Bhagavad Gita: Chapter 16, Verse 22

ଏତୈର୍ବିମୁକ୍ତଃ କୌନ୍ତେୟ ତମୋଦ୍ୱାରୈସ୍ତ୍ରିଭିର୍ନରଃ ।
ଆଚରତ୍ୟାତ୍ମନଃ ଶ୍ରେୟସ୍ତତୋ ଯାତି ପରାଂ ଗତିମ୍ ।।୨୨।।

ଏତୈଃ - ଏଗୁଡ଼ିକରୁ; ବିମୁକ୍ତଃ -ମୁକ୍ତହୋଇ; କୌନ୍ତେୟ -ହେ କୁନ୍ତିପୁତ୍ର; ତମୋ ଦ୍ୱାରୈଃ - ଅଜ୍ଞାନ ଦ୍ୱାର; ତ୍ରିଭିଃ - ତିନିପ୍ରକାର; ନରଃ -ବ୍ୟକ୍ତି; ଆଚରତି - ପ୍ରୟାସ କରେ; ଆତ୍ମନଃ -ଜୀବ; ଶ୍ରେୟଃ- କଲ୍ୟାଣ; ତତଃ -ତତ୍ପରେ; ଯାତି -ପ୍ରାପ୍ତ ହୁଏ; ପରାଂ-ଶ୍ରେଷ୍ଠ; ଗତିମ୍ - ଗତି ।

Translation

BG 16.22: ଯେଉଁମାନେ ଅନ୍ଧକାରର ଏହି ତିନୋଟି ଦ୍ୱାରରୁ ମୁକ୍ତ ହୋଇଯାଆନ୍ତି, ସେମାନେ ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ କରନ୍ତି ଏବଂ ତଦ୍ୱାରା ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କାମ, କ୍ରୋଧ ଓ ଲୋଭ ପରିତ୍ୟାଗ କରିବାର ସୁଫଳ ବର୍ଣ୍ଣନା କରିଛନ୍ତି । ଏଗୁଡ଼ିକ ରହିଥିବା ପର୍ଯ୍ୟନ୍ତ, ବ୍ୟକ୍ତି ପ୍ରେୟ ବା ସେହି ସୁଖ ପ୍ରତି ଆକର୍ଷିତ ହୋଇଥାଏ, ଯାହା ବର୍ତ୍ତମାନ ସମୟରେ ମଧୁର ମନେ ହୁଏ କିନ୍ତୁ ଶେଷରେ ତିକ୍ତ ସିଦ୍ଧ ହୋଇଥାଏ । କିନ୍ତୁ ଯେତେବେଳେ ଭୌତିକ ଲାଳସା ହ୍ରାସ ପାଏ, ବୁଦ୍ଧି, ଭୌତିକ ଆସକ୍ତିରୁ ମୁକ୍ତ ହୋଇ, ପ୍ରେୟ ପଥରେ ପ୍ରୟାସ କରିବାର ଅଦୂରଦର୍ଶିତା ହୃଦୟଙ୍ଗମ କରିଥାଏ । ତାପରେ ବ୍ୟକ୍ତି ଶ୍ରେୟ ପ୍ରତି ଆକୃଷ୍ଟ ହୋଇଥାଏ ଯାହା ପ୍ରାରମ୍ଭରେ ଅରୁଚିକର ମନେ ହେଉଥିଲେ ସୁଦ୍ଧା ଅନ୍ତତଃ ସୁଖଦ ହୋଇଥାଏ । ଶ୍ରେୟ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଜ୍ଞାନପ୍ରାପ୍ତିର ପଥ ଉନ୍ମୁକ୍ତ ହୋଇଯାଏ । ଆତ୍ମାର କଲ୍ୟାଣ ପାଇଁ ଉଦ୍ୟମ ଆରମ୍ଭ କରି ସେମାନେ ନିଜ ଚରମ ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହୁଅନ୍ତି ।