Bhagavad Gita: Chapter 14, Verse 22-23

ଶ୍ରୀଭଗବାନୁବାଚ
ପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ ।
ନ ଦ୍ୱେଷ୍ଟି ସମ୍ପ୍ରବୃତ୍ତାନି ନ ନିବୃତ୍ତାନି କାଂକ୍ଷତି ।।୨୨।।
ଉଦାସୀନବଦାସୀନୋ ଗୁଣୈର୍ଯୋ ନ ବିଚାଲ୍ୟତେ ।
ଗୁଣା ବର୍ତନ୍ତ ଇତ୍ୟେବଂ ଯୋଽବତିଷ୍ଠତି ନେଙ୍ଗତେ ।।୨୩।।

ଶ୍ରୀଭଗବାନୁବାଚ- ପରମପୁରୁଷ ଭଗବାନ କହିଲେ; ପ୍ରକାଶଂ- ପ୍ରକାଶ; ଚ -ଏବଂ;ପ୍ରବୃତ୍ତିଂ-କର୍ମ;ଚ -ଏବଂ;ମୋହଂ-ମୋହ; ଏବ -ମଧ୍ୟ; ଚ- ଏବଂ; ପାଣ୍ଡବ- ହେ ପାଣ୍ଡୁ ପୁତ୍ର; ନ ଦ୍ୱେଷ୍ଟି- ଘୃଣା କରେନାହିଁ; ସଂପ୍ରବୃତ୍ତାନି-ଯେତେବେଳେ ଥାଏ; ନ ନିବୃତ୍ତାନି- ଯେତେବେଳେ ନ ଥାଏ ; କାଙ୍‌କ୍ଷତି -ଇଚ୍ଛାକରେ; ଉଦାସୀନବତ୍‌- ଯେପରି କି ଉଦାସୀନ; ଆସୀନଃ-ଅବସ୍ଥିତ; ଗୁଣୈଃ-ଗୁଣମାନଙ୍କ ଦ୍ୱାରା; ଯଃ-ଯିଏ; ନ ବିଚାଲ୍ୟତେ-ବିଚଳିତ ହୁଏନାହିଁ; ଗୁଣାଃ-ଗୁଣମାନେ; ବର୍ତନ୍ତେ- କରନ୍ତି; ଇତି ଏବଂ-ଏହିପରି ଜାଣି; ଯଃ-ଯିଏ; ଅବତିଷ୍ଠତି-ଆତ୍ମାରେ ସ୍ଥିତ ରହେ; ନ ଇଙ୍ଗତେ- ଆଦୌ ବିଚଳିତ ହୁଏନାହିଁ ।

Translation

BG 14.22-23: ପରମ ପୁରୁଷ ଭଗବାନ କହିଲେ: ହେ ଅର୍ଜୁନ! ଯେଉଁମାନେ ତ୍ରିଗୁଣାତୀତ ହୋଇଛନ୍ତି, ସେମାନେ ଜ୍ଞାନର ପ୍ରକାଶ (ସତ୍ତ୍ୱରୁ ଜାତ), କର୍ମ (ରାଜସରୁ ଜାତ) ଏବଂ ଭ୍ରମ (ତାମସରୁ ଜାତ)ର ପ୍ରଭାବ ଅଧିକ ହେଲେ, ତାହାକୁ ଘୃଣା କରନ୍ତି ନାହିଁ କିମ୍ବା ସେଗୁଡ଼ିକର ଅଭାବରେ ତାଙ୍କ ପ୍ରତି ଲାଳାୟିତ ହୁଅନ୍ତି ନାହିଁ ।

Commentary

ସେମାନେ ପ୍ରକୃତିର ଏହି ଗୁଣଗୁଡ଼ିକ ପ୍ରତି ଉଦାସୀନ ରହନ୍ତି ଏବଂ ସେମାନଙ୍କ ଦ୍ୱାରା ବିଚଳିତ ହୁଅନ୍ତି ନାହିଁ । ସବୁକିଛି ଗୁଣମାନଙ୍କର ଖେଳ ଅଟେ, ଏହା ଜାଣି ସେମାନେ ଅବିଚଳିତ ଭାବରେ ଆତ୍ମାରେ ସ୍ଥିତ ରହନ୍ତି ।

ଶ୍ରୀକୃଷ୍ଣ ବର୍ତ୍ତମାନ ତ୍ରିଗୁଣାତୀତ ବ୍ୟକ୍ତିମାନଙ୍କର ଲକ୍ଷଣ ସମ୍ବନ୍ଧରେ ସ୍ପଷ୍ଟୀକରଣ କରୁଛନ୍ତି । ସଂସାରରେ ଗୁଣମାନଙ୍କର କାର୍ଯ୍ୟ ଏବଂ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତି ଉପରେ ତାହାର ପ୍ରଭାବର ପ୍ରକାଶକୁ ଦେଖି, ସେମାନେ ବିଚଳିତ ହୁଅନ୍ତି ନାହିଁ । ଜ୍ଞାନୋଦୀପ୍ତ ବ୍ୟକ୍ତିମାନେ ଅଜ୍ଞାନତାକୁ ଦେଖି ଘୃଣା କରନ୍ତି ନାହିଁ କିମ୍ବା ସେଥିରେ ଲିପ୍ତ ହୁଅନ୍ତି ନାହିଁ । ଭୌତିକ ମନୋଭାବାପନ୍ନ ବ୍ୟକ୍ତିମାନେ ସଂସାରର ପରିସ୍ଥିତିରେ ଅତ୍ୟଧିକ ଭାବେ ଜଡ଼ିତ ହୋଇପଡ଼ନ୍ତି । ସେମାନେ ସାଂସାରିକ ଘଟଣାବଳୀର ଚିନ୍ତନରେ ସେମାନଙ୍କ ସମୟ ଓ ଶକ୍ତିର ଅପଚୟ କରିଥାଆନ୍ତି । ଜ୍ଞାନୀମାନେ  ମଧ୍ୟ ମାନବ କଲ୍ୟାଣ ନିମନ୍ତେ ପ୍ରୟାସ କରନ୍ତି, କିନ୍ତୁ ସେମାନେ ତାହା ପରୋପକାର ସ୍ୱଭାବ ବଶତଃ କରିଥାଆନ୍ତି । ତା’ ସହିତ ସେମାନେ ଏହା ମଧ୍ୟ ହୃଦୟଙ୍ଗମ କରନ୍ତି ଯେ ଅନ୍ତତଃ ସଂସାରର ଦାୟୀତ୍ୱ ଭଗବାନଙ୍କର । ସେମାନେ କେବଳ ତାଙ୍କର ସାଧ୍ୟ ଅନୁସାରେ ନିଜର କର୍ତ୍ତବ୍ୟ କରି, ଅବଶିଷ୍ଟ ଭଗବାନଙ୍କ ହାତରେ ନ୍ୟସ୍ତ କରନ୍ତି । ଭଗବାନଙ୍କ ସଂସାରକୁ ଆସି ଆମର ପ୍ରଥମ କର୍ତ୍ତବ୍ୟ ହେଲା କିପରି ଆମେ ନିଜକୁ ଶୁଦ୍ଧ କରିବା । ମନ ଶୁଦ୍ଧ ହୋଇଯିବା ପରେ, ଆମେ ସାଂସାରିକ ପରିସ୍ଥିତିକୁ ବୋଝ ମନେ ନ କରି, ଶୁଭ ଏବଂ ମଙ୍ଗଳକାରୀ କାର୍ଯ୍ୟ କରିବା ସ୍ୱାଭାବିକ । ମହାତ୍ମା ଗାନ୍ଧୀ ଯେପରି କହିଥିଲେ; “ତୁମେ ସଂସାରକୁ ଯେପରି ଦେଖିବାକୁ ଇଚ୍ଛା କରୁଛ, ନିଜେ ସେହିପରି ହୁଅ ।”

ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରଜ୍ଞାଦୀପ୍ତ ପୁରୁଷ, ଯେଉଁମାନେ ନିଜକୁ ତ୍ରିଗୁଣାତୀତ ଜାଣନ୍ତି, ସେମାନେ ସଂସାରରେ ଭୌତିକ ଗୁଣମାନଙ୍କର ସ୍ୱାଭାବିକ କ୍ରିୟାଶୀଳତାରେ ହତାଶ କିମ୍ବା ଉତ୍ସାହିତ ହୁଅନ୍ତି ନାହିଁ । ସେହି ଗୁଣମାନଙ୍କୁ ନିଜ ମନରେ ଅନୁଭବ କରି ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ । ମନ ମାୟାର ଉପଜ ଅଟେ, ତେଣୁ ଏଥିରେ ମାୟାର ତିନୋଟିଯାକ ଗୁଣ ରହିଥାଏ । ତେଣୁ ଉଭୟ ମନ ଏବଂ ତାହାର ଚିନ୍ତନ ସେହି ଗୁଣମାନଙ୍କ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ସମସ୍ୟା ଏହା ଯେ ଶାରୀରିକ ଚେତନାରେ ଆମେ ମନକୁ ନିଜଠାରୁ ପୃଥକ୍ ମନେ କରି ନ ଥାଏ । ତେଣୁ ମନରେ ଯେତେବେଳେ ଏକ ମନ୍ଦ ବିଚାର ଉତ୍ପନ୍ନ ହୁଏ, ଆମେ ଅନୁଭବ କରୁ, “ଓଃ ! ମୁଁ କାହିଁକି ଏପରି  ନକାରାତ୍ମକ ଚିନ୍ତନ କରୁଛି ।” ଆମେ ବିଷମୟ ଚିନ୍ତନ ସହିତ ନିଜକୁ ସମ୍ମିଳିତ କରୁ ଏବଂ ସେମାନଙ୍କୁ ଆମ ଭିତରେ ରହି ଆମର ଆଧ୍ୟାତ୍ମିକ କ୍ଷତି କରିବାକୁ ଅନୁମତି ଦେଉ । ଏପରିକି ମନରେ ହରି ଓ ଗୁରୁଙ୍କ ବିପରୀତ ଭାବନା ଉତ୍ପନ୍ନ ହେଲେ ମଧ୍ୟ ଆମେ ତାକୁ ନିଜର ଭାବରେ ଗ୍ରହଣ କରିଥାଉ ।  ସେହି ସମୟରେ ଆମେ ଯଦି ନିଜକୁ ମନଠାରୁ ପୃଥକ୍ ମନେକରି ପାରନ୍ତେ, ତେବେ ଆମେ ସେହି ଦୁର୍ଭାବନାଠାରୁ ନିଜକୁ ଦୂରେଇ ରଖିପାରନ୍ତେ । ମନରୁ ଆମେ ସେହି ଚିନ୍ତନକୁ ହଟାଇ ପାରନ୍ତେ, “ମୋର ଭକ୍ତି ପ୍ରତି ସହାୟକ ହେଉ ନ ଥିବା କୌଣସି ଭାବନା ସହିତ ମୋର କିଛି ସମ୍ପର୍କ ନାହିଁ ।” ଦିବ୍ୟ ସୋପାନରେ ସ୍ଥିତ ବ୍ୟକ୍ତିଗଣ, ଗୁଣର ପ୍ରବାହରେ ଉପୁଜୁଥିବା ନକାରାତ୍ମକ ଚିନ୍ତାଧାରାଠାରୁ ନିଜକୁ ଦୂରେଇ ରଖିବାର କୌଶଳରେ ପାରଙ୍ଗତ ଅଟନ୍ତି ।