ୟବାନ ସମ୍ପଦ ମନେ କରନ୍ତି । ସେମାନେ ଭଗବାନଙ୍କର ଭକ୍ତିଯୁକ୍ତ ସେବାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଅନ୍ତି । ସୁତରାଂ, ସେମାନେ ସାଂସାରିକ ଲାଭ ପାଇଁ ଚିନ୍ତିତ ହୁଅନ୍ତି ନାହିଁ ।

ବାହ୍ୟ ଓ ଅଭ୍ୟନ୍ତରରେ ପବିତ୍ର - ସେମାନଙ୍କର ମନ ସର୍ବଦା ପୂର୍ଣ୍ଣଶୁଦ୍ଧ ଭଗବାନଙ୍କଠାରେ ଯୁକ୍ତ ରହିଥିବା ଯୋଗୁଁ, ଭକ୍ତମାନେ ଲୋଭ, କ୍ରୋଧ, ଆସକ୍ତି, ଈର୍ଷା, ଅହଂକାର ଇତ୍ୟାଦି ଦୋଷରୁ ମୁକ୍ତ ରହି ଆଭ୍ୟନ୍ତରୀଣ ପବିତ୍ରତାକୁ ପ୍ରାପ୍ତ ହୋଇଥାନ୍ତି । ଏହିପରି ମାନସିକ ସ୍ଥିତିରେ ସେମାନେ ନିଜର ବାହ୍ୟ ଶରୀର ଓ ପରିବେଶକୁ ମଧ୍ୟ ପବିତ୍ର ରଖିବାକୁ ଇଚ୍ଛା କରିବା ସ୍ୱାଭାବିକ । “ସ୍ୱଚ୍ଛତା ହିଁ ଭଗବାନ”- ଏହି ପୁରାତନ ଉକ୍ତି ଅନୁଯାୟୀ, ଭକ୍ତମାନେ ଉଭୟ ବାହ୍ୟରୂପରେ ଏବଂ ଅଭ୍ୟନ୍ତରରେ ଶୁଦ୍ଧ ଅଟନ୍ତି ।

ଦକ୍ଷ - ଭକ୍ତମାନେ ସେମାନଙ୍କର ସମସ୍ତ କାର୍ଯ୍ୟଭାରକୁ ଭଗବାନଙ୍କ ସେବାର ଏକ ସୁଯୋଗ ଭାବରେ ଗ୍ରହଣ କରନ୍ତି । ତେଣୁ ସେମାନେ ନିଜର ପ୍ରତ୍ୟେକ କାର୍ଯ୍ୟକୁ ଅତ୍ୟନ୍ତ ସାବଧାନ ଓ ମନୋଯୋଗ ସହକାରେ କରିଥାନ୍ତି, ଯାହା ସେମାନଙ୍କୁ ସ୍ୱାଭାବିକ ଭାବେ ଦକ୍ଷ କରିଥାଏ ।

ନିଶ୍ଚିନ୍ତ - ନିଜ ଶରଣାଗତି ଅନୁସାରେ, ସେମାନଙ୍କର ଏହି ବିଶ୍ୱାସ ଥାଏ ଯେ ଭଗବାନ ସର୍ବଦା ତାଙ୍କର ରକ୍ଷା କରୁଛନ୍ତି । ତେଣୁ ସେମାନେ ନିଶ୍ଚିନ୍ତ ରହନ୍ତି ।

ଅବିଚଳିତ - ଯେହେତୁ ଭକ୍ତମାନେ ଭଗବାନଙ୍କ ଇଚ୍ଛାରେ ଇଚ୍ଛା ରଖିଥାଆନ୍ତି, ସମସ୍ତ କାର୍ଯ୍ୟରେ ସେମାନେ ତାଙ୍କର ସର୍ବଶ୍ରେଷ୍ଠ ଉଦ୍ୟମ କରିଥାନ୍ତି, କିନ୍ତୁ ତା’ର ଫଳକୁ ଭଗବାନଙ୍କ ହାତରେ ଛାଡି ଦେଇଥାଆନ୍ତି । ତେଣୁ ପରିଣତି ଯାହା ହେଲେ ମଧ୍ୟ, ସେମାନେ ସେଥିରେ ଅବିଚଳିତ ରହନ୍ତି ।

ପ୍ରଯତ୍ନରେ ସ୍ୱାର୍ଥରହିତ -  ଭଗବାନଙ୍କ ପ୍ରତି ସେମାନଙ୍କର ସେବା ଭାବନା, ସେମାନଙ୍କୁ ସଂକୀର୍ଣ୍ଣ ସ୍ୱାର୍ଥର ବହୁ ଉର୍ଦ୍ଧ୍ୱରେ ରଖିଥାଏ ।