Bhagavad Gita: Chapter 13, Verse 20

ପ୍ରକୃତିଂ ପୁରୁଷଂଚୈବ ବିଦ୍ଧ୍ୟନାଦୀ ଉଭାବପି ।
ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସମ୍ଭବାନ ।।୨୦।।

ପ୍ରକୃତିଂ -ଭୂତପ୍ରକୃତି; ପୁରୁଷଂ -ଜୀବାତ୍ମା; ଚ-ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି -ଜାଣ; ଅନାଦି -ଅନାଦି; ଉଭୌ -ଉଭୟ; ଅପି -ମଧ୍ୟ; ବିକାରାନ୍ - ରୂପାନ୍ତର; ଚ-ମଧ୍ୟ; ଗୁଣାନ୍ - ତ୍ରିଗୁଣ; ଚ -ଏବଂ; ଏବ-ନିଶ୍ଚିତଭାବେ; ବିଦ୍ଧି - ଜାଣ; ପ୍ରକୃତି -ମାୟା; ସମ୍ଭବାନ୍ -ଜାତ ।

Translation

BG 13.20: ଏହା ଜାଣ ଯେ, ପ୍ରକୃତି (ମାୟା) ଏବଂ ପୁରୁଷ (ଜୀବାତ୍ମା) ଉଭୟଙ୍କର ପ୍ରାରମ୍ଭ ନାହିଁ । ଆହୁରି ମଧ୍ୟ ଜାଣ ଯେ, ଶରୀର ତଥା ପ୍ରକୃତିର ତିନିଗୁଣର ସମସ୍ତ ପରିବର୍ତ୍ତନ ମାୟା ଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ ।

Commentary

ଭୌତିକ ଗୁଣକୁ ମାୟା ବା ପ୍ରକୃତି କୁହାଯାଏ । ଏହା ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ସେ ଯେଉଁଦିନଠାରୁ ଅଛନ୍ତି, ଏହା ମଧ୍ୟ ସେହିଦିନଠାରୁ ଅଛି; ଅନ୍ୟ ଅର୍ଥରେ ଏହା ଚିରନ୍ତନ ଅଟେ । ଆତ୍ମା ମଧ୍ୟ ଚିରନ୍ତନ ଏବଂ ତାକୁ ପୁରୁଷ (ଜୀବ ତତ୍ତ୍ୱ) କୁହାଯାଏ, ଏବଂ ଭଗବାନଙ୍କୁ ପରମ ପୁରୁଷ (ପରମ ଜୀବ ତତ୍ତ୍ୱ) କୁହାଯାଏ ।

ଆତ୍ମା ମଧ୍ୟ ଭଗବାନଙ୍କ ଶକ୍ତିର ବିସ୍ତାର ଅଟେ । ଶକ୍ତିତ୍ୱେନୈବାଂଶତ୍ୱଂ ବ୍ୟଞ୍ଜୟନ୍ତି (ପରମାତ୍ମ ସନ୍ଦର୍ଭ ୩୯) “ଆତ୍ମା ଭଗବାନଙ୍କ ଜୀବଶକ୍ତି (ଆତ୍ମା ଶକ୍ତି)ର ଅଂଶ ଅଟେ ।” ମାୟାଶକ୍ତି ଏକ ଜଡ଼ ଶକ୍ତି ହୋଇଥିବା ବେଳେ ଜୀବ ଶକ୍ତି ଚୈତନ୍ୟ ଶକ୍ତି ଅଟେ । ଏହା ଦିବ୍ୟ ଏବଂ ଅପରିବର୍ତ୍ତନୀୟ ଅଟେ । ଏହା ବିଭିନ୍ନ ଜନ୍ମରେ ତଥା ପ୍ରତି ଜନ୍ମର ବିଭିନ୍ନ ସୋପାନରେ ଅପରିବର୍ତ୍ତିତ ରହେ । ଗୋଟିଏ ଜନ୍ମରେ ଛଅଟି ସୋପାନ ଦେଇ ଶରୀର ଗତି କରେ: ଅସ୍ଥି (ଗର୍ଭରେ ସ୍ଥିତ ହେବା), ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରିଣମତେ (ପ୍ରଜନନ), ଅପକ୍ଷୀୟତେ (କ୍ଷୟ), ବିନଶ୍ୟତି (ମୃତ୍ୟୁ) । ଶରୀରର ଏହି ପରିିବର୍ତ୍ତନ ପ୍ରକୃତି ବା ମାୟା କୁହାଯାଉଥିବା ମାୟାଶକ୍ତି ଦ୍ୱାରା ସଂଘଟିତ ହୋଇଥାଏ । ଏହା ମାୟାର ତିନିଗୁଣ ସତ୍ତ୍ୱ, ରଜ, ଏବଂ ତମ ତଥା ସେମାନଙ୍କର ମିଶ୍ରଣ ଜନିତ ଅନେକ ପ୍ରକାରର ଗୁଣ ଉତ୍ପନ୍ନ କରେ ।