Bhagavad Gita: Chapter 16, Verse 19-20

ତାନହଂ ଦ୍ୱିଷତଃ କ୍ରୂରାନ୍‌ସଂସାରେଷୁ ନରାଧମାନ୍ ।
କ୍ଷିପାମ୍ୟଜସ୍ରମଶୁଭାନାସୁରୀଷ୍ୱେବ ଯୋନିଷୁ ।।୧୯।।
ଆସୁରୀଂ ଯୋନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ।
ମାମପ୍ରାପୈବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିମ୍ ।।୨୦।।

ତାନ୍ - ସେମାନଙ୍କୁ; ଅହଂ-ମୁଁ; ଦ୍ୱିଷତଃ -ଘୃଣ୍ୟ; କ୍ରୁରାନ୍ -ନିଷ୍ଠୁର; ସଂସାରେଷୁ - ସଂସାରରେ; ନରାଧମାନ୍ - ନରାଧମ; କ୍ଷିପାମି- ପକାଏ; ଅଜସ୍ରଂ -ବାରମ୍ବାର; ଅଶୁଭାନ୍‌-ଅଶୁଭ; ଆସୁରୀଷୁ- ଆସୁରିକ; ଏବ-ନିଶ୍ଚିତଭାବେ; ଯୋନିଷୁ- ଯୋନିରେ । ଆସୁରୀଂ -ଆସୁରିକ; ଯୋନିଂ- ଯୋନି; ଆପନ୍ନା- ପ୍ରାପ୍ତ ହୋଇ; ମୂଢ଼ାଃ -ମୁର୍ଖ; ଜନ୍ମନି ଜନ୍ମନି -ଜନ୍ମ ଜନ୍ମାନ୍ତରରେ; ମାଂ-ମୋତେ; ଅପ୍ରାପ୍ୟ - ପ୍ରାପ୍ତ ନ କରି;ଏବ -ନିଶ୍ଚିତଭାବେ; କୌନ୍ତେୟ - ହେ କୁନ୍ତିପୁତ୍ର; ତତଃ -ତତ୍ପରେ; ଯାନ୍ତି -ଯାଆନ୍ତି; ଅଧମାଂ-ଅଧମ; ଗତିମ୍‌- ଗତି ।

Translation

BG 16.19-20: ଏହିପରି ନିଷ୍ଠୁର ଓ ଘୃଣ୍ୟ, ସଂସାରର ନୀଚ ଏବଂ ପାପଯୁକ୍ତ ମନୁଷ୍ୟମାନଙ୍କୁ ମୁଁ ଭୌତିକ ଜଗତର ଜନ୍ମ ଓ ମୃତ୍ୟୁ ଚକ୍ରରେ ବାରମ୍ବାର ଆସୁରିକ ଗର୍ଭରେ ନିକ୍ଷେପ କରିଥାଏ । ଏହି ମୂଢ଼ ଜୀବଗଣ ବାରମ୍ବାର ଆସୁରିକ ଯୋନିରେ ଜନ୍ମ ଗ୍ରହଣ କରନ୍ତି । ହେ ଅର୍ଜୁନ! ମୋତେ ପ୍ରାପ୍ତ କରିବାରେ ବିଫଳ ହୋଇ, ଧୀରେ ଧୀରେ ସେମାନେ ନିକୃଷ୍ଟତମ ଯୋନିକୁ ପତିତ ହୁଅନ୍ତି ।

Commentary

ଶ୍ରୀକୃଷ୍ଣ ପୁନର୍ବାର ଆସୁରିକ ସ୍ୱଭାବର ପରୋକ୍ଷ ପ୍ରଭାବ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ ପରବର୍ତ୍ତୀ ଜନ୍ମରେ ସେ ସେମାନଙ୍କୁ ତାଦୃଶ ମନୋଭାବଯୁକ୍ତ ପରିବାରରେ ଜନ୍ମ ଦିଅନ୍ତି, ଯେଉଁଠାରେ ସେମାନେ ତାଙ୍କର ସ୍ୱାଧୀନ ଇଚ୍ଛା ପୂରଣ କରିବାକୁ ଏବଂ ତାଙ୍କର ବିକୃତ ଗୁଣକୁ ପ୍ରକାଶିତ କରିବାକୁ ଏକ ଆସୁରିକ ବାତାବରଣ ପାଇଥାଆନ୍ତି । ଏହି ଶ୍ଲୋକରୁ ଆମେ ଏହା ମଧ୍ୟ ଅନୁମାନ କରିପାରିବା ଯେ ପରବର୍ତ୍ତୀ ଜନ୍ମରେ ଜୀବ କେଉଁ ଯୋନି, ଲୋକ ବା ବାତାବରଣରେ ଜନ୍ମ ଗ୍ରହଣ କରିବ, ତାହା ଚୟନ କରିବା ତା’ ହାତରେ ନ ଥାଏ ।  ବ୍ୟକ୍ତିର କର୍ମ ଅନୁସାରେ ସେହି ନିଷ୍ପତ୍ତି ଭଗବାନ ନେଇଥାନ୍ତି । ସେଥିପାଇଁ, ଆସୁରିକ ସ୍ୱଭାବର ବ୍ୟକ୍ତିମାନଙ୍କୁ ନିମ୍ନ ତଥା ଘୃଣ୍ୟ ଯୋନି,  ଏପରିକି ଦୁଷ୍ଟବୁଦ୍ଧିର ନିଧାନ ସର୍ପ, ସରିସୃପ ଏବଂ ବୃଶ୍ଚିକ ଆଦି ଯୋନିକୁ ପ୍ରେରଣ କରାଯାଇଥାଏ ।