Bhagavad Gita: Chapter 17, Verse 7

ଆହାରସ୍ତ୍ୱପି ସର୍ବସ୍ୟ ତ୍ରିବିଧୋ ଭବତି ପ୍ରିୟଃ ।
ଯଜ୍ଞସ୍ତପସ୍ତଥା ଦାନଂ ତେଷାଂ ଭେଦମିମଂ ଶୃଣୁ ।।୭।।

ଆହାରଃ - ଭୋଜନ; ତୁ- ନିଶ୍ଚିତଭାବେ; ଅପି - ମଧ୍ୟ; ସର୍ବସ୍ୟ - ପ୍ରତ୍ୟେକଙ୍କର; ତ୍ରିବିଧଃ - ତିନି ପ୍ରକାର; ଭବତି - ଅଟେ; ପ୍ରିୟଃ - ପ୍ରିୟ; ଯଜ୍ଞ - ଯଜ୍ଞ; ତପଃ - ତପସ୍ୟା; ତଥା -ଏବଂ; ଦାନଂ -ଦାନ; ତେଷାଂ -ସେମାନଙ୍କର; ଭେଦଂ - ପ୍ରଭେଦ; ଇମଂ- ଏହିପରି; ଶୃଣୁ - ଶୁଣ ।

Translation

BG 17.7: ଲୋକମାନେ ତାଙ୍କର ପ୍ରବୃତ୍ତି ଅନୁସାରେ ଖାଦ୍ୟକୁ ଅଗ୍ରାଧିକାର ଦେଇଥାନ୍ତି । ଏହା ସେମାନେ ପ୍ରବୃତ୍ତ ହେଉଥିବା ଯଜ୍ଞ, ସଂଯମ ଓ ଦାନ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ମୋଠାରୁ ଶୁଣ ।

Commentary

ମନ ଓ ଶରୀର ପରସ୍ପରକୁ ପ୍ରଭାବିତ କରିଥାନ୍ତି । ତେଣୁ ବ୍ୟକ୍ତି ଖାଉଥିବା ଖାଦ୍ୟ ତା’ର ସ୍ୱଭାବକୁ ପ୍ରଭାବିତ କରେ ଏବଂ ସ୍ୱଭାବ ତାର ଆଚରଣକୁ ପ୍ରଭାବିତ କରେ । ଛାନ୍ଦୋଗ୍ୟ ଉପନିଷଦ କହେ ଯେ ଆମେ ଖାଉଥିବା ଖାଦ୍ୟର ଖଦଡ଼ା ଅଂଶ ମଳରେ ପରିଣତ ହୁଏ, ସୂକ୍ଷ୍ମ ଅଂଶ ମାଂସରେ ପରିଣତ ହୁଏ ଏବଂ ସୂକ୍ଷ୍ମତମ ଅଂଶରେ ମନ ନିର୍ମିତ ହୁଏ । (୬.୫.୧) । ଏହା ପୁଣି କହେ: ଆଧାର ଶୁଦ୍ଧୌ ସତ୍ତ୍ୱ ଶୁଦ୍ଧିଃ (୭.୨୬.୨) “ଶୁଦ୍ଧ ଖାଦ୍ୟ ଗ୍ରହଣ ଦ୍ୱାରା ମନ ଶୁଦ୍ଧ ହୋଇଥାଏ ।” ଏହାର ବିପରୀତ ମଧ୍ୟ ସତ୍ୟ ଅଟେ - ଶୁଦ୍ଧ ମନଯୁକ୍ତ ବ୍ୟକ୍ତି ଶୁଦ୍ଧ ଖାଦ୍ୟ ପ୍ରତି ଆଗ୍ରହୀ ହୁଅନ୍ତି ।