Bhagavad Gita: Chapter 12, Verse 20

ଯେ ତୁ ଧର୍ମ୍ୟାମୃତମିଦଂ ଯଥୋକ୍ତଂ ପର୍ଯ୍ୟୁପାସତେ ।
ଶ୍ରଦ୍ଦଧାନା ମତ୍‌ପରମା ଭକ୍ତାସ୍ତେଽତୀବ ମେ ପ୍ରିୟାଃ ।।୨୦।।

ଯେ- ଯେଉଁମାନେ; ତୁ-କିନ୍ତୁ; ଧର୍ମ- ବିଦ୍ୱତା; ଅମୃତଂ-ଅମୃତ; ଇଦଂ-ଏହା; ଯଥା-ଯଥା (ଯେପରି); ଉକ୍ତଂ-କୁହାଗଲା; ପର୍ଯ୍ୟୁପାସତେ- ସଂପୂର୍ଣ୍ଣରୂପେ ନିୟୋଜିତ ରହେ; ଶ୍ରଦ୍ଦଧାନାଃ- ଶ୍ରଦ୍ଧା ଓ ବିଶ୍ୱାସର ସହିତ; ମତ୍‌-ପରମାଃ- ମୋତେ ପରମ ଲକ୍ଷ୍ୟ ଭାବରେ ଗ୍ରହଣ କରି; ଭକ୍ତାଃ-ଭକ୍ତମାନେ; ତେ- ସେମାନେ; ଅତୀବ- ଅତ୍ୟନ୍ତ; ମେ-ମୋର; ପ୍ରିୟଃ-ପ୍ରିୟ ।

Translation

BG 12.20: ଏଠାରେ ପ୍ରଦାନ କରାଯାଇଥିବା ଜ୍ଞାନାମୃତର ଯେଉଁମାନେ ଆଦର କରନ୍ତି; ମୋଠାରେ ପୂର୍ଣ୍ଣ ବିଶ୍ୱାସ ରଖି ଯେଉଁମାନେ ମୋର ଶରଣାଗତ ହୁଅନ୍ତି ଏବଂ ମୋତେ ତାଙ୍କର ଚରମ ଲକ୍ଷ୍ୟ ରୂପେ ବିଚାର କରନ୍ତି, ସେମାନେ ମୋର ସର୍ବାଧିକ ପ୍ରିୟ ଅଟନ୍ତି ।

Commentary

ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଭାବରେ ଶ୍ରୀକୃଷ୍ଣ ଯାହା ଯାହା କହିଲେ, ତାହାର ସାରାଂଶ ପ୍ରସ୍ତୁତ କରି ଶ୍ରୀକୃଷ୍ଣ ଏହି ଅଧ୍ୟାୟର ଉପସଂହାର କରୁଛନ୍ତି । ଅଧ୍ୟାୟର ପ୍ରାରମ୍ଭରେ ଅର୍ଜୁନ ତାଙ୍କୁ ପ୍ରଶ୍ନ କରିଥିଲେ, ଭକ୍ତିଯୋଗ ଦ୍ୱାରା ତାଙ୍କ ସାକାର ରୂପର ଉପାସନା କରୁôଥିବା ସାଧକ ଏବଂ ଜ୍ଞାନଯୋଗ ଦ୍ୱାରା ତାଙ୍କ ନିରାକାର ବ୍ରହ୍ମ ସ୍ୱରୂପର ଉପାସନା କରୁଥିବା ସାଧକମାନଙ୍କ ମଧ୍ୟରେ ସେ କାହାକୁ ଶ୍ରେଷ୍ଠ ମନେ କରନ୍ତି । ଦ୍ୱିତୀୟ ଶ୍ଳୋକରେ ଶ୍ରୀକୃଷ୍ଣ କହିଥିଲେ ଯେ, ଯେଉଁମାନେ ତାଙ୍କର ସାକାର ରୂପର ନିରନ୍ତର ଧ୍ୟାନ କରନ୍ତି, ସେ ସେହି ସାଧକମାନଙ୍କୁ ଶ୍ରେଷ୍ଠ ଯୋଗୀ ଭାବରେ ବିବେଚନା କରନ୍ତି । ସେ ପ୍ରଥମେ ଭକ୍ତି କରିବାର ଉପାୟ ଏବଂ ତା’ପରେ ଭକ୍ତମାନଙ୍କର ଲକ୍ଷଣ ସବୁ ବର୍ଣ୍ଣନା କରି, ଏହି ବିଷୟର ଆଲୋଚନା ଜାରି ରଖିଥିଲେ । ଭକ୍ତିକୁ ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ମାର୍ଗ ଭାବରେ ପ୍ରତିପାଦିତ କରି, ସେ ବର୍ତ୍ତମାନ ଅଧ୍ୟାୟର ଅନ୍ତ କରିବାକୁ ଛନ୍ତି । ଯେଉଁମାନେ ପରଂବ୍ରହ୍ମଙ୍କୁ ତାଙ୍କର ଚରମ ଲକ୍ଷ୍ୟ ଭାବେ ଗ୍ରହଣ କରନ୍ତି, ହୃଢ଼ ବିଶ୍ୱାସର ସହ ଭକ୍ତି ଆଚରଣ କରନ୍ତି ଏବଂ ପୂର୍ବବର୍ତ୍ତୀ ଶ୍ଳୋକମାନଙ୍କରେ ବର୍ଣ୍ଣିତ ଗୁଣ ଦ୍ୱାରା ନିଜକୁ ଓତଃପ୍ରୋତ କରିଥାଆନ୍ତି, ସେମାନେ ଭଗବାନଙ୍କର ଅତିପ୍ରିୟ ଅଟନ୍ତି ।