Bhagavad Gita: Chapter 13, Verse 6

ମହାଭୂତାନ୍ୟହଂକାରୋ ବୁଦ୍ଧିରବ୍ୟକ୍ତମେବ ଚ ।
ଇନ୍ଦ୍ରିୟାଣି ଦଶୈକଂ ଚ ପଞ୍ଚ ଚେନ୍ଦ୍ରିୟଗୋଚରାଃ ।।୬।।

ମହାଭୂତାନି-ପଞ୍ଚ ମହାଭୂତ; ଅହଙ୍କାରଃ-ଅହଙ୍କାର; ବୁଦ୍ଧିଃ-ବୁଦ୍ଧି; ଅବ୍ୟକ୍ତ -ଅବ୍ୟକ୍ତ; ଏବ-ନିଶ୍ଚିତରୂପେ; ଚ-ଏବଂ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡ଼ିକ; ଦଶୈକଂ-ଏଗାର; ଚ-ଏବଂ; ପଞ୍ଚ-ପାଞ୍ଚ; ଚ-ଏବଂ; ଇନ୍ଦ୍ରିୟଗୋଚରାଃ-ଇନ୍ଦ୍ରିୟ ବିଷୟ ।

Translation

BG 13.6: ପଞ୍ଚମହାଭୂତ, ଅହଂକାର, ବୁଦ୍ଧି, ଅବ୍ୟକ୍ତ ମୂଳ ପ୍ରକୃତି, ଏଗାରଟି ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ଏବଂ ମନ) ଏବଂ ପଞ୍ଚେନ୍ଦ୍ରିୟର ବିଷୟ ଦ୍ୱାରା କର୍ମର କ୍ଷେତ୍ର ଗଠିତ ।

Commentary

କର୍ମର କ୍ଷେତ୍ର ଚବିଶଟି ଉପାଦାନ ଦ୍ୱାରା ଗଠିତ: ପଞ୍ଚମହାଭୂତ ( ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ), ପଞ୍ଚ ତନ୍ମାତ୍ରା (ପାଞ୍ଚ ଇନ୍ଦ୍ରିୟଙ୍କ ବିଷୟ -ସ୍ୱାଦ, ସ୍ପର୍ଶ, ଆଘ୍ରାଣ, ଦୃଷ୍ଟି ଏବଂ ଶବ୍ଦ), ପାଞ୍ଚ କର୍ମେନ୍ଦ୍ରିୟ (ଗଳା, ହସ୍ତ, ପାଦ, ଯୌନେନ୍ଦ୍ରିୟ, ଏବଂ ମଳଦ୍ୱାର) ପାଞ୍ଚ ଜ୍ଞାନେନ୍ଦ୍ରିୟ (କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ଏବଂ ନାସିକା), ମନ, ବୁଦ୍ଧି, ଅହଂକାର ଏବଂ ପ୍ରକୃତି (ଭୌତିକ ଶକ୍ତିର ଆଦି ରୂପ) । ଶ୍ରୀକୃଷ୍ଣ ଦଶୈକଂ ଶବ୍ଦ ପ୍ରୟୋଗ କରିଛନ୍ତି, ଯାହା ଏଗାରଟି ଇନ୍ଦ୍ରିୟଙ୍କୁ ସୂଚିତ କରୁଛି । ଏଥିରେ ସେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ପାଞ୍ଚ କର୍ମେନ୍ଦ୍ରିୟ ସହିତ ମନକୁ ସମ୍ମିଳିତ କରିଛନ୍ତି । ପୂର୍ବରୁ ଶ୍ଲୋକ ୧୦.୨୨ରେ, ସେ ଉଲ୍ଲେଖ କରିଥିଲେ ଯେ, ଇନ୍ଦ୍ରିୟ ମଧ୍ୟରେ ସେ ମନ ଅଟନ୍ତି ।

ଏଠାରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ଇନ୍ଦ୍ରିୟମାନଙ୍କର ବିଷୟ, ଯିଏ ଶରୀର ବାହାରେ ଥାଆନ୍ତି, ସେମାନଙ୍କୁ କର୍ମର କ୍ଷେତ୍ରର ଅନ୍ତର୍ଭୁକ୍ତ କାହିଁକି କରାଯାଉଛି । ଏହାର କାରଣ ମନ ଇନ୍ଦ୍ରିୟ ବିଷୟକୁ ଧ୍ୟାନ କରିଥାଏ ଏବଂ ଏହି ପାଞ୍ଚ ଇନ୍ଦ୍ରିୟ ବିଷୟ ସୂକ୍ଷ୍ମରୂପରେ ମନରେ ବାସ କରନ୍ତି । ସେଥିପାଇଁ, ନିଦ୍ରାବସ୍ଥାରେ, ଯେତେବେଳେ ଆମେ ମନଦ୍ୱାରା ସ୍ୱପ୍ନ ଦେଖୁ, ଆମର ସ୍ଥୂଳ ଇନ୍ଦ୍ରିୟ ସବୁ ବିଶ୍ରାମ କରୁଥିଲେ ମଧ୍ୟ, ସେହି ସ୍ୱପ୍ନବସ୍ଥାରେ ଆମେ ଦେଖୁ, ଶୁଣୁ, ଅନୁଭବ କରୁ, ସ୍ୱାଦ ନେଉ ତଥା ଆଘ୍ରାଣ କରିଥାଉ । ଏହା ଦର୍ଶାଇ ଥାଏ ଯେ ସ୍ଥୁଳ ଇନ୍ଦ୍ରିୟ ବିଷୟ ସବୁ ସୂକ୍ଷ୍ମ ରୂପରେ ଆମ ମସ୍ତିଷ୍କରେ ରହିଛନ୍ତି । ଶ୍ରୀକୃଷ୍ଣ ସେଗୁଡ଼ିକୁ ଏଠାରେ ଅନ୍ତର୍ଭୁକ୍ତ କରିଛନ୍ତି କାରଣ ସେ ଆତ୍ମାର ସମସ୍ତ କାର୍ଯ୍ୟ କ୍ଷେତ୍ରକୁ ବର୍ଣ୍ଣନା କରୁଛନ୍ତି । ଅନ୍ୟ କେତେକ ଗ୍ରନ୍ଥରେ ପାଞ୍ଚ ଇନ୍ଦ୍ରିୟ ବିଷୟକୁ କର୍ମ କ୍ଷେତ୍ରରୁ ବର୍ହିଭୁତ କରାଯାଇ ପଞ୍ଚ ପ୍ରାଣକୁ (ପ୍ରାଣ ବାୟୁ) ସମ୍ମିଳିତ କରାଯାଇଛି । ଏହା କେବଳ ବିଭକ୍ତିକରଣ ଅଟେ, କୌଣସି ତାତ୍ତ୍ୱିକ ପ୍ରଭେଦ ନୁହେଁ ।

ଏହାକୁ ଶରୀରର ପଞ୍ଚ କୋଷ (ଆବରଣ) ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହା ଆତ୍ମାକୁ ଆବୃତ୍ତ କରି ରଖିଛି:

ଅନ୍ନମୟ କେଷ । ପାଞ୍ଚଟି ସ୍ଥୁଳ ବସ୍ତୁ ବିଶିଷ୍ଟ (ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ) ସ୍ଥୁଳ ଆବରଣ ।

ପ୍ରାଣମୟ କୋଷ । ଏହା ପ୍ରାଣ ବାୟୁର କୋଷ ଅଟେ । ଏହା ପଞ୍ଚ ପ୍ରାଣ ବାୟୁ (ପ୍ରାଣ, ଅପାନ, ବ୍ୟାନ, ସମାନ, ଏବଂ ଉଦାନ) ଦ୍ୱାରା ଗଠିତ ।

ମନୋମୟ କୋଷ । ଏହା ମାନସିକ ଆବରଣ ଅଟେ । ଏହା ମନ ଏବଂ ପାଞ୍ଚ କର୍ମେନ୍ଦ୍ରିୟ (ଗଳା, ହସ୍ତ, ପାଦ, ଯୌନାଙ୍ଗ ଏବଂ ମଳଦ୍ୱାର) ଦ୍ୱାରା ଗଠିତ ।

ବିଜ୍ଞାନମୟ କୋଷ । ଏହା ବୌଦ୍ଧିକ ଆବରଣ, ଯାହା ବୁଦ୍ଧି ତଥା ପାଞ୍ଚ ଜ୍ଞାନେନ୍ଦ୍ରିୟ (କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ଏବଂ ନାସିକା)ଦ୍ୱାରା ଗଠିତ ।

ଆନନ୍ଦମୟ କୋଷ । ଏହା ଆନନ୍ଦର ଆବରଣ ଅଟେ, ଯାହା ଅହଂକାର ଦ୍ୱାରା ଗଠିତ । ଏହା ଶରୀର-ମନ-ବୁଦ୍ଧି ପ୍ରକ୍ରିୟାରୁ ମିଳୁଥିବା ସ୍ୱଳ୍ପ ମାତ୍ରାର ସୁଖକୁ ନିଜର ପରିଚୟ ଭାବିନିଏ ।