Bhagavad Gita: Chapter 16, Verse 5

ଦୈବୀସମ୍ପଦ୍ୱିିମୋକ୍ଷାୟ ନିବନ୍ଧାୟାସୁରୀ ମତା ।
ମା ଶୁଚଃ ସମ୍ପଦଂ ଦୈବୀମଭିଜାତୋଽସି ପାଣ୍ଡବ ।।୫।।

ଦୈବୀ- ଦିବ୍ୟ; ସମ୍ପତ୍ - ପ୍ରକୃତି; ବିମୋକ୍ଷାୟ -ମୁକ୍ତି ଦାୟିନୀ; ନିବନ୍ଧାୟ - ବନ୍ଧନ କାରକ; ଆସୁରୀ - ଆସୁରିକ ପ୍ରକୃତି; ମତା- ବିଚାର କରାଯାଏ; ମା -କେବେହେଲେ ହୁଅ ନାହିଁ; ଶୁଚଃ - ଦୁଃଖିତ; ସମ୍ପଦଂ - ଗୁଣ; ଦୈବୀଂ - ଦିବ୍ୟ; ଅଭିଜାତଃ - ଜନ୍ମ; ଅସି - ତୁମେ ଅଟ; ପାଣ୍ଡବ - ହେ ପାଣ୍ଡୁପୁତ୍ର ।

Translation

BG 16.5: ଦିବ୍ୟଗୁଣ ମୁକ୍ତି ପ୍ରଦାନ କରୁଥିବାବେଳେ, ଆସୁରିକ ଗୁଣଗୁଡ଼ିକ ବନ୍ଧନର ଏକ କ୍ରମାଗତ ଭାଗ୍ୟର କାରଣ ହୋଇଥାନ୍ତି । ହେ ଅର୍ଜୁନ! ଦୁଃଖ କର ନାହିଁ, ତୁମେ ଧାର୍ମିକ ଗୁଣଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଛ ।

Commentary

ଦୁଇ ପ୍ରକାରର ପ୍ରକୃତି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଉଭୟର ପରିଣାମ ସମ୍ବନ୍ଧରେ ସୂଚନା ଦେଉଛନ୍ତି । ସେ କହୁଛନ୍ତି ଯେ ଆସୁରିକ ପ୍ରକୃତି ବ୍ୟକ୍ତିକୁ ଜନ୍ମ ଓ ମୃତ୍ୟୁର ସଂସାରରେ ବନ୍ଦୀ କରିଦିଏ । ଅନ୍ୟ ପକ୍ଷରେ, ସାଧୁ ସ୍ୱଭାବ ମାୟାର ଶୃଙ୍ଖଳକୁ ଛିନ୍ନ କରିବାରେ ସାହାଯ୍ୟ କରିଥାଏ ।

ଆଧ୍ୟାତ୍ମିକ ପଥକୁ ସଫଳତାର ସହ ଅତିକ୍ରମ କରିବା ଏବଂ ଅନ୍ତ ପର୍ଯ୍ୟନ୍ତ ଅନୁସରଣ କରିବା ପାଇଁ, ସାଧକ ଅନେକ ବିଷୟ ପ୍ରତି ସତର୍କ ରହିବା ଆବଶ୍ୟକ । ବ୍ୟକ୍ତିତ୍ୱରେ ଅହଂକାର, କପଟ ଆଦି ଆସୁରିକ ଗୁଣ ମଧ୍ୟରୁ କୌଣସି ଗୋଟିଏ ବି ଗୁଣ ରହିଲେ, ତାହା ପତନର କାରଣ ହୋଇପାରେ । ତା ସହିତ, ଦିବ୍ୟ ଗୁଣର ବିକାଶ ମଧ୍ୟ ଆବଶ୍ୟକ, କାରଣ ସଦ୍‌ଗୁଣ ବିନା ଆମର ଆଧ୍ୟାତ୍ମିକ ପ୍ରଗତି ସ୍ଥାଣୁ ହୋଇ ଯାଇପାରେ । ଉଦାହରଣ ସ୍ୱରୂପ, ଯଦି ଆମଠାରେ ସହନଶୀଳତା ନ ଥାଏ, ତେବେ ଯାତ୍ରା କଷ୍ଟକର ହେଲେ ଆମେ ତାକୁ ପରିତ୍ୟାଗ କରିଦେଇ ପାରେ । ସେହିପରି, କ୍ଷମାଶୀଳତା ନ ଥିଲେ ଆମ ମନ ଦ୍ୱେଷପୂର୍ଣ୍ଣ ରହି ଭଗବାନଙ୍କ ଠାରେ ନିମଗ୍ନ ହେବାର କ୍ଷମତା ହରାଇବ । କିନ୍ତୁ ଆମେ ଯଦି ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ସୂଚିତ କରିଥିବା ସଦ୍‌ଗୁଣ ବିକସିତ କରିବା, ତେବେ ଆଧ୍ୟାତ୍ମିକ ମାର୍ଗରେ ଦ୍ରୁତ ଅଗ୍ରଗତି କରିବା ସହିତ ମାର୍ଗରେ ଆସୁଥିବା ସମସ୍ତ ବାଧାକୁ ଅକ୍ଳେଶରେ ଅତିକ୍ରମ କରିପାରିବା । ଅତଏବ, ସଦ୍‌ଗୁଣର ବିକାଶ ଏବଂ ମନ୍ଦଗୁଣର ପରିତ୍ୟାଗ ଆଧ୍ୟାତ୍ମିକ ସାଧନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଏ ଦିଗରେ ବ୍ୟକ୍ତିଗତ ଡାଏରୀ ଲେଖିବା ଏକ ଉପଯୋଗୀ କୌଶଳ ସିଦ୍ଧ ହୋଇଥାଏ । ଅନେକ ସଫଳ ବ୍ୟକ୍ତି ତାଙ୍କର ଆତ୍ମକଥା ଲିପିବଦ୍ଧ କରିଥାନ୍ତି, ଯାହା ସେମାନଙ୍କର ସଫଳତା ନିମନ୍ତେ ସଦ୍‌ଗୁଣର ବିକାଶ ପାଇଁ ସାହାଯ୍ୟ କରେ । ମହାତ୍ମା ଗାନ୍ଧି ଏବଂ ବେଞ୍ଜମିନ୍ ଫ୍ରାଙ୍କଲିନ୍ ଉଭୟ ଏହି କୌଶଳ ଅବଲମ୍ବନ କରୁଥିବା ବିଷୟ ତାଙ୍କ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି ।

କେହି କେହି ଯୁକ୍ତି କରନ୍ତି, ଆମେ ଯଦି ଭଗବାନଙ୍କର ଭକ୍ତି କରିବା, ତେବେ ସମୟକ୍ରମେ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣିତ ସମସ୍ତ ସଦ୍‌ଗୁଣ ଆମଠାରେ ସ୍ୱାଭାବିକ ଭାବରେ ବିକସିତ ହେବ । ବାସ୍ତବରେ ଏହା ସତ୍ୟ ଅଟେ, କିନ୍ତୁ ପ୍ରାରମ୍ଭରୁ ଯେଉଁସବୁ ନକାରାତ୍ମକ ସ୍ୱଭାବ ଆମ ଭକ୍ତି ପଥରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥାଏ, ସେଗୁଡିକ ଦୂର ନ କରି ପୂର୍ଣ୍ଣତଃ ଭକ୍ତି ପଥରେ ଅଗ୍ରସର ହେବା ଅସମ୍ଭବ ହୋଇଥାଏ ।  ଅଧିକାଂଶ ବ୍ୟକ୍ତି ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଭକ୍ତି ବୃଦ୍ଧି କରିଥାଆନ୍ତି ଏବଂ ସଦ୍‌ଗୁଣର ବିକାଶ ଓ ଆସୁରିକ ଗୁଣର ତ୍ୟାଗ ଦ୍ୱାରା ଅଭ୍ୟାସରେ ସଫଳତା ପ୍ରାପ୍ତ ହୋଇଥାଏ । ତେଣୁ, ଭକ୍ତି କରିବା ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିତ୍ୱରେ ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ ସୂଚିତ କରିଥିବା ସଦ୍‌ଗୁଣର ବିକାଶ ଏବଂ ଆସୁରିକ ଗୁଣର ପରିତ୍ୟାଗ କରିବା ଦିଗରେ ପ୍ରଯତ୍ନ କରିବା ଆବଶ୍ୟକ ।