Bhagavad Gita: Chapter 16, Verse 16

ଅନେକଚିତ୍ତବିଭ୍ରାନ୍ତା ମୋହଜାଲସମାବୃତାଃ ।
ପ୍ରସକ୍ତାଃ କାମଭୋଗେଷୁ ପତନ୍ତି ନରକେଽଶୁଚୌ ।।୧୬।।

ଅନେକ -ଅନେକ; ଚିତ୍ତ-ବିଭ୍ରାନ୍ତଃ -କଳ୍ପନାଶୀଳତା; ମୋହ-ମୋହ; ଜାଲ-ଜାଲ; ସମାବୃତାଃ -ପରିବେଷ୍ଟିତ; ପ୍ରସକ୍ତାଃ -ଆସକ୍ତ; କାମ -କାମ; ଭୋଗେଷୁ -ଇନ୍ଦ୍ରିୟସୁଖ ଭୋଗରେ; ପତନ୍ତି -ପତିତ ହୁଏ; ନରକେ -ନର୍କରେ; ଅଶୁଚୌ -ଅପବିତ୍ର ।

Translation

BG 16.16: ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।

Commentary

ଅହଂକାରର ପ୍ରଭାବରେ ବ୍ୟକ୍ତି ନିଜକୁ ମନ ମନେକରି ତା’ର ନିଷ୍କ୍ରିୟ ଏବଂ ପୁନରାବର୍ତ୍ତ ବିଚାର ଧାରାରେ ଆବଦ୍ଧ ହୋଇଯାଏ । ବସ୍ତୁତଃ, ସେମାନେ ନିଜ ମନର କବଳିତ ହୋଇଯାଆନ୍ତି, ଯାହା ଏକ ଭଙ୍ଗା ରେକର୍ଡ଼ ପରି ବାରମ୍ବାର ଚାଲିଥାଏ ଏବଂ ତାଙ୍କ ବିଚାର ଦ୍ୱାରା ଉତ୍ପନ୍ନ ହୋଇଥିବା ଜଗତରେ ରହନ୍ତି । ଅଶୁଦ୍ଧ ମନଦ୍ୱାରା ଉତ୍ପନ୍ନ ଏକ ଲୋକପ୍ରିୟ ଚିନ୍ତାଧାରା ହେଉଛି, ଅଭିଯୋଗ କରିବା । ମନ ଅନ୍ୟମାନଙ୍କ ବିରୁଦ୍ଧରେ, ଏପରିକି ପରିସ୍ଥିତି ବିରୁଦ୍ଧରେ ଅଭିଯୋଗ କରିବାକୁ ଏବଂ ସେମାନଙ୍କ ପ୍ରତି ବିରକ୍ତି ପ୍ରକାଶ କରିବାକୁ ଭଲପାଏ । “ଏପରି ହେବା ଉଚିତ ନ ଥିଲା”, “ମୁଁ ଏଠାରେ ରହିବାକୁ ଇଚ୍ଛା କରୁନାହିଁ”, “ମୋ ପ୍ରତି ଅନ୍ୟାୟ କରାଯାଉଛି” ଇତ୍ୟାଦି ପ୍ରତ୍ୟେକ ଅଭିଯୋଗ ପାଇଁ ମନ ଛୋଟ ଛୋଟ କାହାଣୀ ପ୍ରସ୍ତୁତ କରିଥାଏ ଏବଂ ଆମ୍ଭେମାନେ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ । ମନ ନିଜ ସ୍ୱରରେ ଜୀବନର ଦୁଃଖ, ଉଦ୍‌ବେଗ କିମ୍ବା କ୍ରୋଧର କାହାଣୀ ଶୁଣାଇଥାଏ ଏବଂ ବିଚରା ମଣିଷ ଅହଂକାରର ପ୍ରବାହରେ, ମନ କହୁଥିôବା କାହାଣୀକୁ ସ୍ୱୀକାର କରିଥାଏ । ଅଭିଯୋଗ କରିବାର ମନୋବୃତ୍ତି ବୃଦ୍ଧି ଲାଭ କରିବା ଫଳରେ ମନରେ ତିକ୍ତତା ବା ଅପ୍ରସନ୍ନତା ଜାତ ହୁଏ । ଅପ୍ରସନ୍ନତାର ଅଭିପ୍ରାୟ କ୍ଷୁବ୍ଧହେବା, ବ୍ୟଥିତ ହେବା ବା କ୍ଷୁର୍ଣ୍ଣ ହେବା । ଅପ୍ରସନ୍ନତା ବହୁ ଦିନ ଧରି ଲାଗି ରହିବା ଫଳରେ ମନୋବେଦନା ଜାତ ହୁଏ । ମନୋବେଦନା ଏକ ଶକ୍ତିଶାଳୀ ନକାରାତ୍ମକ ମନୋଭାବ, ଯାହା ଅତୀତର କୌଣସି ଘଟଣା ସହିତ ସଂଯୁକ୍ତ ହୋଇଥାଏ । ଏକ ଅଦମ୍ୟ ଚିନ୍ତନ ଦ୍ୱାରା ଜୀବନ୍ତ ରହିଥାଏ ଏବଂ ମସ୍ତିଷ୍କକୁ ବାରମ୍ବାର କହିଥାଏ, “ମୋ ସହିତ ଜଣେ ଏପରି କରିଥିଲା” । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ଆସୁରିକ ସ୍ୱଭାବର ବ୍ୟକ୍ତି, ଯେଉଁମାନେ ଅହଂକାର ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରମ ଜାଲରେ ବଞ୍ôଚବାକୁ ଚାହାଁନ୍ତି, ସେମାନେ ନିକୃଷ୍ଟଗୁଣର ଅସଂଖ୍ୟ ବିଚାର ଦ୍ୱାରା ହତବୁଦ୍ଧି ହୋଇଯାଆନ୍ତି । ଫଳସ୍ୱରୂପ, ସେମାନେ ନିଜର ଭାଗ୍ୟକୁ ଅନ୍ଧକାରମୟ କରିଦିଅନ୍ତି ।

ମନୁଷ୍ୟ ନିଜ ଇଚ୍ଛା ଅନୁସାରେ କର୍ମ କରିବା ପାଇଁ ସ୍ୱତନ୍ତ୍ର ଅଟେ, କିନ୍ତୁ ତାଙ୍କ କର୍ମର ଫଳ ନିର୍ଦ୍ଧାରଣ କରିବା ପାଇଁ ସେମାନେ ସ୍ୱାଧୀନ ନୁହଁନ୍ତି । କର୍ମର ନିୟମ ଅନୁସାରେ ଭଗବାନଙ୍କ ଦ୍ୱାରା କର୍ମଫଳ ପ୍ରଦାନ କରାଯାଇଥାଏ ।

କରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଳ ଚାଖା ।

“ସଂସାର କର୍ମ ପ୍ରଧାନ ଅଟେ । ମନୁଷ୍ୟ ଯେପରି କର୍ମ କରେ ସେପରି ଫଳର ଆସ୍ୱାଦନ କରେ ।” ତେଣୁ ସମସ୍ତଙ୍କୁ ନିଜ କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ । ବାଇବେଲ ମଧ୍ୟ କହେ: “ନିଶ୍ଚିତ ରହ, ତୁମ ପାପ ତୁମକୁ ଖୋଜି ବାହାର କରିଦେବ ।” (ନମ୍ବର୍‌ସ ୩୨.୨୩) ସେଥିପାଇଁ, ଆସୁରିକ ପ୍ରବୃତ୍ତି ପୋଷଣ କରୁଥିବା ବ୍ୟକ୍ତିଙ୍କୁ ପର ଜନ୍ମରେ ଭଗବାନ ନିମ୍ନ ଯୋନି ପ୍ରଦାନ କରିଥାନ୍ତି । ଏହାର ସିଦ୍ଧାନ୍ତ ଅତ୍ୟନ୍ତ ସରଳ ଅଟେ:

ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ
ଜଘନ୍ୟ ଗୁଣ ବୃତ୍ତିସ୍ଥା ଅଧୋ ତିଷ୍ଠନ୍ତି ତାମସାଃ (ଗରୁଡ଼ ପୁରାଣ)

“ଯେଉଁମାନେ ସ୍ୱାତ୍ତିକ ସ୍ୱଭାବଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ଉଚ୍ଚତର ଲୋକକୁ ଗମନ କରନ୍ତି; ଯେଉଁମାନେ ରାଜସିକ ପ୍ରବୃତ୍ତି ଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ମଧ୍ୟବର୍ତ୍ତୀ ଲୋକରେ ରହନ୍ତି ଏବଂ ଯେଉଁମାନେ ତାମସିକ ମନୋଭାବରେ କାର୍ଯ୍ୟ କରନ୍ତି ଏବଂ ପାପ ମନୋବୃତ୍ତିଯୁକ୍ତ ହୋଇଥାନ୍ତି, ସେମାନେ ନିମ୍ନଲୋକକୁ ଅବତରଣ କରନ୍ତି ।”

Swami Mukundananda

16. ଦୈବାସୁର ସମ୍ପଦ ବିଭାଗ ଯୋଗ

Subscribe by email

Thanks for subscribing to “Bhagavad Gita - Verse of the Day”!