ଅବିଭକ୍ତଂ ଚ ଭୂତେଷୁ ବିଭକ୍ତମିବ ଚ ସ୍ଥିତମ୍ ।
ଭୂତଭର୍ତୃ ଚ ତଜ୍ଜେ୍ଞୟଂ ଗ୍ରସିଷ୍ଣୁ ପ୍ରଭବିଷ୍ଣୁ ଚ ।।୧୭।।
ଅବିଭକ୍ତଂ - ଅବିଭକ୍ତ; ଚ -ଯଦିଓ; ଭୂତେଷୁ - ପ୍ରତ୍ୟେକ ଜୀବମଧ୍ୟରେ; ବିଭକ୍ତଂ -ବିଭକ୍ତ; ଇବ -ପ୍ରତୀତ; ଚ-ତଥାପି; ସ୍ଥିତଂ-ସ୍ଥିତ; ଭୂତ-ଭର୍ତୃ -ସମସ୍ତ ଜୀବଙ୍କର ପରିପାଳକ; ଚ-ମଧ୍ୟ; ତତ୍-ତାହା; ଜେ୍ଞୟଂ -ବୁଝିବାକୁ ହେବ; ଗ୍ରସିଷ୍ଣୁ -ବିଧ୍ୱଂସକ; ପ୍ରଭବିଷ୍ଣୁ - ସ୍ରଷ୍ଟା; ଚ-ଏବଂ ।
Translation
BG 13.17: ସେ ଅବିଚ୍ଛେଦ୍ୟ, କିନ୍ତୁ ପ୍ରାଣୀମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା ପରି ପ୍ରତୀତ ହୁଅନ୍ତି । ସେହି ପରମ ପୁରୁଷଙ୍କୁ ସମସ୍ତଙ୍କର ପାଳକ, ବିଧ୍ୱଂସକ ଏବଂ ସ୍ରଷ୍ଟା ରୂପରେ ଜାଣ ।
Commentary
ଭଗବାନଙ୍କ ବ୍ୟକ୍ତିତ୍ୱରେ ତାଙ୍କର ଅନେକ ଶକ୍ତି ଅନ୍ତର୍ଭୁକ୍ତ । ସମସ୍ତ ପ୍ରକାଶିତ ଏବଂ ଅପ୍ରକାଶିତ ବସ୍ତୁ ତାଙ୍କ ଶକ୍ତିର ରୂପାନ୍ତର ଅଟେ । ତେଣୁ ଆମେ କହି ପାରିବା ସେ ହିଁ ସବୁକିଛି ଅଟନ୍ତି । ଏହି କ୍ରମରେ ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ:
ଦ୍ରବ୍ୟଂ କର୍ମ ଚ କାଳଶ୍ଚ ସ୍ୱଭାବୋ ଜୀବ ଏବ ଚ
ବାସୁଦେବାତ୍ ପରୋ ବ୍ରହ୍ମନ୍ ନ ଚାନ୍ୟୋଽର୍ଥୋଽସ୍ତି ତତ୍ତ୍ୱତଃ । (୨.୫.୧୪)
“ସୃଷ୍ଟିର ବିଭିନ୍ନ ସ୍ୱରୂପ - ସମୟ, କର୍ମ, ପ୍ରତ୍ୟେକ ପ୍ରାଣୀଙ୍କର ସ୍ୱଭାବ ଏବଂ ସୃଷ୍ଟିର ସମସ୍ତ ଭୌତିକ ଉପାଦାନ - ସବୁକିଛି ପରମେଶ୍ୱର ଶ୍ରୀକୃଷ୍ଣ ନିଜେ ହିଁ ଅଟନ୍ତି । ତାଙ୍କ ବ୍ୟତୀତ ଅନ୍ୟ କିଛିର ଅସ୍ତିତ୍ୱ ନାହିଁ ।
ସୃଷ୍ଟିର ବସ୍ତୁ ସମୁହରେ ଭଗବାନ ବିଭକ୍ତ ହୋଇଥିବା ପରି ମନେ ହୁଅନ୍ତି, କିନ୍ତୁ ସେ ନିଜେ ସବୁକିଛି ହୋଇଥିବାରୁ, ସେ ଅବିଭକ୍ତ ମଧ୍ୟ ରହନ୍ତି । ଉଦାହରଣ ସ୍ୱରୂପ, ଆକାଶ, ତାହା ଧାରଣ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିବା ପରି ମନେ ହୁଏ । ତଥାପି ସମସ୍ତ ବସ୍ତୁ ଗୋଟିଏ ସତ୍ତା ମଧ୍ୟରେ ରହିଛନ୍ତି, ଯାହାକୁ ଆକାଶ କୁହାଯାଏ, ଯାହା ସୃଷ୍ଟିର ପ୍ରାରମ୍ଭରେ ପ୍ରକଟିତ ହୋଇଥିଲା । ସେହିପରି ପୋଖରୀ ଜଳରେ ସୂର୍ଯ୍ୟ ରଶ୍ମିର ପ୍ରତିଫଳନ ବିଭକ୍ତ ହେବା ପରି ବୋଧ ହୁଏ, କିନ୍ତୁ ସୂର୍ଯ୍ୟ ଅବିଭକ୍ତ ରହିଥା’ନ୍ତି ।
ଯେପରି ସାଗର ତରଙ୍ଗ ସୃଷ୍ଟି କରି ପୁନର୍ବାର ତାକୁ ନିଜ ମଧ୍ୟରେ ସମାହିତ କରିନିଏ, ସେହିପରି ଭଗବାନ ସଂସାର ସୃଷ୍ଟି କରନ୍ତି, ତାର ପ୍ରତିପୋଷଣ କରନ୍ତି ଏବଂ ତାପରେ ନିଜ ମଧ୍ୟରେ ତାହାର ବିଲୟ କରିଦିଅନ୍ତି । ତେଣୁ ସେ ଏକଧାରାରେ ସମସ୍ତଙ୍କର ସ୍ରଷ୍ଟା, ପାଳକ ଏବଂ ବିଧ୍ୱଂସକ ଅଟନ୍ତି ।