Bhagavad Gita: Chapter 14, Verse 9

ସତ୍ତ୍ୱଂ ସୁଖେ ସଂଜୟତି ରଜଃ କର୍ମଣି ଭାରତ ।
ଜ୍ଞାନମାବୃତ୍ୟ ତୁ ତମଃ ପ୍ରମାଦେ ସଂଜୟତ୍ୟୁତ ।।୯।।

ସତ୍ତ୍ୱଂ-ସତ୍ତ୍ୱଗୁଣ; ସୁଖେ-ସୁଖରେ; ସଂଜୟତି- ବାନ୍ଧି ଥାଏ; ରଜଃ -ରଜଗୁଣ; କର୍ମଣି -କର୍ମଫଳରେ; ଭାରତ- ହେ ଭରତ ବଂଶଜ !; ଜ୍ଞାନଂ-ଜ୍ଞାନକୁ; ଆବୃତ୍ୟ- ଆବୃତ କରି; ତୁ-କିନ୍ତୁ; ତମଃ- ତମଗୁଣ; ପ୍ରମାଦେ-ମୋହରେ; ସଂଜୟତି-ବାନ୍ଧି ଥାଏ; ଉତ- ବାସ୍ତବରେ ।

Translation

BG 14.9: ସତ୍ତ୍ୱଗୁଣ ବ୍ୟକ୍ତିକୁ ସାଂସାରିକ ସୁଖ ଜନିତ ବନ୍ଧନରେ ବାନ୍ଧିଦିଏ, ରଜୋଗୁଣ ଜୀବକୁ କର୍ମ ଦିଗରେ ପ୍ରେରିତ କରେ, ତମୋଗୁଣ ଜ୍ଞାନକୁ ଆବୃତ କରି ବ୍ୟକ୍ତିକୁ ମୋହରେ ବାନ୍ଧିଦିଏ ।

Commentary

ବ୍ୟକ୍ତି ସଦ୍‌ଗୁଣ ଯୁକ୍ତ ହେଲେ, ଭୌତିକ ଜଗତର କଷ୍ଟ କମ୍ ହୋଇଥାଏ ଏବଂ ସାଂସାରିକ କାମନା କ୍ଷାନ୍ତ ହୋଇଥାଏ । ଏହା ସବୁ ପରିସ୍ଥିତିରେ ବ୍ୟକ୍ତିକୁ ସନ୍ତୋଷ ପ୍ରଦାନ କରିଥାଏ । ଏହା ଉତ୍ତମ ଅଟେ, କିନ୍ତୁ ଏହାର ଏକ ନକାରାତ୍ମକ ଦିଗ ମଧ୍ୟ ରହିପାରେ । ଉଦାହରଣ ସ୍ୱରୂପ, ଯେଉଁମାନେ ସଂସାରରେ କଷ୍ଟ ଅନୁଭବ କରନ୍ତି ଏବଂ କାମନା ଦ୍ୱାରା ମାନସିକ ସ୍ତରରେ ପୀଡ଼ିତ ହୁଅନ୍ତି, ସେମାନେ ତା’ର ଏକ ସମାଧାନର ପଥ ଖୋଜିବାକୁ ପ୍ରେରିତ ହୁଅନ୍ତି । ଏହି ପ୍ରେରଣା ତାଙ୍କୁ ବେଳେବେଳେ ଆଧ୍ୟାତ୍ମିକ ପଥରେ ଅଗ୍ରସର କରାଏ । କିନ୍ତୁ ଅନେକ ସମୟରେ, ସଦ୍‌ଗୁଣଯୁକ୍ତ ବ୍ୟକ୍ତି ସହଜରେ ତୃପ୍ତ ହୋଇଯାନ୍ତି ଏବଂ ଦିବ୍ୟ ସ୍ତରକୁ ଉନ୍ନୀତ ହେବା ପାଇଁ ଆଗ୍ରହୀ ହୁଅନ୍ତି ନାହିଁ । ତାଛଡା, ସତ୍ତ୍ୱଗୁଣ ବୁଦ୍ଧିକୁ ଜ୍ଞାନରେ ଉଦ୍‌ଭାସିତ କରେ । କିନ୍ତୁ ତାହା ଯଦି ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ନ ହୁଏ, ତେବେ ସେହି ଜ୍ଞାନ ଗର୍ବ ସୃଷ୍ଟି କରିଥାଏ ଏବଂ ତାହା ଭଗବାନଙ୍କ ଭକ୍ତି ପଥରେ ବାଧକ ହୁଏ । ଅଧିକାଂଶ ସମୟରେ, ବୈଜ୍ଞାନିକ, ବିଦ୍ୱାନ ଏବଂ ଶିକ୍ଷାବିତ୍‌ମାନଙ୍କ କ୍ଷେତ୍ରରେ ଏପରି ହେବାର ଦେଖାଯାଇଥାଏ । ତାଙ୍କଠାରେ ସଦ୍‌ଗୁଣ ପ୍ରମୁଖ ଭାବରେ ପ୍ରକାଶ ପାଏ, କାରଣ ସେମାନେ ତାଙ୍କର ସମୟ ଓ ଶକ୍ତି ଜ୍ଞାନ ବୃଦ୍ଧିରେ ବ୍ୟୟ କରିଥାନ୍ତି । ତାଙ୍କର ଜ୍ଞାନ ଅନେକ ସମୟରେ ତାଙ୍କୁ ଅହଂକାରୀ କରିଦିଏ ଏବଂ ସେମାନେ ଏପରି ଅନୁଭବ କରିବାରେ ଲାଗନ୍ତି ଯେ  ତାଙ୍କ ବୁଦ୍ଧି ବର୍ହିଗତ କୌଣସି ସତ୍ୟ ନାହିଁ । ତେଣୁ ଶାସ୍ତ୍ର କିମ୍ବା ଭଗବତ୍‌ପ୍ରାପ୍ତ ସନ୍ଥମାନଙ୍କ ପ୍ରତି ସେମାନଙ୍କ ମନରେ ସହଜରେ ଶ୍ରଦ୍ଧା ଉତ୍ପନ୍ନ ହୋଇ ନ ଥାଏ ।

ରଜୋଗୁଣ ଜୀବକୁ କଠିନ ଉଦ୍ୟମ ପ୍ରତି ପ୍ରେରିତ କରିଥାଏ । ସେମାନଙ୍କର ସଂସାର ଆସକ୍ତି ଏବଂ ସୁଖ, ସମ୍ମାନ, ଅର୍ଥ ଏବଂ ଶାରୀରିକ ସୁଖ-ସାଧନର ଲାଳସା ସେମାନଙ୍କୁ ସଂସାରରେ କଠିନ ପରିଶ୍ରମ କରିବାକୁ ପ୍ରେରିତ କରିଥାଏ, ଯଦ୍ୱାରା ଯେଉଁସବୁ ସାଂସାରିକ ଲକ୍ଷ୍ୟକୁ ସେମାନେ ଜୀବନରେ ଅଧିକ ମହତ୍ୱପୂର୍ଣ୍ଣ ମନେକରି ଥାଆନ୍ତି, ତାହା ସେମାନଙ୍କୁ ପ୍ରାପ୍ତ ହୋଇଥାଏ । ରଜୋଗୁଣ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଆକର୍ଷଣ ବୃଦ୍ଧି କରେ ଏବଂ କାମ (ଯୌନପ୍ରବୃତ୍ତି)ବାସନା ଉତ୍ପନ୍ନ କରେ । ଏହି କାମକୁ ସନ୍ତୁଷ୍ଟ କରିବା ପାଇଁ ପୁରୁଷ ଓ ସ୍ତ୍ରୀ ବିବାହ କରିଥାନ୍ତି ଏବଂ ଗୃହସ୍ଥ ଜୀବନ ଯାପନ କରିଥାନ୍ତି । ଗୃହର ରକ୍ଷଣାବେକ୍ଷଣ ପାଇଁ ଧନ ଆବଶ୍ୟକ, ତେଣୁ ଆର୍ଥିକ ଉନ୍ନତି ପାଇଁ ସେମାନେ କଠୋର ପରିଶ୍ରମ କରିଥାନ୍ତି । ନିଜକୁ ସେମାନେ କଠିନ କର୍ମରେ ନିୟୋଜିତ କରନ୍ତି ଏବଂ ପ୍ରତ୍ୟେକ କର୍ମ ପୁନର୍ବାର ସେମାନଙ୍କୁ ମାୟିକ ବନ୍ଧନରେ ପକାଏ ।

ତମୋଗୁଣ ଜୀବର ବୁଦ୍ଧିକୁ ଅଜ୍ଞାନରେ ଆବୃତ କରିଦିଏ, ଯଦ୍ୱାରା ଆନନ୍ଦର କାମନା ଏକ ବିକୃତ ରୂପରେ ପ୍ରକଟିତ ହୁଏ । ଉଦାହରଣ ସ୍ୱରୂପ, ସମସ୍ତେ ଜାଣନ୍ତି ଯେ, ସିଗାରେଟ୍ ପାନକରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ସରକାରୀ ପ୍ରାଧିକରଣ ଦ୍ୱାରା ସିଗାରେଟ୍ ଖୋଳ ଉପରେ ଏକ ଚେତାବନୀ ଲେଖାଯାଇଥାଏ । ଏହି ଚେତାବନୀକୁ ପଢ଼ି ମଧ୍ୟ ଧୂମପାନ କରୁଥିବା ବ୍ୟକ୍ତି ସେଥିରୁ ନିବୃତ ହୁଅନ୍ତି ନାହିଁ । ଏହାର କାରଣ ବୁଦ୍ଧି ତାର ବିଚାରଶକ୍ତି ହରାଇ ଥାଏ, ତେଣୁ ଧୂମପାନର ଆନନ୍ଦ ପାଇବା ପାଇଁ ସେ ନିଜର କ୍ଷତି କରିବାକୁ ମଧ୍ୟ ପଛାଇ ନ ଥାଏ । ଜଣେ ପରିହାସ କରି କହିଥିଲେ, “ସିଗାରେଟ୍ ଗୋଟିଏ ପାଇପ୍ ଯାହାର ଗୋଟିଏ ପାଶ୍ୱର୍ରେ ନିଆଁ ଥାଏ ଏବଂ ଅନ୍ୟ ପାଶ୍ୱର୍ରେ ମୁର୍ଖ ଲୋକଟିଏ ଥାଏ ।” ଏହା ତମୋଗୁଣର ପ୍ରଭାବ ଅଟେ, ଏହା ଜୀବକୁ ଅଜ୍ଞାନର ଅନ୍ଧକାରରେ ଆବଦ୍ଧ କରିଦିଏ ।