Bhagavad Gita: Chapter 16, Verse 9

ଏତାଂ ଦୃଷ୍ଟିମବଷ୍ଟଭ୍ୟ ନଷ୍ଟାତ୍ମାନୋଽଳ୍ପବୁଦ୍ଧୟଃ ।
ପ୍ରଭବନ୍ତ୍ୟୁଗ୍ରକର୍ମାଣଃ କ୍ଷୟାୟ ଜଗତୋଽହିତାଃ ।।୯।।

ଏତାଂ-ଏହିପରି; ଦୃଷ୍ଟିଂ - ଦୃଷ୍ଟିକୋଣ; ଅବଷ୍ଟଭ୍ୟ - ଗ୍ରହଣ କରି; ନଷ୍ଟ-ପଥଭ୍ରଷ୍ଟ; ଆତ୍ମାନଃ -ଜୀବ; ଅଳ୍ପବୁଦ୍ଧୟଃ - ଅଳ୍ପବୁଦ୍ଧି ସମ୍ପନ୍ନ; ପ୍ରଭବନ୍ତି - ସୃଷ୍ଟି ହୁଏ; ଉଗ୍ରକର୍ମାଣାଃ - ଉଗ୍ରକର୍ମରେ; କ୍ଷୟାୟ- ଧ୍ୱଂସ; ଜଗତଃ - ଜଗତର; ଅହିତାଃ - ଶତ୍ରୁ ।

Translation

BG 16.9: ଏପରି ସିଦ୍ଧାନ୍ତକୁ ଦୃଢ଼ ଭାବରେ ଗ୍ରହଣ କରି ଏହି ବିପଥଗାମୀ ଜୀବ, ସେମାନଙ୍କର ସ୍ୱଳ୍ପ ବୁଦ୍ଧି ଏବଂ ନିଷ୍ଠୁର କର୍ମ ଦ୍ୱାରା, ସଂସାରର ବିଧ୍ୱଂସକରୀ ଶତ୍ରୁ ରୂପରେ ଦେଖାଦିଅନ୍ତି ।

Commentary

ଆସୁରିକ ସ୍ୱଭାବର ବ୍ୟକ୍ତିମାନେ, ସଠିକ୍ ଆତ୍ମ-ଜ୍ଞାନରୁ ବଞ୍ôଚତ ହୋଇ, ତାଙ୍କର ଅଶୁଦ୍ଧ ବୁଦ୍ଧିଦ୍ୱାରା, ସତ୍ୟର ସିଦ୍ଧାନ୍ତକୁ ବିକୃତ କରିଦିଅନ୍ତି । ଏହାର ଏକ ଉଦାହରଣ ହେଉଛି ଚାର୍ବାକ୍‌ଙ୍କର ସିଦ୍ଧାନ୍ତ ଯିଏ କି, ଭାରତ ଇତିହାସର ଜଣେ ପ୍ରସିଦ୍ଧ ଭୌତିକବାଦୀ ଦାର୍ଶନିକ ଅଟନ୍ତି । ସେ କହିଥିଲେ:

ଯାବଜ୍ଜୀବେତ ସୁଖଂ ଜୀବେତ୍‌, ଋଣମ୍ କୃତ୍ୱା ଘୃତଂ ପିବେତ୍
ଭସ୍ମୀ ଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ ।

“ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହିଛ, ନିଜକୁ ଉପଭୋଗ କର । ଯଦି ଘୃତ ପାନ କରିବାକୁ ଇଚ୍ଛା କରୁଥାଅ, ଆବଶ୍ୟକ ସ୍ଥଳେ ଋଣ କରି ମଧ୍ୟ, ତାହା କର । ଶରୀରର ଦାହସଂସ୍କାର କରାଯିବା ପରେ, ତୁମର ଅସ୍ତିତ୍ୱ ରହିବ ନାହିଁ ଏବଂ ତୁମେ ସଂସାରକୁ ପୁଣି ଫେରିବ ନାହିଁ । (ତେଣୁ ତୁମ କର୍ମର ପରିଣାମକୁ ନେଇ ଚିନ୍ତିତ ହୁଅ ନାହିଁ) ।”

ଏହିପରି ଭାବରେ, ଆସୁରିକ ସ୍ୱଭାବଯୁକ୍ତ ବ୍ୟକ୍ତି ଆତ୍ମାର ନିତ୍ୟତା ଏବଂ କର୍ମ ପ୍ରତିକ୍ରିୟାର ସମ୍ଭାବନାକୁ ପ୍ରତ୍ୟାଖାନ କରିଥାଆନ୍ତି । ସେଥିପାଇଁ ସେମାନେ ନିଦ୍ୱର୍ନ୍ଦରେ ସ୍ୱାର୍ଥପର ଏବଂ ନିଷ୍ଠୁର କର୍ମରେ ଲିପ୍ତ ରହନ୍ତି । ଯଦି ସେମାନେ ଅନ୍ୟମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଆନ୍ତି, ତେବେ ସେମାନେ ନିଜର ବିଭ୍ରାନ୍ତିକର ଭୌତିକବାଦୀ ମତକୁ ଅନ୍ୟମାନଙ୍କ ଉପରେ ନ୍ୟସ୍ତ କରିଥାନ୍ତି । ସେମାନଙ୍କର ଆତ୍ମ-କୈନ୍ଦ୍ରିକ ଲକ୍ଷ୍ୟ, ଅନ୍ୟମାନଙ୍କ ପାଇଁ ଦୁଃଖର କାରଣ ହେଉ କିମ୍ବା ସଂସାରର ବିନାଶର କାରଣ ହେଉ ପଛେ, ତାହାକୁ ହାସଲ କରିବା ପାଇଁ ସେମାନେ ଦ୍ୱିଧାହୀନ ଭାବରେ ଅବିଶ୍ରାନ୍ତ ଉଦ୍ୟମ କରିଥାନ୍ତି । ମାନବ ଇତିହାସ ବାରମ୍ବାର ଏହିପରି ଆତ୍ମବଡ଼ିମାପୂର୍ଣ୍ଣ ସମ୍ରାଟ, ଯଥା ହିଟ୍‌ଲର, ମୁସୋଲିନ୍‌, ଷ୍ଟାଲିନ୍ ଇତ୍ୟାଦିଙ୍କୁ ଦେଖିଛି, ଯେଉଁମାନେ ତାଙ୍କର ବିକୃତ ଦୃଷ୍ଟିକୋଣଦ୍ୱାରା ଅନୁପ୍ରାଣିତ ହୋଇ ସଂସାରରେ ଅକଥନୀୟ ଯନ୍ତ୍ରଣା ଏବଂ ବିନାଶ ଆଣି ଦେଇଥିଲେ ।