Bhagavad Gita: Chapter 16, Verse 13-15

ଇଦମଦ୍ୟ ମୟା ଲବ୍‌ଧମିମଂ ପ୍ରାପ୍‌ସ୍ୟେ ମନୋରଥମ୍ ।
ଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଧନମ୍ ।।୧୩।।
ଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।
ଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ୍‌ସୁଖୀ ।।୧୪।।
ଆଢ଼୍ୟୋଽଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋ ମୟା ।
ଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ ଇତ୍ୟଜ୍ଞାନବିମୋହିତାଃ ।।୧୫।।

ଇଦଂ- ଏହା; ଅଦ୍ୟ - ଆଜି; ମୟା- ମୋ’ଦ୍ୱାରା; ଲବ୍ଧମ୍ - ଲବ୍ଧ ହୋଇଛି; ଇମଂ -ଏହାକୁ; ପ୍ରାପ୍‌ସ୍ୟେ - ମୁଁ ପାଇବି; ମନୋରଥମ୍ - ମୋର ଇଚ୍ଛା ଅନୁଯାୟୀ; ଇଦଂ -ଏହା; ଅସ୍ତି - ଅଛି; ଇଦଂ- ଏହା; ଅପି -ମଧ୍ୟ; ମେ-ମୋର; ଭବିଷ୍ୟତି - ଭବିଷ୍ୟତରେ; ପୁନଃ-ପୁନର୍ବାର; ଧନମ୍ -ଧନ; ଅସୌ -ତାହା; ମୟା-ମୋ’ଦ୍ୱାରା; ହତଃ- ବିନାଶ ହୋଇଛି; ଶତ୍ରୁଃ - ଶତ୍ରୁ; ହନିଷ୍ୟେ- ମୁଁ ବଧ କରିବି; ଚ-ଏବଂ; ଅପରାନ୍ - ଅନ୍ୟମାନଙ୍କୁ; ଅପି -ମଧ୍ୟ; ଈଶ୍ୱରଃ -ଈଶ୍ୱର; ଅହଂ -ମୁଁ; ଅହଂ-ମୁଁ; ଭୋଗୀ- ଭୋଗୀ; ସିଦ୍ଧଃ- ସିଦ୍ଧ; ଅହଂ-ମୁଁ; ବଳବାନ୍‌- ବଳବାନ୍‌; ସୁଖୀ -ସୁଖୀ; ଆଢ଼୍ୟଃ -ଧନୀ; ଅଭିଜନବାନ୍ - ସମ୍ଭ୍ରାନ୍ତବଂଶୀୟ ଭାଇ ବନ୍ଧୁମାନଙ୍କ ଦ୍ୱାରା ପରିବେଷ୍ଟିତ; ଅସ୍ମି- ଅଟେ; କଃ - ଆଉ କିଏ; ଅନ୍ୟ - ଅନ୍ୟ; ଅସ୍ତି-ଅଛି; ସଦୃଶଃ -ପରି; ମୟା-ମୋ (ପରି); ଯକ୍ଷ୍ୟେ- ମୁଁ ଯଜ୍ଞାନୁଷ୍ଠାନ କରିବି; ଦାସ୍ୟାମି -ଦାନ କରିବି; ମୋଦିଷ୍ୟେ -ଆନନ୍ଦ ଉପଭୋଗ କରିବି; ଇତି -ଏହିପରି; ଅଜ୍ଞାନ -ଅଜ୍ଞାନ; ବିମୋହିତଃ - ବିମୋହିତ ।

Translation

BG 16.13-15: ଆସୁରିକ ପ୍ରବୃତ୍ତିର ବ୍ୟକ୍ତିମାନେ ଚିନ୍ତା କରନ୍ତି, “ମୁଁ ଆଜି ଯଥେଷ୍ଟ ଧନ ଅର୍ଜନ କରିଛି ଏବଂ ମୁଁ ଏବେ ମୋର କାମନା ପୂର୍ଣ୍ଣ କରିବି । ଏହା ମୋର ଅଟେ ଏବଂ ଆସନ୍ତାକାଲି ମୋର ଆହୁରି ଅଧିକ ହେବ । ସେ ଶତ୍ରୁକୁ ମୁଁ ପରାହତ କରିଛି, ଅନ୍ୟମାନଙ୍କୁ ମଧ୍ୟ ମୁଁ ନିଃଶେଷ କରିଦେବି! ମୁଁ ସ୍ୱୟଂ ଭଗବାନଙ୍କ ସଦୃଶ ଅଟେ, ମୁଁ ଭୋକ୍ତା ଅଟେ, ମୁଁ ଶକ୍ତିଶାଳୀ ଏବଂ ମୁଁ ସୁଖୀ ଅଟେ । ମୁଁ ଧନବାନ ଏବଂ ମୋର ଜ୍ଞାତି କୁଟୁମ୍ବମାନେ ମଧ୍ୟ ସମ୍ଭ୍ରାନ୍ତ ଅଟନ୍ତି । ମୋ ସହିତ କିଏ ସମାନ ହେବ? ମୁଁ ଯଜ୍ଞ କରିବି (ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ); ମୁଁ ଭିକ୍ଷା ଦେବି; ମୁଁ ଉପଭୋଗ କରିବି ।”- ଏତାଦୃଶ ଅଜ୍ଞାନଦ୍ୱାରା ସେମାନେ ଭ୍ରମିତ ହୋଇଥାନ୍ତି ।

Commentary

ସମସ୍ତ ନୈତିକତାକୁ ଜଳାଞ୍ଜଳି ଦେଇ, ଦାନବ ସ୍ୱଭାବର ବ୍ୟକ୍ତିମାନେ ଭାବନ୍ତି, ସଂସାରର ସବୁ ଆନନ୍ଦକୁ ଉପଭୋଗ କରିବାର ଅଧିକାର ସେମାନଙ୍କର ଅଛି । ନିଜର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ଘଟଣାକୁ ବ୍ୟବସ୍ଥିତ କରିବା ପାଇଁ ଏକୀକୃତ ଉଦ୍ୟମ କରିଥାନ୍ତି । ବୈଦିକ କର୍ମକାଣ୍ଡ ଦ୍ୱାରା ଭୌତିକ ସମୃଦ୍ଧି ପ୍ରାପ୍ତ ହୁଏ ଜାଣି, ସେମାନେ ପ୍ରଚୁର ମାତ୍ରାର ଧନ ଏବଂ ଯଶ ଲାଭ ପାଇଁ, ସେମାନେ ବିଧିବିଧାନଯୁକ୍ତ କର୍ମକାଣ୍ଡର ଅନୁଷ୍ଠାନ ମଧ୍ୟ କରିଥାନ୍ତି । କିନ୍ତୁ ଯେପରି ଶାଗୁଣା ଉଚ୍ଚରେ ଉଡୁଥିଲେ ମଧ୍ୟ ତାର ଦୃଷ୍ଟି ତଳକୁ ଥାଏ, ସେହିପରି ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ସାମାଜିକ ସ୍ତରରେ ଉପରକୁ ଯାଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟଗୁଡ଼ିକ ହୀନ ଏବଂ ନୀଚ ହୋଇଥାଏ । ସେମାନେ କ୍ଷମତାକୁ ସମ୍ମାନ ଦିଅନ୍ତି ଏବଂ “ଜୋର୍ ଯାହାର ମୁଲକ ତାହାର” ଏହି ନୀତିରେ ବିଶ୍ୱାସ କରନ୍ତିି । ତେଣୁ ସେମାନେ ତାଙ୍କ ରାସ୍ତାର ପ୍ରତିବନ୍ଧକ ହଟାଇବା ପାଇଁ ଅନ୍ୟମାନଙ୍କର କ୍ଷତି କରିବା କିମ୍ବା ଅନ୍ୟମାନଙ୍କୁ ଆଘାତ ଦେବା ପାଇଁ କୁଣ୍ଠାବୋଧ କରନ୍ତି ନାହିଁ । ସୁକ୍ତି ସୁଧାକର କହେ, ଚାରି ପ୍ରକାରର ମନୁଷ୍ୟ ଅଛନ୍ତି;

ଏକେ ସତ୍‌ପୁରୁଷାଃ ପରାର୍ଥଘାତକାଃ ସ୍ୱାର୍ଥାନ୍ ପରିତ୍ୟଜ୍ୟ ଯେ,
ସାମାନ୍ୟାସ୍ତୁ ପରାର୍ଥମୁଦ୍ୟମଭୃତଃ ସ୍ୱାର୍ଥା ବିରୋଧେନ ଯେ
ତେଽମୀ ମାନବ ରାକ୍ଷସାଃ ପରହିତଂ ସ୍ୱାର୍ଥାୟ ନିଘ୍ନନ୍ତି ଯେ
ଯେ ତୁଘ୍ନନ୍ତି ନିରର୍ଥକଂ ପରହିତଂ ତେ କେ ନ ଜାନୀମହେ ।

“ପ୍ରଥମ ଶ୍ରେଣୀର ବ୍ୟକ୍ତି ସାଧୁ ପୁରୁଷ ଅଟନ୍ତି ଯିଏ ନିଜ ସ୍ୱାର୍ଥ ତ୍ୟାଗ କରି ଅନ୍ୟର କଲ୍ୟାଣ କରିଥାନ୍ତି । ଦ୍ୱିତୀୟ ଶ୍ରେଣୀର ବ୍ୟକ୍ତି ସାଧାରଣ ମନୁଷ୍ୟ ଅଟନ୍ତି ଯିଏ ନିଜର କ୍ଷତି ନକରି ଅନ୍ୟର କଲ୍ୟାଣ ସାଧନ କରନ୍ତି । ତୃତୀୟ ଶ୍ରେଣୀର ବ୍ୟକ୍ତି ଆସୁରିକ ସ୍ୱଭାବର ଅଟନ୍ତି ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟର କ୍ଷତି କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ତାଛଡା ଚତୁର୍ଥ ଶ୍ରେଣୀର ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ବିନା କାରଣରେ ଅନ୍ୟର କ୍ଷତି କରିଥା’ନ୍ତି (ପର ପୀଡନ ସୁଖ) । ସେମାନଙ୍କ ପାଇଁ କୌଣସି ଉପଯୁକ୍ତ ନାମ ନାହିଁ ।” ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବର ଏହି ସବୁ ବିକୃତିର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଗର୍ବରେ ଅନ୍ଧହୋଇ ସେମାନେ ଏହିପରି ଚିନ୍ତା କରିଥାନ୍ତି, “ମୁଁ ଏକ ଧନଶାଳୀ ଏବଂ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଛି । ମୁଁ ଧନୀ ଏବଂ ଶକ୍ତିଶାଳୀ ଅଟେ ଏବଂ ମୋର ଯାହା ଇଚ୍ଛା ମୁଁ ତାହା କରେ । ମୋର ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହେବାର ଆବଶ୍ୟକତା ନାହିଁ କାରଣ ମୁଁ ନିଜେ ହିଁ ଭଗବାନଙ୍କ ସଦୃଶ ଅଟେ ।”

ଅଧିକାଂଶ କ୍ଷେତ୍ରରେ, ଜଣେ ଯେତେବେଳେ ‘ମୁଁ’ କହେ, ତାହା ସେ ନିଜେ ନୁହେଁ ତାଙ୍କର ଅହଂକାର କହିଥାଏ । ବ୍ୟକ୍ତିର ନିଜସ୍ୱ ମତ, ବାହ୍ୟ ରୂପ, ଦ୍ୱେଷଭାବ ଇତ୍ୟାଦିକୁ ନେଇ ଅହଂକାର ଏକ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିଥାଏ । ଅହଂକାର ନିଜର ଏକ ବ୍ୟକ୍ତିତ୍ୱ ଗଢ଼ିଥାଏ, ଯାହାର ପ୍ରଭାବରେ ବ୍ୟକ୍ତି ନିଜର ବିଚାର, ଆବେଗ ଏବଂ ସ୍ମୃତିଗୁଚ୍ଛ ସହିତ ତାଦାତ୍ମ୍ୟ କରି ତାହାକୁ ନିଜର ଅବିଚ୍ଛିନ୍ନ ଅଂଶ ଭାବରେ ଗ୍ରହଣ କରେ । ଅହଂକାର ନିଜକୁ ମାଲିକ ମନେ କରିଥାଏ, କିନ୍ତୁ ମାଲିକାନାର ତା’ର ସେହି ସନ୍ତୋଷ ସାଧାରଣତଃ କ୍ଷଣସ୍ଥାୟୀ ଅଟେ । “ଏତିକି ଯଥେଷ୍ଟ ନୁହେଁ” ର ବଦ୍ଧମୂଳ ଅସନ୍ତୋଷ ସେଥିରେ ଲୁଚି ରହିଥାଏ । ସେହି ଅପୂର୍ଣ୍ଣ ଇଚ୍ଛା ବ୍ୟକ୍ତିର ମନରେ ଅସ୍ଥିରତା, ଅଶାନ୍ତି, ବିରକ୍ତି, ଉଦ୍‌ବେଗ ଏବଂ ଅସନ୍ତୋଷ ସୃଷ୍ଟି କରିଥାଏ । ପରିଣାମତଃ, ବାସ୍ତବିକତାର ଏକ ବିକୃତ ଉପଲବ୍‌ଧି ହୋଇଥାଏ, ଯାହା ‘ମୁଁ’ତ୍ୱର ଅନୁଭୂତିକୁ ବାସ୍ତବ ‘ମୁଁ’ ଠାରୁ ଆହୁରି ପୃଥକ୍ କରି ଦେଇଥାଏ ।

ଅହଂକାର ଆମ ଜୀବନରେ ସବୁଠାରୁ ବଡ଼ ଅସତ୍ୟ ସୃଷ୍ଟି କରେ ଏବଂ ଆମ୍ଭେମାନେ ବାସ୍ତବରେ ଯାହା ନୁହେଁ, ସେହି ବିଶ୍ୱାସ ସେ ଆମକୁ ଦେଇଥାଏ । ତେଣୁ ଧର୍ମ ପଥରେ ଅଗ୍ରଗତି ପାଇଁ, ସମସ୍ତ ଧାର୍ମିକ ପରମ୍ପରା ଏବଂ ସନ୍ଥମାନେ, ଅହଂକାରୀ ବିଚାରଧାରା ତ୍ୟାଗ କରିବାକୁ ଉପଦେଶ ଦେଇଛନ୍ତି । ତାଓ ତେ ଚିଙ୍ଗ୍ ଶିକ୍ଷାଦିଏ; “ଏକ ପାହାଡ଼ ହେବାର ଚେଷ୍ଟା ନ କରି, ବିଶ୍ୱର ଏକ ଉପତ୍ୟକା ହୁଅ ।” ନଜରେଥର ଯୀଶୁ ମଧ୍ୟ ଉଲ୍ଲେଖ କରିଛନ୍ତି: “କୌଣସି ସ୍ଥାନକୁ ତୁମକୁ ଯେତେବେଳେ ଆମନ୍ତ୍ରିତ କରାଯାଇ ଥାଏ, ସେଠାକୁ ଯାଇ ନିମ୍ନତମ ସ୍ଥାନରେ ବସ, କାରଣ ଯେତେବେଳେ ଆୟୋଜକ ଆସିବେ, ସେ ହୁଏତ ତୁମକୁ କହିପାରନ୍ତି, ବନ୍ଧୁ, ଉପରକୁ ଯାଅ । କାରଣ ଯେଉଁମାନେ ଉପରକୁ ଉଠିଛନ୍ତି, ସେମାନେ ନିଶ୍ଚିତ ଭାବରେ ତଳକୁ ଆସିବେ ଏବଂ ଯେଉଁମାନେ ତଳେ ଅଛନ୍ତି ସେମାନେ ଉପରକୁ ଯିବେ ।” (ଲ୍ୟୁକ୍ ୧୪:୧୦-୧୧) ସନ୍ଥ କବୀର ଏହାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି:

ଉଁଚେ ପାନୀ ନ ଟିକେ ନୀଚେ ହୀ ଠହରାୟେ
ନୀଚା ହୋୟ ସୋ ଭରି ପୀ, ଉଁଚା ପ୍ୟାସା ଜାୟ

“ପାଣି, ଉପରେ ରହିପାରେନି; ଏହା ଆପେ ଆପେ ତଳକୁ ବୋହି ଆସେ । ଯେଉଁମାନେ ନିମ୍ନରେ ଅଛନ୍ତି ଏବଂ ନମ୍ର; ହୃଦୟଭରି ପାନ କରନ୍ତି (ଭଗବତ୍ କୃପା), କିନ୍ତୁ ଯେଉଁମାନେ ବଡ଼ିମାଯୁକ୍ତ ହୋଇ ଉଚ୍ଚରେ ରହିଛନ୍ତି, ସେମାନେ ତୃଷାର୍ତ୍ତ ରହିଥାନ୍ତି ।”