Bhagavad Gita: Chapter 12, Verse 8

ମୟ୍ୟେବ ମନ ଆଧାତ୍‌ସ୍ୱ ମୟି ବୁଦ୍ଧିଂ ନିବେଶୟ ।
ନିବସିଷ୍ୟସି ମୟ୍ୟେବ ଅତ ଉର୍ଦ୍ଧ୍ୱଂ ନ ସଂଶୟଃ ।।୮।।

ମୟି -ମୋ’ଠାରେ; ଏବ -ନିଶ୍ଚିତଭାବେ; ମନଃ -ମନ; ଆଧତ୍‌ସ୍ୱ -ସ୍ଥିରକର; ମୟି -ମୋ’ଠାରେ; ବୁଦ୍ଧିଂ -ବୁଦ୍ଧି; ନିବେଶୟ - ନିବିଷ୍ଟକରି; ନିବସିଷ୍ୟସି - ସର୍ବଦା ବାସ କରିବ; ମୟି- ମୋ’ଠାରେ; ଏବ - ନିଶ୍ଚିତଭାବେ, ଅତ ଊର୍ଦ୍ଧ୍ୱଂ- ତତ୍‌ପଶ୍ଚାତ୍ , ନ - ନାହିଁ; ସଂଶୟଃ - ସନ୍ଦେହ ।

Translation

BG 12.8: ତୁମର ମନକୁ କେବଳ ମୋଠାରେ କେନ୍ଦ୍ରୀଭୂତ କର ଏବଂ ବୁଦ୍ଧି ମୋତେ ସମର୍ପଣ କର । ତଦ୍ୱାରା ତୁମେ ମୋ ସହିତ ସର୍ବଦା ବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

Commentary

ସାକାର ସ୍ୱରୂପର ଆରାଧନା ଶ୍ରେଷ୍ଠ କହିବା ପରେ, ସେହି ଉପାସନା କିପରି କରାଯିବା ଉଚିତ୍‌, ବର୍ତ୍ତମାନ ଶ୍ରୀକୃଷ୍ଣ ତାହା ବୁଝାଇବା ଆରମ୍ଭ କରିଛନ୍ତି । ସେ ଅର୍ଜୁନଙ୍କୁ ଦୁଇଟି କାର୍ଯ୍ୟ କରିବାକୁ କହୁଛନ୍ତି - ଭଗବାନଙ୍କ ଠାରେ ମନକୁ କେନ୍ଦ୍ରିତ କରିବା ଏବଂ ବୁଦ୍ଧିକୁ ସମର୍ପଣ କରିବା । ମନର କାର୍ଯ୍ୟ ହେଲା କାମନା, ଆସକ୍ତି ଓ ଦ୍ୱେଷ ଉତ୍ପନ୍ନ କରିବା । ବୁୁଦ୍ଧିର କାର୍ଯ୍ୟ ହେଉଛି, ଚିନ୍ତା କରିବା, ବିଶ୍ଲେଷଣ କରିବା ଓ ଚୟନ କରିବା ।

ବେଦ ଶାସ୍ତ୍ର ମନର ବିଶେଷତ୍ୱ ଉପରେ ବାରମ୍ବାର ଗୁରୁତ୍ୱ ଦେଇଥାଆନ୍ତି ।

ଚେତଃ ଖଲ୍ୱସ୍ୟ ବନ୍ଧାୟ ମୁକ୍ତୟେ ଚାତ୍ମନୋ ମତମ୍ ।
ଗୁଣେଷୁ ସକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟେ । । (ଭାଗବତମ୍ ୩.୨୫.୧୫)

“ ମାୟାର ବନ୍ଧନରେ ରହିବା ଅଥବା ସେଥିରୁ ମୁକ୍ତ ହେବା, ମନ ହିଁ ନିର୍ଦ୍ଧାରଣ କରିଥାଏ । ମନ ଯଦି ସଂସାରରେ ଆସକ୍ତ, ତାହେଲେ ସେ ବନ୍ଧନଯୁକ୍ତ ରହିବ ଏବଂ ମନ ଯଦି ସଂସାର ପ୍ରତି ବୈରାଗ୍ୟଯୁକ୍ତ ହୋଇଯିବ, ତେବେ ବ୍ୟକ୍ତି ମୁକ୍ତ ହୋଇଯିବ ।

ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ (ପଞ୍ଚଦଶୀ)

“ବନ୍ଧନ ଓ ମୋକ୍ଷର କାରଣ ମନ ହିଁ ଅଟେ ।” କେବଳ ଶାରୀରିକ କ୍ରିୟା ଦ୍ୱାରା ଭକ୍ତି କରିବା ଯଥେଷ୍ଟ ନୁହେଁ; ଆମେ ମନକୁ ଭଗବାନଙ୍କ ଧ୍ୟାନରେ ନିମଗ୍ନ କରିବା ଉଚିତ । ଏହାର କାରଣ, ମନର ସଂଯୋଗ ବିନା ଇନ୍ଦ୍ରିୟ କର୍ମ ମୂଲ୍ୟହୀନ ଅଟେ । ଉଦାହରଣ ସ୍ୱରୂପ, ପ୍ରବଚନ ଶୁଣୁଥିବା ସମୟରେ ଆମର ମନ ଯଦି ଅନ୍ୟତ୍ର ଚାଲିଯାଏ, ତେବେ ସେହି ସମୟରେ କ’ଣ କୁହାଗଲା ତାହା ଆମେ ଜାଣିପାରେ ନାହିଁ । ଶବ୍ଦ ସବୁ କାନରେ ପ୍ରବେଶ କରୁଥିବ, କିନ୍ତୁ ତାହା ଆମର ଧ୍ୟାନ ଆକର୍ଷିତ କରିବ ନାହିଁ । ଅତଏବ, ମନକୁ ନ ଲଗାଇ କେବଳ ଇନ୍ଦ୍ରିୟ ଦ୍ୱାରା କରାଯାଉ ଥିବା କର୍ମର ମୂଲ୍ୟ ନ ଥାଏ । ଅନ୍ୟ ପକ୍ଷରେ, ମନ ଏପରି ଏକ ଯନ୍ତ୍ର ଅଟେ, ଯେଉଁଠି ସମସ୍ତ ଇନ୍ଦ୍ରିୟ ସୂକ୍ଷ୍ମ ରୂପରେ ବାସ କରନ୍ତି । ତେଣୁ ବେଳେ ବେଳେ ଏପରି ଦେଖାଯାଏ, ଇନ୍ଦ୍ରିୟମାନେ କର୍ମ କରୁ ନ ଥିଲେ ମଧ୍ୟ, ମନ ଦୃଶ୍ୟ, ଗନ୍ଧ, ସ୍ୱାଦ, ସ୍ପର୍ଶ ଏବଂ ଶବ୍ଦର ଅନୁଭବ କରିଥାଏ । ଉଦାହରଣ ସ୍ୱରୂପ, ରାତିରେ ଶୋଇଥିବା ଅବସ୍ଥାରେ ଆମର ଇନ୍ଦ୍ରିୟମାନେ ନିଷ୍କ୍ରିୟ ଥାନ୍ତି । ତଥାପି ସ୍ୱପ୍ନରେ ଆମେ ଇନ୍ଦ୍ରିୟମାନଙ୍କର ବିଷୟକୁ ଅନୁଭବ କରିପାରେ ।ଏହା ପ୍ରମାଣିତ କରିଥାଏ ଯେ ସ୍ଥୁଳ ଇନ୍ଦ୍ରିୟମାନଙ୍କର ଅଭାବରେ ମଧ୍ୟ ମନ ଇନ୍ଦ୍ରିୟାନୁଭୂତି ସୃଷ୍ଟି କରିପାରେ । ସେଥିପାଇଁ ଆମଣ କର୍ମକୁ ଲିପିବଦ୍ଧ କରିବା ସମୟରେ, ଭଗବାନ ଆମର ମାନସିକ କର୍ମକୁ ଶାରୀରିକ କର୍ମ ଅପେକ୍ଷା ଅଧିକ ମହତ୍ତ୍ୱ ଦେଇଥାଆନ୍ତି ।

ମନଠାରୁ ବୁଦ୍ଧିର ସ୍ଥାନ ଆହୁରି ଉଚ୍ଚରେ । ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପିତ କରିବା ପରେ ହିଁ ଆମେ ମନକୁ ତାଙ୍କଠାରେ ସ୍ଥିର କରିପାରିବା । ସଂସାରିକ କ୍ଷେତ୍ରରେ ମଧ୍ୟ ଯେତେବେଳେ ଆମେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେଉ ଯାହା ଆମ ବୁଦ୍ଧିର ବାହାରେ, ସେତେବେଳେ ଆମେ ଜଣେ ଅଧିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କର ସହାୟତା ନେଇଥାଏ । ଉଦାହରଣ ସ୍ୱରୂପ, ଆମେ ଅସୁସ୍ଥ ହେଲେ ଜଣେ ଡ଼ାକ୍ତରଙ୍କ ପାଖକୁ ଯାଏ । ଆମର ଚିକିତ୍ସା ବିଜ୍ଞାନ ସମ୍ପର୍କରେ କୌଣସି ଜ୍ଞାନ ନଥାଏ, ସେଥିପାଇଁ ଆମେ ଡ଼ାକ୍ତରଙ୍କର ପରାମର୍ଶ ମାନିନେଇ ଥାଏ । ଡ଼ାକ୍ତର ଆମ ରୋଗର ଲକ୍ଷଣ ପରୀକ୍ଷା କରନ୍ତି, ମେଡ଼ିକାଲ ରିପୋର୍ଟ ଦେଖି ରୋଗ ଚିହ୍ନଟ କରନ୍ତି ଏବଂ ତାପରେ ଔଷଧ ଚିଠା ଲେଖନ୍ତି । ଆମେ ନିଜ ବୁଦ୍ଧିକୁ ସମର୍ପଣ କରି, ଡ଼ାକ୍ତରଙ୍କ ଔଷଧ ଚିଠା ଅନୁସାରେ ଔଷଧ ସେବନ କରେ । ସେହିପରି, ମୋକଦ୍ଦମା ଲଢିବା ପାଇଁ ଆମେ ଜଣେ ଓକିଲଙ୍କର ସହାୟତା ନେଇଥାଏ । ଓକିଲ ଜଣକ ପ୍ରତିପକ୍ଷ ଓକିଲଙ୍କ ତର୍କର କିପରି ସମ୍ମୁଖୀନ ହେବ, ସେ ବିଷୟରେ ଆମକୁ ନିର୍ଦ୍ଦେଶ ଦିଅନ୍ତି । ଆଇନ ବିଷୟରେ ଆମର ଜ୍ଞାନ ନଥିବା ଯୋଗୁଁ, ଆମେ ନିଜର ବୁଦ୍ଧିକୁ ସେହି ଓକିଲଙ୍କ ପାଖରେ ସମର୍ପଣ କରିଦିଏ ।

ସେହିପରି, ବର୍ତ୍ତମାନ ଅବସ୍ଥାରେ ଆମର ବୁଦ୍ଧି ଅନେକ ଦୋଷରେ ଯୁକ୍ତ ରହିଛି । ବୁଦ୍ଧିର ଦୋଷ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଭାଗବତରେ ଅକ୍ରୂର କହୁଛନ୍ତି, ଅନିତ୍ୟାନାତ୍ମ ଦୁଃଖେଷୁ ବିପର୍ଯ୍ୟୟ ମତିର୍ହ୍ୟହମ୍ । (ଭା.୧୦.୪୦.୨୫) “ଆମର ବୁଦ୍ଧି ଅଜ୍ଞାନରେ ଆଚ୍ଛାଦିତ । ଯଦିଓ ଆମେ ନିତ୍ୟ ଆତ୍ମା ଅଟୁ, ଆମେ ନିଜକୁ ନଶ୍ୱର ଶରୀର ଭାବିଥାଉ । ସଂସାରର ସମସ୍ତ ବସ୍ତୁ ନଶ୍ୱର ଅଟେ, ଅଥଚ ଆମେ ଭାବିଥାଏ ସେଗୁଡ଼ିକ ସବୁଦିନ ଆମ ପାଖରେ ରହିବ, ସେଥିପାଇଁ ଦିନରାତି ଆମେ ସେସବୁ ସଂଗ୍ରହ କରିବାରେ ବ୍ୟସ୍ତ ରହିଥାଏ । ଯଦିଓ ଇନ୍ଦ୍ରିୟ ସୁଖ ଅନ୍ୱେଷଣର ପରିଣାମ ପରିଶେଷରେ ଦୁଃଖ ହିଁ ଅଟେ, ତଥାପି ସୁଖ ପାଇବା ଆଶାରେ ତା’ର ପଶ୍ଚାତ୍‌ଧାବନ କରିଥାଏ ।” ଉପରୋକ୍ତ ତିନୋଟି ଦୋଷକୁ ବୁଦ୍ଧିର ବିପର୍ଯ୍ୟୟ କୁହାଯାଏ । ଏହିପରି ଦୋଷଯୁକ୍ତ ଚିନ୍ତନର ଆମର ଅନନ୍ତ ପୂର୍ବଜନ୍ମର ଅଭ୍ୟାସ, ଆମ ସମସ୍ୟାର ଗମ୍ଭୀରତାକୁ ଆହୁରି ଘନୀଭୂତ କରିଥାଏ । ଆମ ନିଜ ବୁଦ୍ଧିରେ ଜୀବନକୁ ପରିଚାଳିତ କରି, ଆମେ ଆଧ୍ୟାତ୍ମିକ ମାର୍ଗରେ କେବେ ବି ଅଧିକ ପ୍ରଗତି କରିପାରିବା ନାହିଁ । ମନକୁ ଭଗବାନଙ୍କଠାରେ ଆସକ୍ତ କରି ଆମେ ଯଦି ଆଧ୍ୟାତ୍ମିକ ସଫଳତା ହାସଲ କରିବାକୁ ଇଚ୍ଛା କରେ, ତେବେ ଆମେ ନିଜର ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପଣ କରି ତାଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ବୁଦ୍ଧି ସମର୍ପଣ କରିବା ଅର୍ଥ, ଶାସ୍ତ୍ର ଏବଂ ସଦ୍‌ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କଠାରୁ ପ୍ରାପ୍ତ ଜ୍ଞାନ ଅନୁସାରେ ଚିନ୍ତନ କରିବା । ସମର୍ପିତ ବୁଦ୍ଧିର ଲକ୍ଷଣ ଶ୍ଲୋକ ୧୮.୬୬ରେ ବର୍ଣ୍ଣନା କରାଯାଇଛି ।