Bhagavad Gita: Chapter 17, Verse 3

ସତ୍ତ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।।୩।।

ସତ୍ତ୍ୱ-ଅନୁରୂପା - ମନର ପ୍ରକୃତି ଅନୁଯାୟୀ; ସର୍ବସ୍ୟ -ପ୍ରତ୍ୟେକଙ୍କର; ଶ୍ରଦ୍ଧା- ଶ୍ରଦ୍ଧା; ଭବତି -ହୁଏ; ଭାରତ -ହେ ଭରତଶ୍ରେଷ୍ଠ; ଶ୍ରଦ୍ଧାମୟ- ଶ୍ରଦ୍ଧାଯୁକ୍ତ; ଅୟଂ- ସେହି; ପୁରୁଷଃ - ଜୀବ; ଯଃ - ଯିଏ; ଯତ୍‌-ଶ୍ରଦ୍ଧାଃ -ଯେପରି ବିଶ୍ୱାସ; ସଃ- ସେମାନଙ୍କର; ଏବ- ନିଶ୍ଚିତଭାବେ; ସଃ -ସେମାନେ ।

Translation

BG 17.3: ପ୍ରତ୍ୟେକ ମନୁଷ୍ୟର ବିଶ୍ୱାସ ତାଙ୍କ ମନର ସ୍ୱଭାବ ଅନୁରୂପ ହୋଇଥାଏ । ଶ୍ରଦ୍ଧା ସମସ୍ତଙ୍କର ଥାଏ ଏବଂ ଯାହାର ଶ୍ରଦ୍ଧା ଯେପରି ହୋଇଥାଏ, ସେମାନେ ବାସ୍ତବରେ ସେହିପରି ଅଟନ୍ତି ।

Commentary

ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିଲା ଯେ ଆମେ କୌଣସି ନା କୌଣସିଠାରେ ଆମର ବିଶ୍ୱାସ ପ୍ରତିସ୍ଥାପିତ କରିଥାଏ । ଯେଉଁଠାରେ ଆମେ ବିଶ୍ୱାସ ସ୍ଥାପନ କରିବାକୁ ଚାହୁଁ ଏବଂ ଯାହା ବିଶ୍ୱାସ କରିବାକୁ ନିର୍ଣ୍ଣୟ ନେଉ, ବାସ୍ତବରେ ତାହା ଆମର ଜୀବନର ଦିଗ ନିର୍ଣ୍ଣ ୟ କରିଥାଏ । ଯେଉଁମାନେ ବିଶ୍ୱାସ କରନ୍ତି ଯେ ଜୀବନରେ ଅର୍ଥ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, ସେମାନେ ତାହା ସଂଗ୍ରହ କରିବାରେ ସାରା ଜୀବନ ଅତିବାହିତ କରିଦିଅନ୍ତି । ଯେଉଁମାନେ ଯଶକୁ ଅଧିକ ମହତ୍ୱପୂର୍ଣ୍ଣ ବିଶ୍ୱାସ କରନ୍ତି, ସେମାନେ ତାଙ୍କର ସମସ୍ତ ସମୟ ଓ ଶକ୍ତି, ରାଜନୈତିକ ପଦବୀ ଏବଂ ସାମାଜିକ ପ୍ରତିଷ୍ଠା ପାଇଁ ବ୍ୟତୀତ କରିଥାନ୍ତି । ଯେଉଁମାନେ ନୈତିକ ମୂଲ୍ୟବୋଧକୁ ଉଚ୍ଚସ୍ଥାନ ଦିଅନ୍ତି, ସେମାନେ ତାକୁ ବଜାୟ ରଖିବାକୁ ସବୁକିଛି ତ୍ୟାଗ କରିଥାନ୍ତି । ମହାତ୍ମା ଗାନ୍ଧୀଙ୍କର ସତ୍ୟ ଏବଂ ଅହିଂସା ଉପରେ ଅଗାଧ ବିଶ୍ୱାସ ଥିଲା ଏବଂ ସେହି ବିଶ୍ୱାସର ଶକ୍ତି ବଳରେ ସେ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ, ଯଦ୍ୱାରା ସେ ପୃଥିବୀର ଶ୍ରେଷ୍ଠ ଶକ୍ତିଶାଳୀ ସାମ୍ରାଜ୍ୟକୁ ଭାରତରୁ ହଟାଇବାରେ ସଫଳ ହୋଇଥିଲେ । ଯେଉଁମାନେ ଭଗବତ୍ ପ୍ରାପ୍ତିର ଗୁରୁତ୍ୱ ଉପରେ ଦୃଢ଼ ବିଶ୍ୱାସ କରନ୍ତି, ସେମାନେ ତାହାର ଅନୁସନ୍ଧାନରେ ଭୌତିକ ଜଗତ ତ୍ୟାଗ କରିଥାନ୍ତି । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଆମ ବିଶ୍ୱାସର ଗୁଣବତ୍ତା ଆମ ଜୀବନର ଦିଗ ନିରୂପଣ କରେ । ପ୍ରତିପକ୍ଷରେ, ମନର ସ୍ୱଭାବ ଦ୍ୱାରା ଆମ ବିଶ୍ୱାସର ଗୁଣବତ୍ତା ନିରୂପିତ ହୋଇଥାଏ । ଅତଏବ, ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାରର ବିଶ୍ୱାସ ବିଷୟରେ ବ୍ୟାଖ୍ୟା ଆରମ୍ଭ କରୁଛନ୍ତି ।