Bhagavad Gita: Chapter 14, Verse 10

ରଜସ୍ତମଶ୍ଚାଭିଭୂୟ ସତ୍ତ୍ୱଂ ଭବତି ଭାରତ ।
ରଜଃ ସତ୍ତ୍ୱଂ ତମଶ୍ଚୈବ ତମଃ ସତ୍ତ୍ୱଂ ରଜସ୍ତଥା ।।୧୦।।

ରଜଃ-ରଜୋଗୁଣ; ତମଃ-ତମୋଗୁଣ; ଚ-ଏବଂ; ଅଭିଭୂୟ-ପ୍ରାଧାନ୍ୟ ବିସ୍ତାର କରେ; ସତ୍ତ୍ୱଂ-ସତ୍ତ୍ୱଗୁଣ; ଭବତି- ହୁଏ; ଭାରତ- ହେ ଭରତ ବଂଶଜ!; ରଜଃ-ରଜୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ତମଃ-ତମୋଗୁଣ; ଚ-ଏବଂ; ଏବ-ସେହିପରି; ତମଃ-ତମୋଗୁଣ; ସତ୍ତ୍ୱଂ-ସତ୍ତ୍ୱଗୁଣ; ରଜଃ-ରଜୋଗୁଣ; ତଥା- ମଧ୍ୟ ।

Translation

BG 14.10: ହେ ଭରତଶ୍ରେଷ୍ଠ! ବେଳେବେଳେ ସତ୍ତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ବେଳେବେଳେ ରଜୋଗୁଣ, ସତ୍ତ୍ୱଗୁଣ ଓ ତମୋଗୁଣ ଉପରେ ରାଜତ୍ୱ କରେ, ଏବଂ ଅନ୍ୟ ସମୟରେ ତମୋଗୁଣ, ସତ୍ତ୍ୱଗୁଣ ଓ ରଜୋଗୁଣକୁ ଅତିକ୍ରମ କରିଯାଏ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି, କିପରି ଜଣଙ୍କର ମନୋଭାବ ତିନି ଗୁଣରେ ଦୋଳାୟମାନ ହେଉଥାଏ । ଏହି ଗୁଣ ଗୁଡ଼ିକ ମାୟିକ ଶକ୍ତିର ଗୁଣ ଅଟନ୍ତି ଏବଂ ଆମ ମନ ମଧ୍ୟ ସେହି ଶକ୍ତିରୁ ଜାତ । ତେଣୁ ତିନୋଟିଯାକ ଗୁଣ ଆମ ମନ ମଧ୍ୟରେ ଅଛି । ଏହାର ତୁଳନା ତିନି ଜଣ ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ପ୍ରତିଯୋଗିତା ଭାବରେ କରାଯାଇପାରିବ । ଜଣେ ଅନ୍ୟଜଣକୁ ତଳେ କଚାଡ଼ି ଦେଉଛନ୍ତି, ତେଣୁ କେତେବେଳେ ପ୍ରଥମଟି ଉପରେ ତ କେତେବେଳେ ଦ୍ୱିତୀୟଟି ତ କେତେବେଳେ ତୃତୀୟଟି ଉପରେ ରହୁଛି । ସେହିପରି, ତିନିଗୁଣ ମନୁଷ୍ୟର ସ୍ୱଭାବ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥାଆନ୍ତି ଏବଂ ମନୁଷ୍ୟର ସ୍ୱଭାବ ସେହି ତିନିଗୁଣ ମଧ୍ୟରେ ଦୋଳାୟମାନ ହେଉଥାଏ । ବାହ୍ୟ ପରିବେଶ, ଭିତରର ଅଭିପ୍ରାୟ ଏବଂ ପୂର୍ବଜନ୍ମର ସଂସ୍କାର ଅନୁସାରେ, ଗୋଟିଏ ସମୟରେ କୌଣସି ଗୋଟିଏ ଗୁଣର ପ୍ରାଧାନ୍ୟତା ପ୍ରକାଶ  ପାଇଥାଏ । ଏହାର ପ୍ରଭାବ କେତେ ସମୟ ରହିବ, ତା’ର କୌଣସି ନିୟମ ନାହିଁ - ତାହା କ୍ଷଣିକ ହୋଇପାରେ ଅଥବା ଦୀର୍ଘକାଳୀନ ହୋଇପାରେ ।

ଯଦି ସତ୍ତ୍ୱଗୁଣ ପ୍ରାଧାନ୍ୟ ବିସ୍ତାର କରେ, ବ୍ୟକ୍ତି ଶାନ୍ତ, ତୃପ୍ତ, ଉଦାର, ଦୟାଳୁ, ସାହାଯ୍ୟକାରୀ, ପ୍ରଶାନ୍ତ ଏବଂ ସ୍ଥିର ହୋଇଥାଏ । ଯେତେବେଳେ ରଜୋଗୁଣ ପ୍ରମୁଖ ହୁଏ, ବ୍ୟକ୍ତି ଆସକ୍ତ, ଉତ୍‌କ୍ଷିପ୍ତ, ଉଚ୍ଚକାଂକ୍ଷୀ, ଅନ୍ୟର ସଫଳତାରେ ଈର୍ଷାନ୍ୱିତ ଏବଂ ଇନ୍ଦ୍ରିୟ ସୁଖ ପାଇଁ ଅତିଶୟ  ଲାଳାୟିତ ହୋଇଥାଏ । ତମୋଗୁଣ ବୃଦ୍ଧି ହେଲେ, ବ୍ୟକ୍ତି ନିଦ୍ରା, ଆଳସ୍ୟ, ଘୃଣା, କ୍ରୋଧ, ଦ୍ୱେଷ, ହିଂସା ଏବଂ ସଂଶୟଯୁକ୍ତ ହୋଇଥାଏ ।

ଉଦାହରଣ ସ୍ୱରୂପ, ମନେକରନ୍ତୁ ଆପଣ ନିଜ ପାଠାଗାରରେ ବସି ଅଧ୍ୟୟନ କରୁଛନ୍ତି । ସେତେବେଳେ କୌଣସି ସାଂସାରିକ ବିଶୃଙ୍ଖଳା ନାହିଁ, ଏବଂ ଆପଣଙ୍କର ମନ ସାତ୍ତ୍ୱିକ ଗୁଣ ଯୁକ୍ତ ରହିଛି । ଅଧ୍ୟୟନ ପରେ ଆପଣ ଶୟନ କକ୍ଷରେ ବସି ଟେଲିଭିଜନ୍ ଦେଖିଲେ, ବିଭିନ୍ନ ଦୃଶ୍ୟ ସବୁ ଆପଣଙ୍କ ମନକୁ ରାଜସିକ କରିଦେଇ ଇନ୍ଦ୍ରିୟ ସୁଖ ପ୍ରତି ଲାଳସା ବଢ଼ାଇଲା । ଆପଣ ଆପଣଙ୍କର ପସନ୍ଦର ଚ୍ୟାନେଲ୍ ଦେଖୁଥିବା ସମୟରେ, ପରିବାରର ଜଣେ ସଦସ୍ୟ ଆସି ଚ୍ୟାନେଲ୍ ବଦଳାଇ ଦେଲେ, ଏହି ବିଶୃଙ୍ଖଳା ଆପଣଙ୍କ ମନରେ ତମୋଗୁଣ ବୃଦ୍ଧି କଲା ଏବଂ ଆପଣ କ୍ରୋଧାନ୍ୱିତ ହୋଇ ଉଠିଲେ । ଏହିପରି ଭାବରେ ମନ ତିନି ଗୁଣରେ ଦୋଳାୟମାନ ହେଉଥାଏ ଓ ତାଙ୍କର ଗୁଣ ଧାରଣ କରେ ।