ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ
ମତ୍ତଃ ସ୍ମୃତିର୍ଜ୍ଞାନମପୋହନଂ ଚ ।
ବେଦୈଶ୍ଚ ସର୍ବେ÷ରହମେବ ବେଦ୍ୟୋ
ବେଦାନ୍ତତ୍କୃଦ୍ବେଦବିଦେବ ଚାହମ୍ ।।୧୫।।
ସର୍ବସ୍ୟ-ସମସ୍ତ ଜୀବଙ୍କର; ଚ-ଏବଂ; ଅହଂ-ମୁଁ; ହୃଦି - ହୃଦୟରେ; ସନ୍ନିବିଷ୍ଟଃ - ଅବସ୍ଥିତ ହୋଇ; ମତ୍ତଃ- ମୋଠାରୁ; ସ୍ମୃତିଃ - ସ୍ମରଣଶକ୍ତି (ସ୍ମୃତି); ଜ୍ଞାନଂ - ଜ୍ଞାନ; ଅପୋହନଂ -ବିସ୍ମୃତି;ଚ -ଏବଂ; ବେଦୈଃ - ବେଦଦ୍ୱାରା; ଚ-ଏବଂ; ସର୍ବୈଃ - ସର୍ବ (ସମସ୍ତ); ଅହଂ -ମୁଁ; ଏବ- ନିଶ୍ଚିତରୂପେ; ବେଦ୍ୟଃ- ଜ୍ଞାତବ୍ୟ; ବେଦାନ୍ତ-କୃତ୍ -ବେଦାନ୍ତର ପ୍ରଣେତା; ବେଦ-ବିତ୍ -ବେଦଜ୍ଞ; ଏବ -ଏକମାତ୍ର; ଚ-ଏବଂ; ଅହମ୍ -ମୁଁ ।
BG 15.15: ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ବାସ କରେ । ମୋ ଠାରୁ ସ୍ମରଣଶକ୍ତି, ଜ୍ଞାନ ତଥା ବିସ୍ମରଣର ଉତ୍ପତ୍ତି ହୋଇଥାଏ । ଏକମାତ୍ର ମୁଁ ହିଁ ବେଦ ଦ୍ୱାରା ଜ୍ଞାତବ୍ୟ, ବେଦାନ୍ତର ପ୍ରଣେତା ତଥା ବେଦର ଅର୍ଥକୁ ଜାଣିଥିବା ବ୍ୟକ୍ତିତ୍ୱ ଅଟେ ।
Start your day with a nugget of timeless inspiring wisdom from the Holy Bhagavad Gita delivered straight to your email!
ଭଗବାନ ଆମ ଭିତରେ ଏ ବିସ୍ମୟକର ପ୍ରଣାଳୀ ସୃଷ୍ଟି କରିଛନ୍ତି ଏବଂ ତାହାକୁ ଜ୍ଞାନ ଓ ସ୍ମୃତିର କ୍ଷମତାରେ ସଜ୍ଜିତ କରିଛନ୍ତି । ମସ୍ତିଷ୍କ ଏହାର ସ୍ଥୁଳ ଯନ୍ତ୍ରାଂଶ (ଐବକ୍ସୟଙ୍ଗବକ୍ସର) ଏବଂ ମନ ଓ ବୁଦ୍ଧି ଏହାର ସୂକ୍ଷ୍ମ ଶକ୍ତି (ଝକ୍ଟଲଗ୍ଧଙ୍ଗବକ୍ସର) ସଦୃଶ ଅଟେ । ଆମେ ପ୍ରାୟତଃ ଏହି କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ଦେଇ ନ ଥାଏ । ଶଲ୍ୟ ଚିକିତ୍ସକମାନେ ମସ୍ତିଷ୍କ ପ୍ରତିରୋପଣ କରି, ତାଙ୍କ କାର୍ଯ୍ୟ ପାଇଁ ଆତ୍ମବଡ଼ିମା ଦେଖାଇଥାନ୍ତି, କିନ୍ତୁ ମସ୍ତିଷ୍କର ଏପରି ଅଦ୍ଭୁତ କାର୍ଯ୍ୟପ୍ରଣାଳୀ କିପରି ସୃଷ୍ଟି ହେଲା, ସେମାନେ ସେ ବିଷୟରେ ଚିନ୍ତା କରି ନ ଥାନ୍ତି । ପ୍ରୟୋଗ ବିଜ୍ଞାନର ପ୍ରଗତି ସତ୍ତ୍ୱେ, ଏପରି ଅନେକ କ୍ଷେତ୍ର ଅଛି ଯେଉଁଠି ମସ୍ତିଷ୍କର କାର୍ଯ୍ୟ ସହିତ କୌଣସି କମ୍ପ୍ୟୁଟର୍ ତୁଳନୀୟ ନୁହେଁ । ଉଦାହରଣ ସ୍ୱରୂପ, କମ୍ପ୍ୟୁଟର ଇଞ୍ଜିନିୟରମାନେ ‘ମୁଖ ଚିହ୍ନିବା’ କୌଶଳ ହାସଲ କରିବା ପାଇଁ ସଂଘର୍ଷ କରୁଥିବା ବେଳେ, ମନୁଷ୍ୟ ଲୋକମାନଙ୍କର ଚେହେରାରେ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସହଜରେ ସେମାନଙ୍କୁ ଚିହ୍ନିପାରେ । ଲୋକମାନେ ଏପରି କହୁଥିବାର ଆମ୍ଭେମାନେ ଶୁଣିଥାଏ, “ବନ୍ଧୁ! ଯାହାହେଉ ବହୁତ ଦିନ ପରେ ତୁମକୁ ଦେଖି ଖୁସି ଲାଗିଲା । ପୂର୍ବଥର ଠାରୁ ଏବେ ତୁମଠାରେ ଅନେକ ପରିବର୍ତ୍ତନ ଦେଖାଯାଉଛି ।” ଏହା ଦର୍ଶାଇ ଥାଏ ଯେ ମନୁଷ୍ୟର ମସ୍ତିଷ୍କ, ବହୁତ ବର୍ଷ ପୂର୍ବର ବଦଳି ଯାଇଥିବା ଚେହେରାକୁ ମଧ୍ୟ ଚିହ୍ନିପାରେ, ଅଥଚ କମ୍ପ୍ୟୁଟର ପରିବର୍ତ୍ତନ ହୋଇ ନ ଥିବା ମୁଖକୁ ମଧ୍ୟ ଠିକ ରୂପେ ଚିହ୍ନିପାରେ ନାହିଁ । ବର୍ତ୍ତମାନ ଇଞ୍ଜିନିୟରମାନେ ସ୍କାନର୍ ସଫ୍ଟୱେର୍ ପ୍ରସ୍ତୁତ କରିବା ଦିଗରେ ସଂଘର୍ଷ କରୁଛନ୍ତିି ଯାହା ଟାଇପ୍ କରାଯାଇଥିବା ବିଷୟକୁ ନିର୍ଭୁଲ ଭାବରେ ପଢ଼ିପାରିବ । ଅଥଚ, ମନୁଷ୍ୟ ଅସ୍ପଷ୍ଟ ହସ୍ତାକ୍ଷରକୁ ମଧ୍ୟ ନିର୍ଭୁଲ ଭାବେ ପଢ଼ିପାରେ । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଏହି ଆଶ୍ଚର୍ଯ୍ୟଜନକ ସ୍ମରଣଶକ୍ତି ଏବଂ ବୁଦ୍ଧି ଭଗବାନଙ୍କଠାରୁ ଆସିଥାଏ ।
ସେହିପରି ସେ ଆମକୁ ବିସ୍ମରଣ କରିବାର ଶକ୍ତି ମଧ୍ୟ ଦେଇଛନ୍ତି । ଯେପରି ଅଦରକାରୀ କାଗଜପତ୍ରକୁ ନଷ୍ଟ କରି ଦିଆଯାଏ, ସେହିପରି ମନୁଷ୍ୟ ମୂଲ୍ୟହୀନ ସ୍ମୃତିକୁ ତ୍ୟାଗ କରିଥାଏ । ତାହା ହୋଇ ନ ଥିଲେ, ତଥ୍ୟ ଦ୍ୱାରା ମସ୍ତିଷ୍କ ଅବରୁଦ୍ଧ ହୋଇଯାଆନ୍ତା । ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି:
ତ୍ୱତ୍ତୋ ଜ୍ଞାନଂ ହି ଜୀବାନାଂ ପ୍ରମୋଷସ୍ତେଽତ୍ର ଶକ୍ତିତଃ (ଭାଗବତମ୍ ୧୧:୨୨.୨୮)
“କେବଳ ଆପଣଙ୍କଠାରୁ ହିଁ ଜୀବର ଜ୍ଞାନ ଉତ୍ପନ୍ନ ହୁଏ ଏବଂ ଆପଣଙ୍କ ବଳରେ ସେହି ଜ୍ଞାନ ହରଣ ହୋଇଥାଏ ।”
ଆମ ପାଖରେ ଥିବା ଅନ୍ତର୍ନିହିତ ଜ୍ଞାନ ବ୍ୟତୀତ, ଜ୍ଞାନର ବାହ୍ୟ ଉତ୍ସ ଭାବରେ ଶାସ୍ତ୍ରମାନେ ଅଛନ୍ତି ଏବଂ ସେସବୁ କ୍ଷେତ୍ରରେ ମଧ୍ୟ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ପ୍ରକଟିତ ହୋଇଥାଏ । ସେ ହିଁ ସୃଷ୍ଟିର ପ୍ରାରମ୍ଭରେ ବେଦ ପ୍ରକଟ କରିଥିଲେ । ଭଗବାନ ଯେପରି ଦିବ୍ୟ ଏବଂ ବୁଦ୍ଧି ପରିସୀମା ବର୍ହିଭୂତ ଅଟନ୍ତି, ସେହିପରି ବେଦ ମଧ୍ୟ ଦିବ୍ୟ ଅଟେ । ତେଣୁ କେବଳ ସେ ହିଁ ବେଦର ବାସ୍ତବ ଅର୍ଥ ଜାଣନ୍ତି ଏବଂ ଯଦି ସେ କୌଣସି ବ୍ୟକ୍ତିକୁ କୃପା କରନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ବେଦର ଜ୍ଞାତା ହୋଇପାରେ । ବେଦବ୍ୟାସ, ଯିଏ କି ଭଗବାନଙ୍କର ଅବତାର ଥିଲେ, ବେଦାନ୍ତ ଦର୍ଶନ ରଚନା କରିଥିଲେ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସେ ବେଦାନ୍ତର ମଧ୍ୟ ରଚୟିତା ଅଟନ୍ତି ।
ଶେଷରେ ସେ କହୁଛନ୍ତି, ଯଦିଓ ବେଦରେ ଅସଂଖ୍ୟ ଭୌତିକ ଏବଂ ଅଧ୍ୟାତ୍ମିକ ଜ୍ଞାନ ରହିଛି, ତଥାପି ବୈଦିକ ଜ୍ଞାନର ଉଦ୍ଦେଶ୍ୟ ତାଙ୍କୁ ଜାଣିବା ଅଟେ । ଫଳଦାୟକ ବିଧିଯୁକ୍ତ କର୍ମକାଣ୍ଡର ମଧ୍ୟ ଗୋଟିଏ ଉଦ୍ଦେଶ୍ୟ ଅଛି । ଏହା ସଂସାରରେ ଅତ୍ୟନ୍ତ ଆସକ୍ତ ଥିବା ବ୍ୟକ୍ତିମାନଙ୍କୁ ଆକୃଷ୍ଟ କରେ ଏବଂ ଭଗବାନଙ୍କ ଆଡ଼କୁ ଅଗ୍ରସର ହେବା ପୂର୍ବରୁ, ଏକ ମଧ୍ୟବର୍ତ୍ତୀ ସୋପାନ ପ୍ରଦାନ କରେ । କଠୋପନିଷଦ (୧୨.୧୫) କହେ, ସର୍ବେ ବେଦା ଯତ୍ ପଦମାମନନ୍ତି “ସମସ୍ତ ବେଦମନ୍ତ୍ର ବାସ୍ତବରେ ଭଗବାନଙ୍କ ପ୍ରତି ଇଶାରା କରନ୍ତି ।” ଆମେ ସବୁ ବେଦମନ୍ତ୍ର ମୁଖସ୍ଥ କରିପାରେ, ସଠିକ୍ ଉଚ୍ଚାରଣ ସହ ଆବୃତ୍ତି କରିପାରେ, ସବୁ ରୀତି-ନୀତି ଏବଂ ବିଧି-ବିଧାନ ଜାଣି ଥାଇପାରେ, ଧ୍ୟାନ କରିପାରେ ଏବଂ କୁଣ୍ଡଳିନୀ ଜାଗ୍ରତ କରିପାରେ, କିନ୍ତୁ ଯଦି ଆମେ ଭଗବାନଙ୍କୁ ଜାଣିନାହୁଁ, ତା’ହେଲେ ଆମେ ବେଦର ପ୍ରକୃତ ଉଦ୍ଦେଶ୍ୟ ବୁଝିନାହୁଁ । ଅନ୍ୟ ପକ୍ଷରେ, ଯେଉଁମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଥାଏ, ସେମାନେ ସ୍ୱତଃ ସମସ୍ତ ବେଦଶାସ୍ତ୍ରର ଉଦ୍ଦେଶ୍ୟ ବୁଝିପାରନ୍ତି । ଜଗଦ୍ଗୁରୁ କୃପାଳୁଜୀ ମହାରାଜ କହିଛନ୍ତି:
ସର୍ବ ଶାସ୍ତ୍ର ସାର ୟହ ଗୋବିନ୍ଦ ରାଧେ, ଆଠୋଁ ଯାମ ମନ ହରି ଗୁରୁ ମେଁ ଲଗା ଦେ (ରାଧା ଗୋବିନ୍ଦ ଗୀତ)
“ସମସ୍ତ ଶାସ୍ତ୍ରର ସାର ଏହା ଯେ ମନକୁ ତୁମେ ଅହର୍ନିଶି ହରି ଓ ଗୁରୁଙ୍କ ଭକ୍ତିରେ ଲଗାଇ ରଖ ।”
ଏହି ଅଧ୍ୟାୟର ଶ୍ଲୋକ ୧ରୁ ୧୫ ପର୍ଯ୍ୟନ୍ତ, ଶ୍ରୀକୃଷ୍ଣ ସୃଷ୍ଟି ବୃକ୍ଷର ଉତ୍ପତ୍ତି ବିଷୟରେ କହିଲେ । ଏହି ବିଷୟକୁ ସମାପନ କରିବାକୁ ଯାଇ, ପରବର୍ତ୍ତୀ ଦୁଇଟି ଶ୍ଲୋକରେ ସେ କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା କରିଛନ୍ତି, ଯଦ୍ୱାରା ଜ୍ଞାନକୁ ଉଚିତ୍ ଦୃଷ୍ଟିକୋଣ ପ୍ରଦାନ କରାଯାଇ ପାରିବ ।