Bhagavad Gita: Chapter 14, Verse 14-15

ଯଦା ସତ୍ତ୍ୱେ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ୍ ।
ତଦୋତ୍ତମବିଦାଂ ଲୋକାନମଳାନ୍‌ପ୍ରତିପଦ୍ୟତେ ।।୧୪।।
ରଜସି ପ୍ରଳୟଂ ଗତ୍ୱା କର୍ମସଙ୍ଗିଷୁ ଜାୟତେ ।
ତଥା ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ ।।୧୫।।

ଯଦା-ଯେତେବେଳେ; ସତ୍ତ୍ୱେ- ସତ୍ତ୍ୱଗୁଣରେ; ପ୍ରବୃଦ୍ଧେ-ବୃଦ୍ଧି ହୁଏ; ତୁ-ବାସ୍ତବରେ; ପ୍ରଳୟଂ-ମୃତ୍ୟୁ; ଯାତି-ଯାଏ; ଦେହଭୃତ୍‌-ଦେହଧାରୀ; ତଦା-ସେ ସମୟରେ; ଉତ୍ତମ ବିଦାମ୍‌- ଜ୍ଞାନୀମାନଙ୍କର; ଲୋକାନ୍ -ଲୋକ; ଅମଳାନ୍‌-ପବିତ୍ର; ପ୍ରତିପଦ୍ୟତେ- ପ୍ରାପ୍ତ ହୁଏ; ରଜସି-ରଜୋଗୁଣରେ; ପ୍ରଳୟଂ-ମୃତ୍ୟୁ; ଗତ୍ୱା-ପ୍ରାପ୍ତ ହୋଇ; କର୍ମସଙ୍ଗିଷୁ- କର୍ମପ୍ରବଣ ବ୍ୟକ୍ତିମାନଙ୍କ ମଧ୍ୟରେ; ଜାୟତେ- ଜନ୍ମ ନିଏ; ତଥା-ସେହିପରି; ପ୍ରଲୀନଃ-ମୃତ ହୋଇ; ତମସି- ତମୋଗୁଣରେ; ମୂଢ଼-ଯୋନିଷୁ -ପଶୁ ଯୋନିରେ; ଜାୟତେ-ଜନ୍ମନିଏ ।

Translation

BG 14.14-15: ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି, ମୃତ୍ୟୁପରେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ରଜୋଗୁଣୀ ପ୍ରମୁଖ ବ୍ୟକ୍ତିଗଣ, କର୍ମ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରନ୍ତି । ତମୋଗୁଣ ଯୁକ୍ତ ବ୍ୟକ୍ତିମାନେ ମୃତ୍ରୁପରେ ପଶୁ ଭାବରେ ଜନ୍ମ ନିଅନ୍ତି ।

Commentary

ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ଜୀବର ଭାଗ୍ୟ ତା’ର ବ୍ୟକ୍ତିତ୍ୱର ଗୁଣଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଭଗବାନଙ୍କର ନିୟମ ତଥା କର୍ମର ନିୟମ ଅନୁସାରେ, ଆମେ ଯାହା ପାଇବା ପାଇଁ ଯୋଗ୍ୟ, ତାହା ପାଇଥାଏ । ଯେଉଁମାନେ ସଦ୍‌ଗୁଣ, ଜ୍ଞାନ ଏବଂ ଅନ୍ୟମାନଙ୍କ ପ୍ରତି ସେବା ଭାବନାରେ ଯୁକ୍ତ, ସେମାନେ ଧର୍ମପରାୟଣ, ଶିକ୍ଷିତ, ସମାଜସେବୀ ଇତ୍ୟାଦି ଲୋକଙ୍କ ପରିବାରରେ ଜନ୍ମଗ୍ରହଣ କରନ୍ତି, କିମ୍ବା ସେମାନେ ଉଚ୍ଚତର ସ୍ୱର୍ଗଲୋକକୁ ଯାଇଥାନ୍ତି । ଯେଉଁମାନେ ଲୋଭ, ହିଂସା ଏବଂ ସାଂସାରିକ କାମନାରେ ବୁଡ଼ି ରହିଥାନ୍ତି, ସେମାନେ କର୍ମପ୍ରବଣ ବ୍ୟସ୍ତ ପରିବାରରେ, ପ୍ରାୟତଃ ବୈଶ୍ୟ ପରିବାରରେ ଜନ୍ମ ନେଇଥାନ୍ତି । ଯେଉଁମାନେ ମାଦକଦ୍ରବ୍ୟ ସେବନ, ହିଂସା, ଆଳସ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା ଆଦି ଆଚରଣ କରନ୍ତି, ସେମାନେ ମଦ୍ୟପ ବା ଅଶିକ୍ଷିତ ପରିବାରରେ ଜନ୍ମନିଅନ୍ତି କିମ୍ବା ସେମାନେ ବିବର୍ତ୍ତନର ସୋପାନରେ ନିମ୍ନଗାମୀ ହୋଇ ପଶୁ ଯୋନିରେ ଜନ୍ମ ଗ୍ରହଣ କରନ୍ତି ।

କେତେ ଲୋକ ଭାବନ୍ତି, ଥରେ ମନୁଷ୍ୟ ଯୋନି ପାଇବା ପରେ ପୁନର୍ବାର ନିମ୍ନତର ଯୋନିକୁ ପତନ ହେବା କ’ଣ ସମ୍ଭବପର ? ଏହି ଶ୍ଳୋକଟି ସୂଚିତ କରୁଛି ଯେ ମନୁଷ୍ୟ ସ୍ୱରୂପ, ଆତ୍ମା ପାଇଁ ସର୍ବଦା ସଂରକ୍ଷିତ ନୁହେଁ । ଯେଉଁମାନେ ଏହାର ସଦ୍‌ବ୍ୟବହାର କରନ୍ତି ନାହିଁ, ସେମାନେ ନିମ୍ନଗାମୀ ହୋଇ ପଶୁ ଶରୀର ପ୍ରାପ୍ତି ରୂପକ ବିପଦର ସମ୍ମୁଖୀନ ହୁଅନ୍ତି । ଗୁଣର ପ୍ରଗାଢ଼ତା ଏବଂ ସ୍ଥାୟୀତ୍ୱ ଉପରେ ନିର୍ଭର କରି ଆତ୍ମା ଆଧ୍ୟାତ୍ମିକ ବିବର୍ତ୍ତନରେ ଉଚ୍ଚକୁ ଚଢ଼ିପାରେ, ସେହି ସୋପାନରେ ରହିପାରେ କିମ୍ବା ନିମ୍ନଗାମୀ ହୋଇପାରେ ।